ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନ: ଗୁଣ୍ଡାଗିରି କରି ଜିତିଛନ୍ତି ଦିଦି, କହିଲା ବିଜେପି

ପଶ୍ଚିମବଙ୍ଗ ନିର୍ବାଚନରେ ବୁଥ ଦଖଲ, ବ୍ୟାଲଟ୍‌ ପେପରରେ ନିଆଁ ଲଗାଇ, ଗୁଣ୍ଡାମାନଙ୍କ ଜରିଆରେ ଲୋକଙ୍କୁ ଡରାଇ ଧମକାଇ ମମତା ବାନାର୍ଜୀ ଜିତିଛନ୍ତି । ନିରପେକ୍ଷ ନିର୍ବାଚନ ହୋଇଥିଲେ ଆମେ ଅଧିକ ଆସନରେ ଜିତିଥାନ୍ତୁ ବୋଲି ବିଜେପିର ସାଧାରଣ ସଂପାଦକ କହିଛନ୍ତି । କଥା ଉଠୁଛି, ସିଆରପିଏଫ୍‌ ବାହିନୀ ମୁତୟନ ସତ୍ୱେ ମମତାଙ୍କ ଗୁଣ୍ଡାମାନେ ରକ୍ତପାତ କରିବାର ସୁଯୋଗ ପାଇଲେ କିପରି?

ସୂଚନା ମୁତାବକ ମଙ୍ଗଳବାର ସକାଳ ୮ଟାରୁ ପଶ୍ଚିମବଙ୍ଗ ପଂଚାୟତ ନିର୍ବାଚନର ଭୋଟ ଗଣତି ଆରମ୍ଭ ହୋଇଥିଲା । ସନ୍ଧ୍ୟା ସାଢେ଼ ସାତଟା ସୁଦ୍ଧା ୨୭,୯୮୫ ଆସନର ପରିଣାମ ଘୋଷଣା କରାଯାଇଥିଲା । ତା’ ଭିତରୁ ମମତାଙ୍କ ଦଳ ତୃଣମୂଳ କଂଗ୍ରେସ ୧୮,୬୦୬ ଗ୍ରାମ ପଂଚାୟତରେ ଜିତିଛି । ୮୧୮୦ ଆସନରେ ଆଗୁଆ ରହିଛି । ବିଜେପି ୪୪୮୨ ଗ୍ରାମ ପଂଚାୟତ ଜିତିଛି, ୨୪୧୯ ଗ୍ରାମ ପଂଚାୟତରେ ଆଗୁଆ ରହିଛି । କଂଗ୍ରେସ ୧୦୭୩ ଗ୍ରାମ ପଂଚାୟତରେ ଜିତିଛି, ୬୯୩ ଆସନରେ ଆଗୁଆ ରହିଛି । ସିପିଏମ ୧୪୨୪ ଆସନରେ ଜିତିଛି, ବାମ ସାମ୍ମୁଖ୍ୟ ୧୫୦୨ ଆସନ ଜିତିଛି । ପଂଚାୟତ ନିର୍ବାଚନରେ ଓବୈସିଙ୍କ ଦଳ ଏଆଇଏମ୍‌ଆଇଏମ୍‌ ପ୍ରବେଶ କରି ୩ଟି ଆସନ ଜିତିଛି ।

ସେହିପରି ପଂଚାୟତ ସମିତି ଭିତରୁ ତୃଣମୂଳ ୧୧୮ଟି ଆସନରେ ଜିତିଛି, ୭୮୨ ଆସନରେ ଆଗୁଆ ରହିଛି । ବିଜେପି ୭୯ ଓ କଂଗ୍ରେସ ୮ଟି ଆସନରେ ଜିତିଛି । ତୃଣମୂଳ କଂଗ୍ରେସ ୧୮ଟି ଜିଲ୍ଲା ପରିଷଦରେ ବିଜୟୀ ହୋଇଛି, ୬୪ଟି ଆସନରେ ଆଗୁଆ ରହିଛି । ମାତ୍ର ବିଜେପି ଏବେ ସୁଦ୍ଧା ଗୋଟିଏ ବି ଆସନ ଜିତିନି ।