ନାଟୋକୁ ରୁଷ ବିପକ୍ଷରେ ଠିଆ କରିବାର ଚାଲ!

‘ପୋଲାଣ୍ଡ ଉପରେ ମିସାଇଲ୍‌ ମାଡ଼ କରିଛି ୟୁକ୍ରେନ୍‌

ମସ୍କୋ: ପୋଲାଣ୍ଡ ଭିତରେ ପଡ଼ିଥିବା ମିସାଇଲକୁ ୟୁକ୍ରେନ୍‌ ଛାଡିଥିବାର ସନ୍ଧାନ ମିଳିଛି । ପୋଲାଣ୍ଡ ଉପରେ ମିସାଇଲ ମାଡ଼ ଘଟଣାକୁ ରୁଷ ଖଣ୍ଡନ କରିଛି । ରୁଷ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଜାରି ବିବୃତିରେ ପୋଲାଣ୍ଡ ଉପରେ ପଡ଼ିଥିବା ମିସାଇଲ ରିପୋର୍ଟକୁ ତ୍ରୁଟିପୂର୍ଣ୍ଣ କୁହାଯାଇଛି । ଘଟଣାକୁ ଅତିରଞ୍ଜିତ କରିବା ପାଇଁ ଏଭଳି ପ୍ରୟାସ ଚାଲିଛି ବୋଲି ରୁଷ ଅଭିଯୋଗ କରିଛି । ରୁଷ ମତରେ ନାଟୋ ଦେଶଗୁଡ଼ିକୁ ଉସୁକାଇବା ପାଇଁ ୟୁକ୍ରେନ ପକ୍ଷରୁ ମିସାଇଲ ମାଡ଼ କରାଯାଇଛି । ରୁଷ ଏହା ମଧ୍ୟ କହିଛି ଯେ ପୋଲାଣ୍ଡ-ୟୁକ୍ରେନ ସୀମାର ୩୫ କିମି ଭିତରେ ରୁଷିଆର କୌଣସି ମିସାଇଲ ପଡ଼ିନାହିଁ ।

ନଭେମ୍ବର ୧୫ ତାରିଖ ସନ୍ଧ୍ୟା ସମୟରେ ପୋଲାଣ୍ଡର ପ୍ରେଜବୋଡୋ ଗ୍ରାମ ଉପରେ ପଡ଼ିଥିବା ମିସାଇଲଟି ୟୁକ୍ରେନ ବାୟୁସେନା ବ୍ୟବହାର କରୁଥିବା ଏସ୍‌-୩୦୦ ଏୟାର ଡିଫେନ୍ସ ସିଷ୍ଟମରୁ ଛଡ଼ାଯାଇଛି । ଉକ୍ତ ମିସାଇଲଟି ଆକାଶମାର୍ଗରେ ଧାବମାନ ବିମାନକୁ ଧ୍ୱଂସ କରିବାର କ୍ଷମତା ରଖିଛି । ମିସାଇଲ ମାଡ଼ରେ ଦୁଇଜଣ ପୋଲାଣ୍ଡ ନାଗରିକ ପ୍ରାଣ ହରାଇଛନ୍ତି । ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ ମଧ୍ୟ ସ୍ୱୀକାର କରି କହିଛନ୍ତି ଯେ ପୋଲାଣ୍ଡ ସୀମା ଭିତରେ ପଡ଼ିଥିବା ମିସାଇଲକୁ ରୁଷସେନା ପଠାଇଥିବାର ଆଶଙ୍କା କମ୍‌ । ପୋଲାଣ୍ଡର ତଦନ୍ତ କାର୍ଯ୍ୟରେ ବାଇଡେନ୍‌ ସହଯୋଗ କରିବାକୁ ରାଜି ଅଛନ୍ତି । ୟୁକ୍ରେନ ଉପରେ ରୁଷିଆର ଆକ୍ରମଣକୁ ଯୁଦ୍ଧ ବିବେଚନା କରାଯାଉଥିବାରୁ ୟୁକ୍ରେନ୍‌ ରାଷ୍ଟ୍ରପତି ଜେଲେନ୍‌ସ୍କି ଘୋର ନିନ୍ଦା କରିଛନ୍ତି ।

ପୋଲାଣ୍ଡ କହିଛି, ତଦନ୍ତରେ ମିସାଇଲଟି ରୁଷିଆ ନିର୍ମିତ ଜଣାପଡ଼ିଲେ ରୁଷକୁ ନାଟୋ ମେଂଟ ସହିତ ମୁହାଁମୁହିଁ ହେବାକୁ ପଡ଼ିବ । ନାଟୋ ବୁଝାମଣା ମୁତାବକ ସଂଗଠନର କୌଣସି ସଭ୍ୟ ଦେଶ ଉପରେ ବାହାର ଦେଶ ଆକ୍ରମଣ କଲେ, ନାଟୋ ମେଂଟ ପକ୍ଷରୁ ସଭ୍ୟ ଦେଶକୁ ପୂର୍ଣ୍ଣ ସୁରକ୍ଷା ପ୍ରଦାନ କରାଯିବ । ମିସାଇଲଟି ରୁଷିଆ ନିର୍ମିତ ବୋଲି ମଙ୍ଗଳବାର ରାତିରେ ହିଁ ପୋଲାଣ୍ଡ କହିଥିଲା । ମାତ୍ର ମିସାଇଲଟି କୋଉଠାରୁ କିଏ ପଠାଇଥିଲା ସେ ସଂପର୍କରେ ପୋଲାଣ୍ଡ କିଛି କହିନାହିଁ ।