ମରୁଛନ୍ତି ଚିତା: ଭାରି ପଡ଼ିଲା ମୋଦିଙ୍କର ଚିତା ସଉକ

କୁନୋ ଜାତୀୟ ଅଭୟାରଣ୍ୟରେ ଚିତା ତେଜସ୍‌ ମୃତ୍ୟୁବରଣ କରିଛି । ତେଜସର ବେକରେ ଗଭୀର କ୍ଷତକୁ ଦେଖି ଅନୁମାନ କରାଯାଉଛି କି ଚିତା-ଚିତା ସଂଘର୍ଷ କାରଣରୁ ତେଜସର ଜୀବନ ଯାଇଛି । ପିସିସିଏଫ ଜିଏସ ଚୌହ୍ୱାନ କହିଛନ୍ତି, ତେଜସ ବେକରେ କ୍ଷତ ଦେଖାଯାଇଛି । ଯାହାକୁ ଦେଖିବା ପରେ ଅନୁମାନ କରାଯାଉଛି ଯେ ତା’ର ମୃତ୍ୟୁ ସଂଘର୍ଷ କାରଣରୁ ହୋଇଛି । ବୁଧବାର ସକାଳେ ତା’ର ବ୍ୟବଚ୍ଛେଦ କରାଯିବ । ଗତ ୧୦ ମାସରେ ସାତୋଟି ଚିତା ମରି ସାରିଲେଣି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କର ଜନ୍ମଦିନରେ ଦେଶବାସୀଙ୍କୁ ଚିତା ଭେଟି ଦେଇଥିଲେ । ପ୍ରାୟ ୭୦ ବର୍ଷ ପରେ ଭାରତର ଜଙ୍ଗଲରେ ଚିତାଙ୍କୁ ଦେଖିବାକୁ ମିଳିଲା । ୨୦୨୨ ସେପ୍ଟେମ୍ବର ୧୭ ତାରିଖରେ ପ୍ରଧାନମନ୍ତ୍ରୀ ମୋଦି ନାମିବ୍ୟାରୁ ଅଣା ଯାଇଥିବା ୮ଟି ଚିତାଙ୍କୁ କୁନୋ ଜାତୀୟ ଉଦ୍ୟାନରେ ଛାଡ଼ିଥିଲେ । ଚଳିତ ଫେବୃଆରୀ ୧୮ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଅଣା ଯାଇଥିବା ୧୨ଟି ଚିତାଙ୍କୁ କୁନୋ ପାର୍କରେ ଛଡ଼ା ଯାଇଥିଲା ।

ତା’ର କିଛିଦିନ ପରେ ନାମିବ୍ୟାରୁ ଅଣା ଯାଇଥିବା ଚାରି ବର୍ଷୀୟ ମାଈଚିତା ଶାଶା’ର ମୃତ୍ୟୁ ଘଟିଥିଲା । କିଡନିଜନିତ ରୋଗରେ ଆକ୍ରାନ୍ତ ହୋଇ ସେ ମରିଥିଲା ବୋଲି ଜଣାପଡ଼ିଥିଲା । ନାମିବ୍ୟାରେ ଥିବା ସମୟରେ ଶାଶାକୁ କିଡନି ବେମାର ହୋଇଥିଲା । ମାର୍ଚ୍ଚ ୨୭ ତାରିଖରେ ନାମିବ୍ୟାରୁ ଅଣା ଯାଇଥିବା ଚିତା ଜ୍ୱାଲା ଚାରିଟି ଛୁଆ ଜନ୍ମ ଦେଲା । ଫଳରେ ଚିତାଙ୍କ ସଂଖ୍ୟା ୨୩କୁ ବୃଦ୍ଧି ପାଇଲା ।

ଏପ୍ରିଲ ୨୩ରେ ଦକ୍ଷିଣ ଆଫ୍ରିକାରୁ ଅଣା ଯାଇଥିବା ଅଣ୍ଡିରା ଚିତା ଉଦୟର ମୃତ୍ୟୁ ହେଲା । ମେ’ ୯ ତାରିଖରେ ଦକ୍ଷିଣ ଆଫ୍ରିକାରୁ ଅଣା ଯାଇଥିବା ମାଈଚିତା ଦକ୍ଷାର ମୃତ୍ୟୁ ହେଲା । ମେ’ ୨୩ ତାରିଖରେ ମାଈଚିତା ଜ୍ୱାଲାର ଗୋଟିଏ ଶାବକ ମରିଗଲା । ତା’ର ଦୁଇଦିନ ପରେ ଅର୍ଥାତ୍‌ ମେ’ ୨୫ ତାରିଖରେ ଜ୍ୱାଲାର ଆଉ ଦୁଇଟି ଶାବକ ମରିଗଲେ । ପ୍ରବଳ ଝାଞ୍ଜି ପବନ ସହି ନପାରି ଚିତା ଶାବକ ମରିଗଲେ ବୋଲି ପଶୁ ଚିକିତ୍ସକ କହିଲେ । ଜ୍ୱାଲାର ଚତୁର୍ଥ ଶାବକ ଏବେ ଗମ୍ଭୀର ବେମାରରେ ପଡ଼ିଛି । ଏବେ କୁନୋରେ ୧୮ଟି ଚିତା ଅଛନ୍ତି ।