ଭାରତ ୟୁକ୍ରେନକୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ପଠାଇଲା

ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଜାରି ରହିଛି ଘୋମାଘୋଟ ଯୁଦ୍ଧ । ରୁଷ ସେନାର ମିସାଇଲ ମାଡରେ ୟୁକ୍ରେନ ଧ୍ୱଂସବିଧ୍ୱସ୍ତ ହୋଇଯାଇଛି । ରୁଷର ଏହି ଆକ୍ରମଣ ଜାରି ରହିଥିବା ଯୁଦ୍ଧ ଆଜି ୧୩ ଦିନରେ ପହଞ୍ଚ଼ିଛି । ରୁଷ ଦ୍ୱାରା ୟୁକ୍ରେନ ଆକ୍ରମଣ ପରିପ୍ରେକ୍ଷୀରେ ଆମେରିକା ସମେତ ୟୁରୋପୀୟ ୟୁନିୟନ ରୁଷ ଉପରେ ବିଭିନ୍ନ ଆର୍ଥିକ କଟକଣା ଲାଗୁ କରିଛନ୍ତି । ଏହି ଯୁଦ୍ଧ ମଧ୍ୟରେ ୟୁକ୍ରେନକୁ ଦ୍ୱିତୀୟ ପର୍ଯ୍ୟାୟ ସହାୟତା ପଠାଇଛି ଭାରତ । ଭାରତୀୟ ବାୟୁସେନାର ଏକ ସ୍ୱତନ୍ତ୍ର ବିମାନରେ ଏହି ସହାୟତା ସାମଗ୍ରୀ ପଠାଯାଇଛି ।

ସୂଚନାଯୋଗ୍ୟ ଯେ, ୟୁକ୍ରେନର ଆକାଶ ମାର୍ଗ ବନ୍ଦ ରହିଥିବାବେଳେ ଏହି ସହାୟତା ସାମଗ୍ରୀ ପୋଲାଣ୍ଡରେ ପହଞ୍ଚିବ । ପରେ ସେଠାରୁ ୟୁକ୍ରେନକୁ ହସ୍ତାନ୍ତର ହେବ । ଏଥିରେ ଔଷଧ, ଚିକିତ୍ସା ଉପକରଣ ଏବଂ ଅନ୍ୟାନ୍ୟ ରିଲିଫ ସାମଗ୍ରୀ ମଧ୍ୟ ରହିଛି । ପୂର୍ବରୁ ଭାରତ ପ୍ରଥମ ପର୍ଯ୍ୟାୟ ସହାୟତା ସାମଗ୍ରୀ ପଠାଇ ସାରିଥିଲା । ସୂଚନାଯୋଗ୍ୟ ଯେ, ରୁଷର ମିସାଇଲ ମାଡରେ ୟୁକ୍ରେନ ଗଭୀର ଭାବେ କ୍ଷତିଗ୍ରସ୍ତ ହୋଇଛି । ଅନ୍ୟପକ୍ଷରେ ୟୁକ୍ରେନରେ ସାଧାରଣ ଜନତା ନାନା ସମସ୍ୟା ମଧ୍ୟରେ ଗତି କରୁଛନ୍ତି । ତେଣୁ ଭାରତ ପକ୍ଷରୁ ମାନବୀୟ ସହାୟତା ସାମଗ୍ରୀ ପଠାଯିବା ପାଇଁ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ନିଷ୍ପତ୍ତି ହୋଇଥିଲା ।