ଚାଷୀ ସମାବେଶକୁ ହରିୟାଣା ହାଇକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ: ଭାରତର ସମ୍ବିଧାନ ପ୍ରତି ନାଗରିକଙ୍କୁ ଶୋଷଣ ବିରୋଧରେ ପ୍ରତିବାଦ କରିବାର ଅଧିକାର ପ୍ରଦାନ କରିଛି । ଏହା କହି ଆଜି ହରିୟାଣା ହାଇକୋର୍ଟ ଚାଷୀଙ୍କ ସମାବେଶ ଉପରେ କଟକଣା ଲଗାଇବାକୁ ମନା କରିଛନ୍ତି । ସରକାରଙ୍କ କୌଣସି ନୀତି ଚାଷୀଙ୍କ ସ୍ୱାର୍ଥ ପ୍ରତି ବାଧା ସୃଷ୍ଟି କରୁଥିଲେ; ତାକୁ ବିରୋଧ କରିବାର ଅଧିକାରରେ ଅଦାଲତ ହସ୍ତକ୍ଷେପ କରି ପାରିବେନି ।

ହରିୟାଣା ହାଇକୋର୍ଟଙ୍କ ଅସ୍ଥାୟୀ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଜିଏସ୍‌ ସାନ୍ଧାୱାଲିଆ ଓ ଜଷ୍ଟିସ୍‌ ଲାପିତା ବାନାର୍ଜୀଙ୍କୁ ନେଇ ଗଠିତ ଖଣ୍ଡପୀଠ ହରିୟାଣା ସରକାରଙ୍କ  ନିଷ୍ପତିକୁ ଚାଲେଂଜ କରୁଥିବା ଏକ ପିଟିସନର ବିଚାର କରିଥିଲେ ।

ଚାଷୀଙ୍କ ଆନ୍ଦୋଳନକୁ ବେଆଇନ ଦର୍ଶାଇ ହରିୟାଣା ସରକାର ଦିଲ୍ଲୀକୁ ପଡ଼ିଥିବା ଜାତୀୟ ରାଜପଥ ଓ ରାଜ୍ୟ ରାଜପଥ ଉପରେ ଚାଷୀଙ୍କ ବିରାଟ ପଟୁଆର ପ୍ରତି କଟକଣା ଜାରି କରିଥିଲେ ।

ସରକାରଙ୍କ ନିଷ୍ପତି ବିରୋଧରେ ଏକାଧିକ ପିଟିସନ ଆଗତ କରାଯାଇଥିଲା । ପିଟିସନର ଉଦୟ ପ୍ରତାପ ସିଂ କହିଛନ୍ତି, ଗଣତନ୍ତ୍ରରେ ସମସ୍ତଙ୍କୁ ସ୍ୱାଧିନ ମତ ପୋଷଣ କରିବାର ଅଧିକାର ରହିଛି । ସମ୍ବିଧାନ ପ୍ରତି ନାଗରିକଙ୍କୁ ମୌଳିକ ଅଧିକାର ପ୍ରଦାନ କରିଛି ଯୋଉଥିରେ କୌଣସି ସରକାର କୌଣସି ପରିସ୍ଥିତିରେ ହସ୍ତକ୍ଷେପ କରି ପାରିବେନି ।