ଇସ୍କନ୍ ପୂଜକଙ୍କୁ ଗିରଫ କଲା ବାଂଲା ପୁଲିସ, ତାତିଲା ବିଜେପି

କୋଲକାତା: ବୁଧବାର ଦିନ କୋଲକାତାସ୍ଥିତ ବାଂଲା ହାଇ କମିଶନ ଅଫିସ ନିକଟରେ ବିଜେପି କର୍ମୀମାନେ ହୋ ହଲ୍ଲା କରିଛନ୍ତି । ଢାକା ବିମାନ ବନ୍ଦରରୁ ହିନ୍ଦୁ ପୂଜକ ଚିନ୍ମୟ ଦାସ ପ୍ରଭୁଙ୍କୁ ଗିରଫ କରାଯିବା ଘଟଣାରେ ଭାରତରେ ବିଜେପି ପାର୍ଟି ପକ୍ଷରୁ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ପଶ୍ଚିମବଙ୍ଗ ବିଧାନସଭାର ବିରୋଧୀ ନେତା ତଥା ବିଜେପି ବିଧାୟକ ଶୁଭେନ୍ଦୁ ଅଧିକାରୀଙ୍କ ନେତୃତ୍ୱରେ ବିଜେପିର ଏକ ପ୍ରତିନିଧି ମଣ୍ଡଳୀ କୋଲକାତାସ୍ଥିତ ବାଂଲା ହାଇ କମିଶନ ମୁଖ୍ୟଙ୍କୁ ଭେଟି ସ୍ମାରକପତ୍ର ପ୍ରଦାନ କରିଛନ୍ତି ।

ଉକ୍ତ ସ୍ମାରକପତ୍ରରେ ଅଟକ ଚିନ୍ମୟ ଦାସଙ୍କୁ ତୁରନ୍ତ ଛାଡ଼ି ଦେବା ପାଇଁ ଦାବି କରାଯାଇଛି । ଇସ୍କନ୍‌ ସାଧୁ ଚିନ୍ମୟ ଦାସ ଢାକାରୁ ଚଟ୍ଟଗ୍ରାମ ଅଭିମୁଖେ ଯାତ୍ରା କରିବା ପାଇଁ ବିମାନକୁ ଅପେକ୍ଷା କରିଥିଲେ । ବାଂଲା ପୁଲିସ ତାଙ୍କୁ ଦେଶବିରୋଧୀ ଅଭିଯୋଗରେ ଗିରଫ କରିଛି ।

ବାଂଲାରେ ବେଶ କିଛିମାସ ଧରି ହିନ୍ଦୁ ବିରୋଧୀ ହିଂସାକାଣ୍ଡ ଜାରି ରହିଛି । ସେଠାରେ ହିନ୍ଦୁ ଭାଇଭଉଣୀ ସୁରକ୍ଷିତ ନାହାନ୍ତି ।  ବାଂଲା ସରକାରଙ୍କୁ ହିନ୍ଦୁ ବିରୋଧୀ ମନୋଭାବ ତେଜିବାକୁ ପଡ଼ିବ, ତା’ ନହେଲେ ଭାରତରେ ବସବାସ କରୁଥିବା ବାଂଲା ପରିବାରକୁ ଏଠାରେ ଶାନ୍ତିରେ ରହିବାକୁ ଦିଆଯିବନି ବୋଲି ପଶ୍ଚିମବଙ୍ଗ ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।