ସାକ୍ସୀ ନ୍ୟୁଜ୍ ବ୍ୟୁରୋ: ଭାରତର ବାଲାକୋଟ୍ ଏୟାର୍ ଷ୍ଟ୍ରାଇକ୍ ମନେ ପକାଇ ପାକିସ୍ତାନ ସରକାର ଡରିବା ଆରମ୍ଭ କଲାଣି । କେତେବେଳେ କୋଉପଟୁ ଭାରତ ଆକ୍ରମଣ କରିବ । ସେଇ କଥା ଚିନ୍ତା କରି ପାକ୍ସେନା ଛାନିଆରେ ସୀମା ନିୟନ୍ତ୍ରଣ ରେଖା ନିକଟରେ ଭାରତ ଆଡ଼କୁ ଗୁଳି ଚଳାଇବା ଆରମ୍ଭ କରିଛି ।
ଭାରତର ସୀମାନ୍ତ ବାହିନୀ ପକ୍ଷରୁ ମିଳିଥିବା ସୂଚନା ମୁତାବକ ସୀମା ନିୟନ୍ତ୍ରଣ ରେଖା ନିକଟରେ କେତୋଟି ଅଂଚଳରେ ପାକ୍ସେନା ଗୁଳି ଫୁଟାଇଛି । ମାତ୍ର ସେଥିରେ ଭାରତର କୌଣସି ଯବାନ୍ ଖଣ୍ଡିଆ ଖାବରା ହୋଇନାହାନ୍ତି ।
ଏପ୍ରିଲ ୨୨ ତାରିଖ ଦିନ ଜମ୍ମୁ-କଶ୍ମୀରରେ ପହଲଗାମ ଅଂଚଳରେ ଆତଙ୍କୀ ଗୁଳିମାଡ଼ରେ ପ୍ରାଣ ହରାଇଥିବା ୨୬ ଜଣ ନିରୀହ ପର୍ଯ୍ୟଟକଙ୍କ ପରିବାରଙ୍କ ଆଖିରୁ ଏ ଯାଏ ଲୁହ ଶୁଖିନି । ସାରା ବିଶ୍ୱବାସୀ ଆତଙ୍କୀ ହମ୍ଲାର ମୁକାବିଲା କଥା ଭାବୁଥିଲା ବେଳେ ପାକ୍ସେନା ଆତଙ୍କୀ ସୁରକ୍ଷା ଅଭିଯାନ ଆରମ୍ଭ କରି ଦେଇଛି ।
ଭାରତର ପ୍ରଧାନମନ୍ତ୍ରୀ ଆତଙ୍କବାଦ ଦମନମୂଳକ ପଦକ୍ଷେପ ଗ୍ରହଣ କରିବା ପୂର୍ବରୁ ପାକ୍ସେନାର ଏପରି ଆଚରଣ ପହଲଗାମ ଆତଙ୍କୀ ହମ୍ଲା ପଛରେ ପାକିସ୍ତାନ ସରକାର, ପାକିସ୍ତାନ ସେନାବାହିନୀ ଓ ପାକିସ୍ତାନ ଗୁପ୍ତଚର ସଂସ୍ଥାର ମିଳିତ ସମର୍ଥନ ରହିଥିବାର ଦୃଢ଼ ଧାରଣା ଜନ୍ମାଇଛି ।
ପହଲଗାମ ଆତଙ୍କୀ ହମ୍ଲାକୁ ସାରା ବିଶ୍ୱ କଡ଼ା ନିନ୍ଦା କରିଥିଲା ବେଳେ ଭାରତର ପଡେ଼ାଶୀ ଦେଶ ଚୀନ ଓ ପାକିସ୍ତାନ ପାଟିରେ ତୁଣ୍ଡି ବାନ୍ଧି ବସିଥିଲା ।
କିନ୍ତୁ ଯୋଉମାନେ ପହଲଗାମ ଆତଙ୍କୀ ଆଢୁଆଳରେ ଛପି ରହିଛନ୍ତି ସେମାନଙ୍କୁ ପାତାଳରୁ ଖୋଜି ମାରିବୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ୱାନ ଶୁଣିବା ପରେ ପାକିସ୍ତାନ ସରକାର ଓ ସେନାବାହିନୀ ମୁଣ୍ଡରେ ବାଲାକୋଟ୍ ଉପରେ ଭାରତର ଷଣ୍ଢୁଆସି ଆକ୍ରମଣ କଥା ମନେ ପଡ଼ିଗଲା । ତେଣୁ ଆଗୁଆ ଗୁଳି ଚଳାଇବା ଆରମ୍ଭ କରିଛି ।
ଭାରତୀୟ ସେନାବାହିନୀ ପକ୍ଷରୁ ପାଲଟା ଜବାବ ଦିଆଯାଇନି । ଭାରତୀୟ ପଦାତିକ ବାହିନୀର ବରିଷ୍ଠ ଅଧିକାରୀଙ୍କ ମତରେ ପରିସ୍ଥିତି ଉପରେ କଡ଼ା ନଜର ରଖାଯାଇଛି । ଠିକଣା ସମୟରେ ପାକ୍ସେନାକୁ ଠିକଣା ଜବାବ ଦିଆଯିବ ।