ଗ୍ୟାସ୍‌ ସିଲିଣ୍ଡର୍‌ ଫାଟି ୭ ମୃତ

ଅହମ୍ମଦାବାଦ: ଗ୍ୟାସ ସିଲିଣ୍ଡର ଫାଟି ୭ ଜଣଙ୍କ ଶୋଚନୀୟ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତମାନଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଏହି ଘଟଣା ଘଟିଛି ଗୁଜୁରାଟର ଅହମ୍ମଦାବାଦର ବାରେଜା ଅଞ୍ଚଳରେ । ସମସ୍ତ ଶ୍ରମିକ ମଧ୍ୟପ୍ରଦେଶର ବୋଲି ଜଣାପଡିଛି । ଏନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି । ଏହାସହ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ମୃତ ଶ୍ରମିକଙ୍କ ପିଲାଙ୍କ ପାଠପଢା ଖର୍ଚ୍ଚ ବାବଦକୁ ୨ ଲକ୍ଷ ଟଙ୍କା ସହାୟତା ଘୋଷଣା କରାଯାଇଛି । ଏହାସହ ଆହତଙ୍କୁ ମାଗଣା ଚିକିତ୍ସା ସୁବିଧା ଯୋଗାଇ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ସୂଚନା ଅନୁସାରେ, ୧୦ ଜଣ ଶ୍ରମିକ ଏକ ଘରେ ଭଡା ରହୁଥିଲେ । ଘରେ ଥିବା ଗ୍ୟାସ ସିଲିଣ୍ଡରରୁ ଗ୍ୟାସ ଲିକ ହୋଇ ଫାଟି ଯାଇଥିଲା । ଘଟଣାସ୍ଥଳରୁ ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧିନ ଅବସ୍ଥାରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । ସମସ୍ତ ଶ୍ରମିକ ମଧ୍ୟପ୍ରଦେଶର ହୋଇଥିବା ବେଳେ ସେମାନେ ଦାଦନ ଖଟିବାକୁ ଗୁଜୁରାଟକୁ ଆସିଥିଲେ ।