ମିଳିତ ଜାତିସଂଘର ସାଧାରଣ ପରିଷଦ ବୈଠକରେ ଗାଜାରେ ଅସ୍ତ୍ର ବିରତି ପ୍ରସ୍ତାବକୁ ଭାରତ ଏଡ଼ାଇ ଦେଇଛି । ଭାରତ ଗାଜା ଅସ୍ତ୍ର ବିରତି ପ୍ରସ୍ତାବକୁ ସମର୍ଥନ କରିନାହିଁ କି ବିରୋଧ କରିନାହିଁ । ସାଧାରଣ ପରିଷଦ ବୈଠକରୁ ଦୂରତା ରକ୍ଷା କରି ମୋଦି ସରକାର ଦେଶ ଭିତରେ ବିରୋଧୀଙ୍କ ଶିକାର ହୋଇଛନ୍ତି ।
କଂଗ୍ରେସ ନେତା ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ମାନବିକତା ପ୍ରତି ବିପଦ ସୃଷ୍ଟି ହୋଇଥିଲା ବେଳେ ଭାରତ ଚୁପ୍ ରହିବା ଅତ୍ୟନ୍ତ ଅଶୋଭନୀୟ । ପ୍ରିୟଙ୍କାଙ୍କ ପୋଷ୍ଟ ଉପରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ କଟାକ୍ଷ କରିଛନ୍ତି । ଗିରିରାଜ କହିଛନ୍ତି ଯେ ଭାରତ ପାଲେଷ୍ଟାଇନ୍ ସପକ୍ଷରେ ରହିଛି । କିନ୍ତୁ ପ୍ରିୟଙ୍କା ଗାନ୍ଧୀ ଭୋଟ ପାଇଁ ଆତଙ୍କୀ ହମାସ୍ ପ୍ରତି ଆନ୍ତରିକତା ଦେଖାଉଛନ୍ତି । ଗିରିରାଜ ପୁଣି କହିଛନ୍ତି, ଭୋଟ ପାଇଁ ପ୍ରିୟଙ୍କା କ’ଣ କ’ଣ କରିବେ? ପାଲେଷ୍ଟାଇନ ଜନତାଙ୍କ ଅସ୍ତିତ୍ୱ ବଜାୟ ରଖିବା ଆମର ପ୍ରଧାନ ଉଦ୍ଦେଶ୍ୟ । ହମାସ ଭଳି ଆତଙ୍କୀ ସଂଗଠନ ପ୍ରତି ଭାରତ କେବେ ସମ୍ବେଦନଶୀଳ ହୋଇପାରିବନି । ହମାସ୍ ବିପ୍ଲବୀ ସଂଗଠନ ନୁହେଁ ହମାସ୍ ମାନବ ଜାତିର କଳଙ୍କ । କଂଗ୍ରେସ ଭଳି ଦଳଗୁଡ଼ିକ ତାକୁ ସମର୍ଥନ କରୁଛନ୍ତି ।
ପ୍ରିୟଙ୍କାଙ୍କ ପରିବାରକୁ କଟାକ୍ଷ କରିବାକୁ ପଛାଇ ନାହାନ୍ତି ଗିରିରାଜ । ସେ କହିଛନ୍ତି, କଂଗ୍ରେସକୁ କଳଙ୍କ ପସନ୍ଦ । ମାତ୍ର ମୋତେ ପସନ୍ଦ ନୁହେଁ । ଗାନ୍ଧୀ ପରିବାର ଆଜି ଯାଏ ତାଙ୍କ ଜାତି କହିବାକୁ ପଛାଉଛନ୍ତି । ଆମେ ଗର୍ବର ସହିତ ଆମ ଜାତିର ପରିଚୟ ଦେଉଛୁ । କଂଗ୍ରେସ ମତଭେଦ ସୃଷ୍ଟି କରି ଭୋଟ ହାସଲ କରିବାକୁ ଚାହୁଁଛି ।