ରୁଷରେ ଗୁଗଲ୍‌ ନ୍ୟୁଜ ବ୍ୟାନ୍‌

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ମଧ୍ୟରେ ଚାଲିଥିôବା ଘୋମାଘୋଟ ଲଢେଇ ଥମିବାର ନା ଧରୁନାହିଁ । ରୁଷ ସୈନିକଙ୍କ ମିସାଇଲ ମାଡରେ ୟୁକ୍ରେନର ଅନେକ ବଡ ବଡ ସହର ଛାରଖାର ହେବା ସହ ବହୁ ଜନସାଧାରଣ ଜୀବନ ଗଲାଣି । ଅନ୍ୟପକ୍ଷରେ ଏହି ଆକ୍ରମଣ ଫଳରେ ରୁଷକୁ ଅନେକ ଦେଶ ପ୍ରତିବନ୍ଧକ ଲଗାଇବା ସହ ଅନ୍ୟ କିଛି ରାଷ୍ଟ୍ର ମଧ୍ୟ କଟକଣା ଲଗାଇବାକୁ ପ୍ରସ୍ତୁତ ହେଉଛନ୍ତି । କିନ୍ତୁ ରୁଷ ଉପରେ କୌଣସି ଫରକ ପଡୁନାହିଁ । ଏହାରି ମଧ୍ୟରେ ସୋସିଆଲ ମିଡିଆ ପରେ ଏବେ ନିଜ ଦେଶରେ ଗୁଗୁଲ ନ୍ୟୁଜକୁ ବ୍ୟାନ କରିଛି ରୁଷ । ଗୁଗୁଲ ନ୍ୟୁଜ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ରୁଷ ସଞ୍ଚାର ନିୟାମକ ଗ୍ରହଣ କରିଛି । ସୂଚନାଯୋଗ୍ୟ ଯେ, ୟୁକ୍ରେନରେ ରୁଷର ସୈନ୍ୟ ଅଭିଯାନକୁ ନେଇ ମିଛ ଖବର ପ୍ରଚାର କରିବାକୁ ଅନୁମତି ପ୍ରଦାନ କରିଥିବାକୁ କେନ୍ଦ୍ର କରି ଗୁଗୁଲ ନ୍ୟୁଜ ଉପରେ ସଞ୍ଚାର ନିୟାମକ ଆରୋପ ଲଗାଇଛି ।