ଦେଶରେ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣ ୩ ଲକ୍ଷ ଟପିଲା

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ରେକର୍ଡ ସୃଷ୍ଟି କରୁଛି କରୋନାଭାଇରସ୍‌ଜନିତ ମହାମାରୀ । ବ୍ୟାପିବା ଦିନ ଠାରୁ ଆଜି ଦୈନିକ ସଂକ୍ରମଣ ୩ ଲକ୍ଷ ଟପିଯାଇଛି । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା ମଧ୍ୟରେ ୩,୧୪,୮୩୫ କରୋନାଭାଇରସ୍‌ଜନିତ ନୂତନ ସଂକ୍ରମଣ ଓ ୨,୧୦୪ ମୃତ୍ୟୁ ରେକର୍ଡ କରାଯାଇଛି। ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା ୧,୫୯,୩୦,୯୬୫ରେ ପହଞ୍ଚିଛି।

ଗତ ୨୪ ଘଣ୍ଟାରେ ହୋଇଥିବା ୨,୧୦୪ ମୃତ୍ୟୁକୁ ମିଶାଇ ଭାରତରେ ସମୁଦାୟ କୋଭିଡ୍‌-୧୯ଜନିତ ମୃତ୍ୟୁସଂଖ୍ୟା ୧,୮୪,୬୫୭ରେ ପହଞ୍ଚିଛି। ଗତ ୨୪ ଘଣ୍ଟାରେ କୋଭିଡ୍‌-୧୯ ସଂକ୍ରମଣରୁ ସୁସ୍ଥ ହୋଇଥିବା ୧,୭୮,୮୪୧ଜଣ ଆକ୍ରାନ୍ତଙ୍କୁ ମିଶାଇ ସମ୍ପ୍ରତି ଦେଶରେ ସମୁଦାୟ ସୁସ୍ଥତା ସଂଖ୍ୟା ହେଉଛି ୧,୩୪,୫୪,୮୮୦। ଏହାଛଡ଼ା, ଏବେ ଦେଶରେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ହେଉଛି ୨୨,୯୧,୮୨୮।