କେବଳ ପରିବେଶ ବିଜ୍ଞାନୀ ନୁହନ୍ତି, ଜଳସ୍ଥଳ ଆକାଶକୁ ତନ୍ନତନ୍ନ କରି ଗବେଷଣା କରୁଥିବା ସବୁ ବର୍ଗର ବୈଜ୍ଞାନିକମାନେ ଏବେ ଉଦ୍ବେଗ ପ୍ରକାଶ କରିଛନ୍ତି । ପ୍ରାକୃତିକ ବିପର୍ଯ୍ୟୟ ଏବେ ପୃଥିବୀକୁ ଏକପ୍ରକାର କବଳିତ କରି ସାରିଲାଣି । ଇଂଟରନାଲ୍ ଡିସ୍ପ୍ଲେସମେଂଟ ମନିଟରିଂ ସେଂଟର (ଆଇଡିଏମ୍ସି) ପ୍ରସ୍ତୁତ ରିପୋର୍ଟ ମୁତାବକ ୨୦୧୫ ମସିହାରୁ ୨୦୨୪ ମସିହା ଭିତରେ ପୃଥିବୀ ପୃଷ୍ଠରେ ଘଟି ଯାଇଥିବା ପ୍ରଳୟଙ୍କରୀ ବନ୍ୟା, ମହାବାତ୍ୟା, ସାମୁଦ୍ରିକ ଝଡ଼ ଓ ଜଙ୍ଗଲ ଅଗ୍ନିକାଣ୍ଡ ଭଳି ପ୍ରାକୃତିକ ବିପର୍ଯ୍ୟୟର ଶିକାର ହୋଇଛନ୍ତି ପ୍ରାୟ ୨୬୪ ନିୟୁତ ଲୋକ ।
ଗବେଷକଙ୍କ ମତରେ ପ୍ରାକୃତିକ ବିପର୍ଯ୍ୟୟ ପରିମାଣ କମିବା ବଦଳରେ ବଢ଼ିଚାଲିଛି । ଏହି ଧାରା ନ ବଦଳିଲେ ଆଗାମୀ ଦଶନ୍ଧି ଭିତରେ ପୃଥିବୀର ମାନଚିତ୍ର ବଦଳିଯିବ । କେବଳ ଗତବର୍ଷ ୪୫.୮ ନିୟୁତ ଲୋକ ପ୍ରାକୃତିକ ପ୍ରଳୟର ଶିକାର ହୋଇ ବେସହାରା ହୋଇଛନ୍ତି । ଗତ ଦଶନ୍ଧି ଭିତରେ ଏହା ସବୁଠାରୁ ବଡ଼ ବିପର୍ଯ୍ୟୟ । ବିଗତ ୧୦ ବର୍ଷର ହାରାହାରି ଅନୁପାତକୁ ଦେଖିଲେ, ପ୍ରତିବର୍ଷ କ୍ଷତିଗ୍ରସ୍ତ ପରିବାରଙ୍କ ସଂଖ୍ୟା ବଢ଼ିବାକୁ ଲାଗିଛି ।