ଅଯୋଧ୍ୟାକୁ ତାଳି ମାରିବାକୁ ଯିବୁନି: ଶଙ୍କରାଚାର୍ଯ୍ୟ
ନୂଆଦିଲ୍ଲୀ: ଅଯୋଧ୍ୟାର ନବନିର୍ମିତ ରାମ ମନ୍ଦିରରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ ଭାରତର ଚାରୋଟି ପୀଠର ଶଙ୍କରାଚାର୍ଯ୍ୟ ।
ପ୍ରାୟ ୫୦୦ ବର୍ଷ ପରେ ଅଯୋଧ୍ୟାର ରାମ ଜନ୍ମଭୂମିରେ ପୁଣି ଠିଆ ହୋଇଛି ଶ୍ରୀରାମ ଲଲା ମନ୍ଦିର । ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବୈଷ୍ଣବ ଧର୍ମର ବହୁ ସାଧୁସନ୍ଥ ଯୋଗ ଦେବେ । କିନ୍ତୁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ଅନୁପସ୍ଥିତିରେ ପ୍ରାଣ ପ୍ରତିଷ୍ଠା ସମାରୋହ ଅଧୁରା ବୋଲି ଆଲୋଚନା ଆରମ୍ଭ ହୋଇଯାଇଛି ।
ଭାରତର ସର୍ବାଧିକ ପୁରାତନ ଚାରୋଟି ମଠାଧିଶଙ୍କ ଭିତରୁ ପୁରୀ ଗୋବର୍ଦ୍ଧନ ପୀଠର ଜଗଦଗୁରୁ ଶଙ୍କରାଚାର୍ଯ୍ୟ ସ୍ୱାମୀ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଉତରାମାନ୍ୟ ଜ୍ୟୋତିଷପୀଠ ଶଙ୍କରାଚାର୍ଯ୍ୟ ସ୍ୱାମୀ ଅବିମୁକ୍ତେଶ୍ୱରାନନ୍ଦ ସରସ୍ୱତୀ ଅଯୋଧ୍ୟାକୁ ଯିବା ପାଇଁ ସଫା ସଫା ମନା କରି ଦେଇଛନ୍ତି ।
ସେ କହିଛନ୍ତି, ଧର୍ମ ନିରପେକ୍ଷ ରାଷ୍ଟ୍ରରେ ପ୍ରଧାନମନ୍ତ୍ରୀ ଗର୍ଭଗୃହରେ ପ୍ରବେଶ କରି ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କରିବେ ଯାହା ଶାସ୍ତ୍ରମତେ ଆଦୌ ଠିକ ନୁହେଁ । ଯୋଉଠାରେ ଶାସ୍ତ୍ରବିଧି ପାଳନ କରାଯାଉନି; ସେଠାରେ ଆମର ଉପସ୍ଥିତି ଉଚିତ ହେବନି ।
ଯୋଉଠି ବିଧି ମୁତାବକ ଦେବତାଙ୍କ ପ୍ରତିମାରେ ପ୍ରାଣ ପ୍ରତିଷ୍ଠା କରାଯାଏନା । ସେଠାରେ ଭୂତ ପ୍ରେତ ପିଶାଚ ବେତାଳ ବସବାସ କରନ୍ତି । ସେଠାରେ ଦୈବୀଶକ୍ତି କାମ କରେନା । ଶାସ୍ତ୍ର ବିରୁଦ୍ଧ ସମାରୋହରେ ଆମେ ତାଳି ମାରିବାକୁ କାହିଁକି ଯିବୁ ।