ଧର୍ମେନ୍ଦ୍ରଙ୍କ ଧ୍ରୁତରାଷ୍ଟ୍ର ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି ତ?

ମୋଦୀଙ୍କ ପାଖରେ ଦୁର୍ନୀତିର ୩୬ କଳା, ନବୀନ ମାତ୍ର ୧୩

ମୋଦୀ-ନବୀନ ବାସ୍ତବରେ ବଡେ଼ ମିଅାଁ-ଛୋଟେ ମିଅାଁ

     ନିର୍ବାଚନ ପ୍ରଚାର ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ବିଦେଶରୁ କଳାଧନ ଆଣି ଦେଶର ଗରିବ ଜନତାଙ୍କ ଜମାଖାତାରେ ଭରିଦେବେ । ଏ ଯାଏ କେତେ ପରିମାଣର କଳାଧନ ଆଣିଲେଣି, ତା’ର ହିସାବ ଦେଉନାହାନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ମୋଦୀ କହୁଥିଲେ, ଧାରା-୩୭୦ ଉଚ୍ଛେଦ କରିଦେଲେ, କେନ୍ଦ୍ର ସରକାରଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଜମ୍ମୁ-କଶ୍ମୀର ଶାସନ ଚାଲିଲେ, ଆତଙ୍କୀ ସଂଗଠନର କାର୍ଯ୍ୟକଳାପ ଉପରେ ସଂପୂର୍ଣ୍ଣ ଲଗାମ କଷି ଦେବେ । ଧାରା-୩୭୦ ଉଚ୍ଛେଦ କରି ପ୍ରଧାନମନ୍ତ୍ରୀ ମୋଦୀ ଭଲ କାମ କଲେ; ମାତ୍ର ଆତଙ୍କୀ କାର୍ଯ୍ୟକଳାପ ପୂର୍ବଭଳି ଚାଲିଛି । ବିମୁଦ୍ରାକରଣ ସମୟରେ ଦୁଇହଜାର ଟଙ୍କିଆ ନୋଟ୍‌ ପ୍ରଚଳନ କରାଗଲା । ମାତ୍ର ଏବେ ବଜାରରେ ଦୁଇହଜାର ଟଙ୍କିଆ ନୋଟ୍‌ ଦେଖିବାକୁ ମିଳିଲାନି । ‘କୁଶଳୀ ହେବା, ସ୍ୱାଭିମାନର ସହ ବଂଚିବା’ ନାରା ଦେଇ ଦକ୍ଷତା ବିକାଶ କେନ୍ଦ୍ରମାନ ପ୍ରତିଷ୍ଠା କଲେ ।
ପାଠୁଆ ଯୁବକ ଯୁବତୀଙ୍କୁ କୁଶଳୀ କରିବା ପରେ ମଧ୍ୟ ସେମାନଙ୍କୁ ଆତ୍ମନିର୍ଭର କରିବା ପାଇଁ ବ୍ୟାଙ୍କଋଣ ସୁବିଧା ନାହିଁ, ସେ ବିଷୟରେ ମୋଦୀ ସରକାର ନିରବ । ଉପା ସରକାର ସମୟରେ ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପାଉଥିବାରୁ ଆଜିର ବିଜେପି ସେତେବେଳେ ତୁମ୍ବିତୋଫାନ କରୁଥିଲା । ସଂସଦକୁ ଅଚଳ କରି ଦେଉଥିଲା । ଏବେ ନିଜେ କ୍ଷମତାରେ ଥାଇ ପେଟ୍ରୋଲ, ଡିଜେଲ, ରନ୍ଧନ ଗ୍ୟାସ, ଖାଇବା ତେଲ, ଅଟା, ଡାଲି, ଚାଉଳ, ପନିପରିବା ଦର ବୃଦ୍ଧି ଉପରେ ଲଗାମ କଷି ପାରୁନି କ’ଣ ପାଇଁ? ସରକାରୀ ଚାକିରିଆଙ୍କୁ ମହଙ୍ଗା ଭତା ଦିଆଯାଉଛି; ମାତ୍ର ଦିନ ମଜୁରିଆ, ଘରୋଇ ସଂସ୍ଥାଗୁଡ଼ିକରେ କାର୍ଯ୍ୟରତ କର୍ମଚାରୀଙ୍କ ଉପରେ କ’ଣ ମହଙ୍ଗା ବୋଝ ପଡୁନି । ସେମାନଙ୍କ ପ୍ରତି ମୋଦୀ ସରକାର ଶୁଭଦୃଷ୍ଟି ପକାଉନାହାନ୍ତି କ’ଣ ପାଇଁ? ଏମିତି ଦେଖିଲେ ଆହୁରି କେତେ ଅଳିଆରେ ଖୋଦ୍‌ ମୋଦୀ ସରକାର ଡୁବି ରହିଛନ୍ତି । ରାଜ୍ୟର ନବୀନ ସରକାର ନିଜ ବୁଦ୍ଧିବଳରେ କିଛି ବି ଦୁର୍ନୀତି କରିନାହାନ୍ତି ଯାହା କରିଛନ୍ତି ସବୁ ମୋଦୀଙ୍କ ବୁଦ୍ଧିରୁ ଚୋରି କରିଛନ୍ତି । ମଂଚ ଉପରେ ଠିଆ ହୋଇଗଲେ ବାବୁ ଧର୍ମେନ୍ଦ୍ର ନିଜକୁ ବଡ଼ ପାରିବାର ମନେକରୁଛନ୍ତି । ହେଲେ କେତେବର୍ଷ ହେଲା ରାଜ୍ୟ ବାହାରେ ରହି ମୁହଁତୋଡ଼ ମାରୁଛନ୍ତି, ତା’ର ହିସାବ ରଖିଛନ୍ତି? ଅନ୍ୟ ରାଜ୍ୟରୁ ସଂସଦକୁ ଯାଇ ଫୁଟାଣି ମାରିବା ଦୁର୍ବଳ ପ୍ରଜାତିର ଲୋକଙ୍କ କାମ । ଦମ୍‌ ଅଛି ତ ଓଡ଼ିଶାରୁ ଜିତି ପତିଆରା ଦେଖାନ୍ତୁ । ନବୀନ ବାବୁଙ୍କ ଭୟରେ ରାଜ୍ୟର କୋଉ ବିଧାନସଭା କି ଲୋକସଭାରେ ନିର୍ବାଚନ ଲଢ଼ିବାର ସାହସ ଜୁଟାଇ ପାରୁନଥିବା ବ୍ୟକ୍ତି ମୋଦୀଙ୍କ ବଳରେ ବଳିୟାନ୍‌ ହୋଇ ତୁଚ୍ଛାଟାରେ ଗର୍ଜନ କଲେ କି ଲାଭ?’ ଆଜି ଏମିତି ଶାଣିତ ମନ୍ତବ୍ୟ ପ୍ରଦାନ କରିଛନ୍ତି ଏନ୍‌ୟୁବିସି ନେତା ସୀତାରାମ ବେହେରା ।

ବିଜେପିର ସଂଯୁକ୍ତ ମୋର୍ଚ୍ଚା ସମ୍ମିଳନୀରେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅଭିଭାଷଣ ଶୁଣିବା ପରେ ଏନ୍‌ୟୁବିସି ନେତା ସୀତାରାମ ଏକ ସମ୍ବାଦ ସଂସ୍ଥାକୁ ସାକ୍ଷାତକାର ଦେଇ କହିଛନ୍ତି, କେନ୍ଦ୍ରର ନରେନ୍ଦ୍ର ଓ ରାଜ୍ୟର ନବୀନ ରାଜ୍ୟବାସୀଙ୍କୁ ସବୁ ଦିଗରୁ ଶୋଷଣ କରି ଚାଲିଛନ୍ତି । କ୍ଷମତାରେ ରହି ଯାହା ଲୁଟୁଛନ୍ତି; ସେଇଆକୁ ଲୋକଙ୍କୁ ଦେଇ ଭୋଟ କିଣୁଛନ୍ତି । ଦୁହେଁ ଦୁହିଁଙ୍କର ପରିପୂରକ । ଲୋକଙ୍କ ଦୃଷ୍ଟିରେ ସେମାନେ ପରସ୍ପର ବିରୋଧୀ । ପ୍ରକୃତପକ୍ଷେ ନବୀନ-ମୋଦୀ ବଡେ ମିଅାଁ- ଛୋଟେ ମିଅାଁ । ଧର୍ମେନ୍ଦ୍ର ଯେଉଁ ବାହାପିଆ ନୀତି କଥା କହୁଛନ୍ତି; ବାହାପିଆ କଥା କହିବାରେ ମୋଦୀଙ୍କଠାରୁ ବଡ଼ ଓସ୍ତାଦ ଆଉ କିଏ ଅଛି? ଆଖିରେ ଅନ୍ଧପୁଟୁଳି ବାନ୍ଧି ଶାସନ କରିବାର ୩୬ଟି କଳା ମୋଦୀଙ୍କ ପାଖରେ ଅଛି । ନବୀନ ପଟ୍ଟନାୟକ ମାତ୍ର ୧୩ଟି କଳା ଅଛି ।