ନୂଆଦିଲ୍ଲୀ: କରୋନା ସଂକ୍ରମଣର ଭୟ କ୍ରମେ ଦୂରୀଭୂତ ହୋଇଛି । ବୁଧବାର କେନ୍ଦ୍ର ସରକାର ନୂଆ ଗାଇଡ୍ଲାଇନ୍ ଜାରି କରିଛନ୍ତି । ତଦନୁସାରେ ଆଉ ବିମାନଯାତ୍ରୀଙ୍କୁ ମାସ୍କ ଧାରଣ ପାଇଁ ବାଧ୍ୟ କରାଯିବନି । ଯାତ୍ରୀମାନେ ଆବଶ୍ୟକ ମନେକଲେ ମାସ୍କ ଧାରଣ କରିପାରନ୍ତି । ଦେଶରେ କୋଭିଡ୍ ସଂକ୍ରମଣର ଭୟ ଥିବାରୁ ବିମାନ ଯାତ୍ରା ସମୟରେ ମାସ୍କ ଧାରଣ କରିବା ପାଇଁ ସବୁ ଯାତ୍ରୀଙ୍କୁ ବାଧ୍ୟ କରୁଥିଲେ ସରକାର । ମାସ୍କ ଧାରଣ କରି ନଥିବା ବିମାନ ଯାତ୍ରୀଙ୍କଠାରୁ ଜୋରିମାନା ଆଦାୟ କରିବାର ନିୟମ ଥିଲା ।
ଦେଶରେ କରୋନା ଆକ୍ଟିଭ କେସ୍ ମାତ୍ର ୦.୦୨% ଅଛି । କରୋନା ଆରୋଗ୍ୟ ହାର ଏବେ ୯୮.୭୯% ପହଂଚିଛି । କରୋନା ସଂକ୍ରମଣରୁ ମୁକ୍ତ ହୋଇଥିବା ଲୋକଙ୍କ ସଂଖ୍ୟା ଏବେ ୪ କୋଟି ୪୧ ଲକ୍ଷ ୨୮ ହଜାର ୫୮୦ । ଦେଶରେ କରୋନା ମୃତ୍ୟୁହାର ୧.୧୯% ଅଛି । ଗତ ୨୪ ଘଂଟା ଭିତରେ ଦେଶରେ ୫୦୧ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ମୋଟ ୪ କୋଟି ୪୬ ଲକ୍ଷ ୬୬ ହଜାର ୬୭୬ ଦେଖାଯାଇଛି ।