ପ୍ରକାଶ ପାଇଲା ଆଇଆଇଟି-ଜେଇଇ ମେନ୍ ପରୀକ୍ଷା ଫଳ : ଓଡିଶା ଟପ୍ପର ହେଲେ ଗୌତମ ଦାସ

ଭୁବନେଶ୍ୱର (ଏସ୍ ନ୍ୟୁଜ): ଏନଟିଏ ପକ୍ଷରୁ ଜେଇଇ ମେନ୍ ବିଟେକ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ତାଲିକାରେ ଓଡିଶାର ଗୌତମ ଦାସ ୯୯ ଦଶମିକ ୯୯ ସ୍କୋର କରି ରାଜ୍ୟ ଟପ୍ପର ହୋଇଛନ୍ତି । ଏହି ରେଜଲ୍ଟ ଅନୁସାରେ ଚଳିତ ବର୍ଷ ୬ ଜଣ ପରୀକ୍ଷାର୍ଥୀ ଶତ ପ୍ରତିଶତ ନମ୍ବର ରଖିଛନ୍ତି । ବି.ଇ ଏବଂ ବି.ଟେକ୍‌ ଲାଗି ଜାନୁଆରି ୨୪ରୁ ୨୬ ପର୍ଯ୍ୟନ୍ତ ଅନୁଷ୍ଠିତ ଜେଇଇ ମେନ୍‌ ଲାଗି ୩୩୧ଟି ସହରରେ ପରୀକ୍ଷା କେନ୍ଦ୍ର ହୋଇଥିଲା। ପ୍ରଥମ ଥର ଲାଗି ଓଡ଼ିଆ ସମେତ ଇଂରାଜୀ, ହିନ୍ଦୀ, ଗୁଜୁରାଟି, ଆସାମୀ, ବେଙ୍ଗଲି, କନ୍ନଡ଼, ମାଲାୟଲମ୍‌, ମରାଠୀ, ପଞ୍ଜାବୀ, ତାମିଲ, ତେଲୁଗୁ ଓ ଉର୍ଦ୍ଧ୍ବ ଭାଷାରେ ପରୀକ୍ଷା କରାଯାଇଥିଲା।

ପରୀକ୍ଷା ଲାଗି ୬.୫୨ ଲକ୍ଷ ଛାତ୍ରଛାତ୍ରୀ ପଞ୍ଜୀକରଣ କରିଥିବା ବେଳେ ୬ ଲକ୍ଷ ୨୦ ହଜାର ୯୭୮ ଜଣ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୬ ଜଣ ପରୀକ୍ଷାର୍ଥୀ ୧୦୦ ଏନ୍‌ଟିଏ ସ୍କୋର କରିଛନ୍ତି । ସେମାନେ ହେଲେ ରାଜସ୍ଥାନର ସଙ୍କେତ ଝା, ଦିଲ୍ଲୀର ପ୍ରଭାକର କଟାରିଆ ଓ ରଞ୍ଜିମ୍‌ ପ୍ରବଳ ଦାସ, ଛତିଶଗଡ଼ର ଗୁରମର୍ତ୍ତି ସିଂ, ମହାରାଷ୍ଟ୍ରର ସିଦ୍ଧାନ୍ତ ମୁଖାର୍ଜୀ ଓ ଗୁଜୁରାଟ ଅନନ୍ତ କ୍ରିଷ୍ଣ କିଡାମ୍ବି ।