ଡନ୍‌ ଜମିକୁ ହଜମ କରିବା କାଠିକର ପାଠ

ନୂଆଦିଲ୍ଲୀ: କୁଖ୍ୟାତ ଗ୍ୟାଙ୍ଗଷ୍ଟର ଦାଉଦ ଜମିକୁ ଦଖଲ କରିବା ସହଜ ନୁହେଁ । ତା’ ଜମିରେ ପାଦଦେଲେ ପୈତୃକ ପ୍ରାଣଟା ଚାଲିଯିବାର ଭୟ ନିଲାମଧାରୀଙ୍କୁ ଘାରିଛି । ତେଣୁ ପ୍ରଥମ ଦଫାରେ ମନକୁ ଟାଣ କରି ଦାଉଦର ଗୋଟିଏ ଜମି ବାବଦ ଅର୍ଥ ପଇଠ କରିଦେଲେ; ମାତ୍ର ଦ୍ୱିତୀୟ ଜମି ବାବଦ ଅର୍ଥ ଯୋଗାଡ଼ କରିବା କଷ୍ଟକର ହେଉଛି ବୋଲି କହିଛନ୍ତି ଆଇନଜୀବୀ ଅଜୟ ଶ୍ରୀବାସ୍ତବ ।
କଥା କ’ଣ କି, ଯୋଉ ଘର ଅଗଣାରେ ଦାଉଦ ଭାଇଭଉଣୀଙ୍କ ସହିତ କିଚିରି ମିଚିରି କରୁଥିଲା । ଧୂଳିଧୂସରିତ ହୋଇ ଘରକୁ ଫେରୁଥିଲା । ଶୈଶବ ଓ କୈଶୋର ଅବସ୍ଥା ବିତାଇଥିଲା । ସେହି ଭିଟାମାଟିକୁ ଛଡ଼ାଇ ନେଇ ସରକାର ନିଲାମ କରିଦେଲେ ।
ସରକାରଙ୍କ ନିକଟରୁ ଦାଉଦ ଜମି ହାସଲ କରିବା ପାଇଁ ଯେଉଁ କେତୋଟି ଆଇନଗତ ବାଟ ରହିଛି; ତାକୁ ଅତିକ୍ରମ କରିବା ସହଜ । ମାତ୍ର ନୂଆଦିଲ୍ଲୀରୁ ଯାଇ ମହାରାଷ୍ଟ୍ରର ମୁମ୍ବାକେ ଅଂଚଳକୁ ଯାଇ ଜମି ଦଖଲ କରିବା, ସେଠାରେ ବିଦ୍ୟାଳୟ ଓ ହଷ୍ଟେଲ ତିଆରି କରିବା ଆଦୌ ସମ୍ଭବ ନୁହେଁ ବୋଲି ଆଇନଜୀବୀ ଶ୍ରୀବାସ୍ତବ ବୁଝି ସାରିଲେଣି ।
ମୁମ୍ବାଇ ସିରିଏଲ ଆତଙ୍କୀ ଘଟଣାର ମୁଖ୍ୟ ସୂତ୍ରଧର ତଥା କୁଖ୍ୟାତ ଡନ୍‌ ଦାଉଦ ଇବ୍ରାହିମର ପୈତୃକ ଭିଟାମାଟିକୁ ସରକାରଙ୍କ ନିଲାମ ପ୍ରକ୍ରିୟାରେ ଭାଗ ନେଇ କିଣିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ ଆଇନଜୀବୀ ଅଜୟ ଶ୍ରୀବାସ୍ତବ ୨ କୋଟି ୧ ଲକ୍ଷ ଟଙ୍କାର ଜମି ପାଇଁ ପ୍ରଥମ କିସ୍ତି ଟଙ୍କା ଦାଖଲ କରିନାହାନ୍ତି । ଜମି ବାବଦ ପ୍ରଥମ କିସ୍ତି ଟଙ୍କା ଦାଖଲ କରିବାର ଅବଧି ଗତ ସପ୍ତାହରୁ ଶେଷ ହୋଇଗଲାଣି ।
ଶ୍ରୀବାସ୍ତବଙ୍କ ମତରେ ଜମି ବାବଦ ଦେୟ ମୋଟା ଅଙ୍କର ଥିବାରୁ ସେ ଯୋଗାଡ଼ କରି ପାରୁନାହାନ୍ତି । ଯଦି ଏତେ ଟଙ୍କାରେ କିଣିବାର ଦମ୍‌ ନଥିଲା; ନିଲାମ ପ୍ରକ୍ରିୟାରେ ଭାଗ ନେବାର ଦରକାର ନଥିଲା । ଏଠାରେ ଗୋଟିଏ କଥା ସ୍ପଷ୍ଟ କରିଦେଉଛୁ ଯେ ଶ୍ରୀବାସ୍ତବ ନିଲାମ ପ୍ରକ୍ରିୟାରେ ଦାଉଦର ମା’ ଅମିନା ବିବିଙ୍କ ନାମରେ ଥିବା ଦୁଇଟି ଜମି କିଣିବାକୁ ଯୋଗ୍ୟ ବିବେଚିତ ହୋଇଥିଲେ । ଗୋଟିଏ ଜମି ବାବଦକୁ ୩ ଲକ୍ଷ ୨୮ ହଜାର ଟଙ୍କା ଦାଖଲ କରିସାରିଛନ୍ତି । କିନ୍ତୁ ଦ୍ୱିତୀୟ ଜମି ବାବଦ ଟଙ୍କା ଦାଖଲ କରିନାହାନ୍ତି ।
ଛୋଟ ଜମିଟିର କ୍ଷେତ୍ରଫଳ ୧୭୧ ବର୍ଗମିଟର ଯାହାର ନିଲାମ ରାଶି ଥିଲା ୧୫,୪୪୦ ଟଙ୍କା; ଶ୍ରୀବାସ୍ତବ ଉକ୍ତ ଜମିଟିକୁ ୨ କୋଟି ୧ ଲକ୍ଷ ଟଙ୍କାରେ କିଣିବା ପାଇଁ ନିଲାମ ଧରିଥିଲେ । ଦ୍ୱିତୀୟ ଜମିଟିର କ୍ଷେତ୍ରଫଳ ୧୭୩୦ ବର୍ଗମିଟର ଯାହାର ନିଲାମ ରାଶି ଥିଲା ୧.୫୬ ଲକ୍ଷ ଟଙ୍କା; ଶ୍ରୀବାସ୍ତବ ଉକ୍ତ ଜମିଟିକୁ ୩ ଲକ୍ଷ ୨୮ ହଜାର ଟଙ୍କାରେ କିଣିବାକୁ ନିଲାମ ଧରିଥିଲେ । ଶୁଣିବାକୁ ମିଳୁଛି, ବିଦେଶରେ ରହି ଦାଉଦ ଏବେ ମଧ୍ୟ ମୁମ୍ବାଇରେ ରାଜ କରୁଛି ।