ଖଟିଖିଆ ଜମାକାରୀଙ୍କୁ ପରାମର୍ଶ: ‘ସାବଧାନ ଠକିଯିବ’

ଚିଟ୍‌ ଫଣ୍ଡ କମ୍ପାନୀ ହାତରେ ଠକାମିର ଶିକାର ହୋଇଥିବା ଲକ୍ଷାଧିକ ଜମାକାରୀଙ୍କୁ ତୁରନ୍ତ ଟଙ୍କା ଫେରାଇବା ପାଇଁ ଅଦାଲତ ରାୟ ଦେଇଥିଲେ ମଧ୍ୟ ନବୀନ ସରକାର ତାକୁ ପାଳନ କରିବାର ନାଁ ଧରୁନାହାନ୍ତି । ଏବେ ଜିଏଲପି ଡେଭଲପର୍ସ ଲିମିଟେଡ ଓ ଗୋଲଡେନ୍‌ ଲ୍ୟାଣ୍ଡ ଡେଭଲପର୍ସ ଲିମିଟେଡରେ ଟଙ୍କା ଖଟାଇଥିବା ଅଢେ଼ଇ ଲକ୍ଷ ଲୋକଙ୍କୁ ଟଙ୍କା ଫେରାଇବା ପାଇଁ ସ୍ୱତନ୍ତ୍ର ଅଦାଲତ ରାୟ ଦେଇଛନ୍ତି । ଉକ୍ତ ଆଦେଶକୁ ପାଳନ କରିବା ପାଇଁ ନବୀନ ସରକାର ନିଶ୍ଚିତ ଭାବେ ତତ୍ପରତା ପ୍ରକାଶ କରିବେ । କିନ୍ତୁ ନିର୍ବାଚନ ଆଚରଣ ବିଧି କଥା ଉଠାଇ ନିର୍ବାଚନ ପରେ ଟଙ୍କା ଫେରାଇବାକୁ ପ୍ରତିଶ୍ରୁତି ଦେବେ ।

ପୂର୍ବ ଅଦାଲତଙ୍କ ନିର୍ଦ୍ଦେଶକୁ ପାଳନ ନକରି ନବୀନ ସରକାର ଆଇନ ଉଲ୍ଲଙ୍ଘନ କାମ କରିଛନ୍ତି । ଆଇନକୁ ସମ୍ମାନ ଜଣାଉ ନଥିବା ଜଣେ ବ୍ୟକ୍ତିଙ୍କୁ ଆଉ ମୁଖ୍ୟମନ୍ତ୍ରୀ ପଦରେ ରହିବାର ଅଧିକାର ନାହିଁ ବୋଲି ରାଜ୍ୟ ପଛୁଆ ବର୍ଗ ନେତା ସୀତାରାମ ବେହେରା କହିଛନ୍ତି ।

ଅଦାଲତଙ୍କ ରାୟ ଅନୁସାରେ ଦୁଇ ଚିଟ୍‌ ଫଣ୍ଡ କମ୍ପାନୀଠାରୁ ୯୨ କୋଟି ୫୮ ଲକ୍ଷ ଟଙ୍କା ସଂଗ୍ରହ କରି ଜମାକାରୀଙ୍କୁ ଦେବା ପାଇଁ ଆଦେଶ ରହିଛି । ଚିଟ୍‌ ଫଣ୍ଡ କମ୍ପାନୀର ବ୍ରାଣ୍ଡ ଆମ୍ବାସାଡ଼ର ଭାବେ କାମ କରିଥିବା ବିଜେଡି ବିଧାୟକଙ୍କ ସୁରକ୍ଷା ପ୍ରତି ନବୀନ ପଟ୍ଟନାୟକ ଯେତିକି ତତ୍ପରତା ଦେଖାଉଛନ୍ତି । ଛୋଟ ନିବେଶକଙ୍କ ଝାଳବୁହା ଧନକୁ ହଡ଼ପ କରିବା ପାଇଁ ନବୀନ ସରକାର ସେତିକି ତତ୍ପର ।

ନିର୍ବାଚନ ପୂର୍ବରୁ ନବୀନଙ୍କଠାରୁ ଟଙ୍କା ହାତେଇବା ପାଇଁ ସବୁ ଜମାକାରୀମାନେ ମେଳି କରିବାକୁ ଓଡ଼ିଶା ପଛୁଆ ବର୍ଗ ମହାସଂଘ ପରାମର୍ଶ ଦେଇଛି ।