ଜେପିଙ୍କ ଭାଷଣରେ ରହିଯିବ ବିଜେଡିମୁକ୍ତ ଡାକରା

୧୨୦+ ଡାକରା ଦେଇ ଆଜିଯାଏ ପସ୍ତାଉଛନ୍ତି ଅମିତ

ନବୀନଙ୍କ ଆଗରେ କାମ କରୁନି ମୋଦୀ ମ୍ୟାଜିକ୍‌…

ଭୁବନେଶ୍ୱର: ଆଜି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ଅଭିଭାଷଣ ଶୁଣିବା ପରେ ଆମ ଜନତା ଦଳ ଆବାହକ ସୀତାରାମ ବେହେରା ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି, ଏମିତି ଅମିତ ଶାହ ଓଡ଼ିଶାକୁ ଆସି ୧୨୦+ ଡାକରା ଦେଇ ୨୦୧୯ ନିର୍ବାଚନରେ ମାତ୍ର ୨୧ରେ ଅଟକିଗଲା । ଏବେ ଜେପି ନଡ୍ଡା ଓଡ଼ିଶାକୁ ବିଜେଡିମୁକ୍ତ କରିବା ପାଇଁ ଡାକରା ଦେଇଛନ୍ତି, ତାହା ଆଗାମୀ ନିର୍ବାଚନରେ ୧୨ରେ ଅଟକିଯିବ । ଜେପିଙ୍କ ଅଭିଭାଷଣର ପ୍ରତିଟି ବାକ୍ୟବାଣକୁ ଟିକିଏ ବୁଲେଇଦେଲେ, ସିଧା ମୋଦୀଙ୍କ ଛାତିରେ ବାଜିବ । ଉଦାହରଣ ସ୍ୱରୂପ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶର ଯୁବା, ମହିଳା, ବଂଚିତ, ଦଳିତ ସବୁବର୍ଗର ଲୋକଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ କିଭଳି ଲୁଟି ହେବ, ସେହି କଥା ଚିନ୍ତା କରୁଛନ୍ତି । ମୋଦୀଜୀଙ୍କ ବିଭିନ୍ନ ଯୋଜନା ଲୋକଙ୍କ ଅହିତ ସାଧନ କରୁଛି । ବିଜେପି କାର୍ଯ୍ୟକର୍ତା ଘରକୁ ଘର ଯାଇ ମୋଦୀ ସରକାରଙ୍କ ତଥାକଥିତ ଲୋକାଭିମୁଖୀ ଯୋଜନାର ବାସ୍ତବ ଚେହେରା ଦେଖନ୍ତୁ । ମୋଦୀଙ୍କ ନେତୃତ୍ୱରେ ଦେଶ ଆଗକୁ ସଢୁଛି ।

ଓଡ଼ିଶାରେ ମୋଦୀ ସରକାର ଛଅଟି ମେଡିକାଲ କଲେଜ ଖୋଲିଛନ୍ତି; ମାତ୍ର ସେଠାରେ ରୋଗୀଙ୍କୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଯୋଜନା କାମ କରୁନି । ରାଜ୍ୟର ନବୀନ ସରକାରଙ୍କ ଉପରେ ମୋଦୀ ସରକାରଙ୍କ ନିୟନ୍ତ୍ରଣ ନାହିଁ । ଦୁହେଁ ପୂର୍ବ-ପଶ୍ଚିମ ଦିଗକୁ ଅନାଇ ଶାସନ କରୁଛନ୍ତି । ମୋଦୀଙ୍କର ପୂର୍ବୋଦୟରୁ ଭାରତର ଉଦୟ ଗୁଜରାଟରୁ ଆରମ୍ଭ ହୋଇ ବାରାଣସୀରେ ଅଟକିଛି । ରାଷ୍ଟ୍ରପତି ଆସନରେ ଦଳୀୟ ନେତ୍ରୀ ଦ୍ରୌପଦୀ ମୁର୍ମୂଙ୍କୁ ବସାଇ ଓଡ଼ିଶାର ୧ କୋଟି ଅନୁସୂଚୀତ ଜନଜାତି ଲୋକଙ୍କ କଲ୍ୟାଣ କରି ଦେଇଛନ୍ତି ବୋଲି ଭାବୁଛନ୍ତି । ମୋଦୀଙ୍କ ମହଙ୍ଗା ମାଡ଼ ନୀତିକୁ ଗାଁ ଗାଁକୁ ଯାଇ ବୁଝାଇବାକୁ ପଡ଼ିବ । ଆଗାମୀ ୨୫ ବର୍ଷ ଭିତରେ ଦେଶକୁ ବିଶ୍ୱବଜାରରେ ନିଲାମ କରିବାକୁ ପଡ଼ିବ । ବିକଳାଙ୍ଗ ଭାରତ ସହ ବିକଳାଙ୍ଗ ଓଡ଼ିଶାକୁ ବିଶ୍ୱ ଦରବାରରେ ଭିକାରି ବେଶରେ ସଜାଇବାକୁ ପଡ଼ିବ । ଓଡ଼ିଶାକୁ ବିଜେପିମୁକ୍ତ କରିବାକୁ ପଡ଼ିବ । ଓଡ଼ିଶାରେ ଡବଲ୍‌ ଇଞ୍ଜିନ ସରକାର ଦରକାର ନାହିଁ । ନବୀନବାବୁଙ୍କ ଜରିଆରେ କେନ୍ଦ୍ର ଭଲ ରାଜସ୍ୱ ପାଉଛି ।

ଗତ ସାଧାରଣ ନିର୍ବାଚନ ପରଠାରୁ ବିଜେପିର ସବୁ ରାଷ୍ଟ୍ରୀୟ ନେତା ମୁହଁରେ ତାଲା ଲଗାଇ ବସିଥିଲେ । ଆଜି ନଡ୍ଡା ଖୋଲାଖୋଲି ତାଲା ରହସ୍ୟ ବୁଝାଇ ଦେଇଛନ୍ତି । ଗତ ସାଧାରଣ ନିର୍ବାଚନରେ ଅମିତ ଶାହ ୧୨୦+ ଡାକରା ଦେଇ ଆଜିଯାଏ ଲାଜରେ ଓଡ଼ିଶାକୁ ସିଧାସଳଖ ଅନାଇ ପାରୁନାହାନ୍ତି । ଏବେ ନଡ୍ଡା ମାପିଚୁପି ବିଜେଡି ସରକାରକୁ ଆକ୍ଷେପ କରିଛନ୍ତି । ମାତ୍ର କୋଉଠି ନବୀନ ପଟ୍ଟନାୟକଙ୍କ ନାଁ ଧରିନାହାନ୍ତି ।