ମୋଗଲ ଶାସକଙ୍କୁ ବଳିଯାଇଛି ବିଜେପି ସରକାର

ମନ୍ଦିର ଭିତରକୁ ଯିବା ପାଇଁ ଭକ୍ତ ଗଣୁଛନ୍ତି ଜିଜିୟା କର

ନୂଆଦିଲ୍ଲୀ: ଅତୀତରେ ମୁସଲମାନ ଶାସକମାନେ ହିନ୍ଦୁଙ୍କଠାରୁ ଜିଜିୟା କର ଆଦାୟ କରୁଥିଲେ । ଏବେ ବିଜେପି ନେତୃତ୍ୱାଧୀନ ମେଂଟ ସରକାର ହିନ୍ଦୁ ଶ୍ରଦ୍ଧାଳୁଙ୍କଠାରୁ ଜିଜିୟା କର ଆଦାୟ ଯୋଜନା କରୁଛନ୍ତି । କଥା କ’ଣ କି, ମଧ୍ୟପ୍ରଦେଶର ମହାକାଳ ମନ୍ଦିର ସମିତି ନିଷ୍ପତି ଉପରେ କଂଗ୍ରେସ-ବିଜେପି ମୁହାଁମୁହିଁ ହୋଇଛନ୍ତି । କଂଗ୍ରେସର ‘ଭାରତ ଯୋଡେ଼ା ଯାତ୍ରା’ ଏବେ ଉଜ୍ଜୟିନୀ ଅଭିମୁଖେ । ମହାକାଳ ମନ୍ଦିର ଗର୍ଭଗୃହକୁ ମୋବାଇଲ ନେବା, ସେଲ୍‌ଫି ଉଠାଇବା ଓ ଭିଡିଓ ସୁଟିଂ ପ୍ରତି ବାରଣ କରିଛି ମନ୍ଦିର ସମିତି । ଉକ୍ତ ପ୍ରସଙ୍ଗକୁ ସମାଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ମହେଶ ପାରମାର । ସେ କହିଛନ୍ତି, ମହାକାଳ ଲୋକ ଲୋକାର୍ପଣ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗର୍ଭଗୃହରେ ପୂଜାର୍ଚ୍ଚନା କଲେ । ମୋଦୀ ଗର୍ଭଗୃହରେ ବସି ଜପ ଓ ଧ୍ୟାନ କରିବାର ଦୃଶ୍ୟର ସିଧା ପ୍ରସାରଣ କରାଗଲା । ସେତେବେଳେ ମନ୍ଦିର ସମିତି ପକ୍ଷରୁ କୌଣସି କାର୍ଯ୍ୟକ୍ରମକୁ ବାଧା ଦିଆଗଲାନି । ଏବେ ଯାବତୀୟ ବାସନ୍ଦ କରାଯିବାର ରହସ୍ୟ ବୁଝାପଡୁନି ।

ହିନ୍ଦୁ ମହାସଭା ଅଧ୍ୟକ୍ଷ ଆଚାର୍ଯ୍ୟ ଚକ୍ରପାଣି ମହାକାଳ ଜ୍ୟୋତିର୍ଲିଙ୍ଗ ମନ୍ଦିର ଗର୍ଭଗୃହକୁ ଯିବା ପ।।ଇଁ ନିର୍ଦ୍ଧାରିତ ପାଉଣା ପଇଠକୁ ତୀବ୍ର ନିନ୍ଦା କରିଛନ୍ତି । ଠାକୁରଙ୍କ ଦର୍ଶନ ପାଇଁ ପାଉଣା ଦାବି କରିବା ଅର୍ଥ ଶ୍ରଦ୍ଧାଳୁଙ୍କ ଈଶ୍ୱର ବିଶ୍ୱାସ ପ୍ରତି ଘୋର ଅପମାନ । ଏପରି ନିୟମ ଜାରି କରିବା ଅର୍ଥ ଲୋକଙ୍କ ଉପରେ ଜିଜିୟା କର ଲାଗୁ କରିବା । ଯେଉଁ ରାଜ୍ୟ ସରକାର ମନ୍ଦିର ଭିତରକୁ ଯିବା ପାଇଁ ଶ୍ରଦ୍ଧାଳୁଙ୍କ ଉପରେ ଏଭଳି ବିଚିତ୍ର ପାଉଣା ଆଦାୟ କରୁଛନ୍ତି, ସେହି ସରକାର ଭଗବାନଙ୍କ ଦଲାଲି କରୁଛନ୍ତି । ଏହାକୁ କଦାପି ବରଦାସ୍ତ କରାଯିବ ନାହିଁ । ମଧ୍ୟପ୍ରଦେଶରେ କ୍ଷମତାସୀନ ବିଜେପି ସରକାରକୁ ମୋଗଲ ସରକାର କହି ଆଚାର୍ଯ୍ୟ ଚକ୍ରପାଣି ଜନ ଆନ୍ଦୋଳନ ପାଇଁ ଡାକରା ଦେଇଛନ୍ତି । ଦରକାର ପଡ଼ିଲେ ଅଦାଲତଙ୍କ ଆଶ୍ରୟ ନେବାକୁ ଚକ୍ରପାଣି କହିଛନ୍ତି ।

ଦେଶର ପ୍ରମୁଖ ମନ୍ଦିରରେ ଭିଭିଆଇପି ଟିକେଟ୍‌ ବ୍ୟବସ୍ଥାକୁ କଡ଼ା ନିନ୍ଦା କରିଛି ଅଖିଳ ଭାରତୀୟ ଅଖାଡ଼ା ପରିଷଦ । ପରିଷଦର ଅଧ୍ୟକ୍ଷ ରବୀନ୍ଦ୍ର ପୁରୀଜୀ ମହାରାଜ ମନ୍ଦିରରେ ପ୍ରଚଳିତ ଟିକେଟ୍‌ ବ୍ୟବସ୍ଥାର ଉଚ୍ଛେଦ ଦାବି କରିଛନ୍ତି । ସେ କହିଛନ୍ତି, ଦେଶର ସବୁ ମନ୍ଦିରରେ ଧନୀ-ଗରିବଙ୍କ ପାଇଁ ସମାନ ନିୟମ ଲାଗୁ କରାଯିବା ଦରକାର । ଧନୀଲୋକଙ୍କ ପାଇଁ ଗୋଟିଏ ନିୟମ ଓ ଗରିବ ଲୋକଙ୍କ ପାଇଁ ଆଉ ଗୋଟିଏ ନିୟମ ରଖାଯିବା ଅନୁଚିତ ।