ଗୁଜରାଟ ନିର୍ବାଚନ: ନାମାଙ୍କନ ପ୍ରତ୍ୟାହାର କଲେ ଆପ୍‌ ପ୍ରାର୍ଥୀ

ନାମାଙ୍କନ ପ୍ରତ୍ୟାହାର ପାଇଁ ବିଜେପିକୁ ଦାୟୀ କଲା ଆପ୍‌

ନୂଆଦିଲ୍ଲୀ: ଗୁଜରାଟର ସୁରତ ପୂର୍ବଭାଗରୁ ନାମାଙ୍କନ ପତ୍ର ଦାଖଲ କରିଥିବା ଆପ୍‌ ପ୍ରତ୍ୟାଶୀ କାଂଚନ ଜରିୱାଲା ବୁଧବାର ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନେଇଛନ୍ତି । ଏହି ଘଟଣାରେ ଆପ୍‌ ଅଭିଯୋଗ କରିଛି ଯେ ବିଜେପି କଥାରେ ଜରିୱାଲାଙ୍କୁ ଅପହରଣ କରାଗଲା । ନାମାଙ୍କନ ପତ୍ର ପ୍ରତ୍ୟାହାର ପାଇଁ ତାଙ୍କୁ ବାଧ୍ୟ କରାଗଲା । ଆପ୍‌ ଅଭିଯୋଗକୁ ବିଜେପି ଖଣ୍ଡନ କରିଛି । ଖୋଦ୍‌ ଜରିୱାଲା ଗଣମାଧ୍ୟମ ପ୍ରତିନିଧିଙ୍କୁ କହିଛନ୍ତି ଯେ ସେ ପ୍ରଥମେ ଆପ୍‌ ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିଥିଲେ । ମାତ୍ର ପରେ ତାଙ୍କର ଅନ୍ତରାତ୍ମା ତାଙ୍କୁ ଗୁଜରାଟ ଦ୍ରୋହ କାମରୁ କ୍ଷାନ୍ତ ରହିବାକୁ କହିବାରୁ ସେ ନାମାଙ୍କନ ପତ୍ର ଫେରାଇ ନେଇଛନ୍ତି ।

ନିର୍ବାଚନ ଆୟୋଗ ଅଫିସରେ ଅଭିଯୋଗ କରି ବାହାରକୁ ଆସିବା ପରେ ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିୟା ଗଣମାଧ୍ୟମକୁ କହିଛନ୍ତି, ସୁରତ ପୂର୍ବ ଆସନକୁ ମତଦାନ ପ୍ରକ୍ରିୟାରୁ ବାଦ୍‌ ଦେବାକୁ ଆମେ ନିର୍ବାଚନ ଆୟୋଗଙ୍କ ନିକଟରେ ପ୍ରାର୍ଥନା କରିଛୁ । ପ୍ରଥମେ ଆମ ପ୍ରତ୍ୟାଶୀଙ୍କୁ ଅପହରଣ କରାଗଲା । ବନ୍ଧୁକ ମୂନରେ ନାମାଙ୍କନ ପତ୍ର ପ୍ରତ୍ୟାହାର କରି ନିଆଗଲା । ନିର୍ବାଚନ ଆୟୋଗ ଏହି ଘଟଣାକୁ ଗମ୍ଭୀରତାର ସହ ବିଚାର କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବା ଉଚିତ । ଗୁଜରାଟ ନିର୍ବାଚନରେ ବିଜେପି ନିଜକୁ ଅସୁରକ୍ଷିତ ମଣି ଏଭଳି ନୀଚକାମ କରୁଛି । ଗୁଜରାଟ ବିଧାନସଭା ନିର୍ବାଚନରେ ବିଜେପିର ଶୋଚନୀୟ ପରାଜୟ ସୁନିଶ୍ଚିତ । ମଙ୍ଗଳବାର ରାତିରୁ ଜରିୱାଲା ଓ ତାଙ୍କ ପରିବାରର କୌଣସି ସନ୍ଧାନ ମିଳିଲାନି । ବୁଧବାର ସକାଳେ ଜରିୱାଲା ହଠାତ୍‌ ନିର୍ବାଚନ ଅଫିସରେ ପହଂଚି ନାମାଙ୍କନ ପତ୍ର ପ୍ରତ୍ୟାହାର କରିନେଲେ ।

ଏହା ପଛରେ ବିଜେପି ବିରାଟ ଷଡ଼ଯନ୍ତ୍ର କରିଛି । ବିଜେପିର ଗୁଣ୍ଡାରାଜରୁ ଗୁଜରାଟକୁ ମୁକ୍ତ କରିବାକୁ ହେବ । ନିର୍ବାଚନରେ ଆପ୍‌ ପ୍ରାର୍ଥୀମାନେ ନିଶ୍ଚିତ ଭାବେ ବିଜୟୀ ହେବେ ।