୧୪ରେ ପୁଣିଥରେ ନୂଆ ଟିମ୍‌ ସହ ବୈଠକ କରିବେ ମୋଦୀ

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧୪ରେ ଦ୍ୱିତୀୟଥର ଲାଗି ନିଜ ନୂଆ ଟିମ୍‌ ସହ ପ୍ରଧାନମନ୍ତ୍ରୀ ବୈଠକ କରିବେ ବୋଲି ଜଣାପଡିଛି । ଏହାପୂର୍ବରୁ ଜୁଲାଇ ୮ ତାରିଖରେ ମନ୍ତ୍ରୀମଣ୍ଡଳ ସଂପ୍ରସାରଣର ଗୋଟିଏ ଦିନ ପରେ ପ୍ରଧାନମନ୍ତ୍ରୀ ସମସ୍ତ ମନ୍ତ୍ରୀଙ୍କ ସହ ବୈଠକ କରିଥିଲେ । ହେଲେ ଏହି ବୈଠକରେ କେଉଁ ବିଷୟ ଉପରେ ଆଲୋଚନା ହେବ ତାହା ସ୍ପଷ୍ଟ ହୋଇନାହିଁ । ମିଳିଥିବା ସୂତ୍ର ଅନୁଯାୟୀ, କରୋନା ସ୍ଥିତି ନେଇ ଆଲୋଚନା ହୋଇପାରେ ବୋଲି କୁହାଯାଉଛି । ଜୁଲାଇ ୮ରେ ହୋଇଥିବା ବୈଠକରେ ବି ପ୍ରଧାନମନ୍ତ୍ରୀ କରୋନା ସଂକ୍ରମଣକୁ ନେଇ ଉଦବେଗ ପ୍ରକାଶ କରିଥିଲେ । ଲୋକମାନଙ୍କୁ ସାମାଜିକ ଦୂରତା, ମାସ୍କ ପିନ୍ଧିବା ନେଇ ଉପଦେଶ ଦେଇଥିଲେ । ଏହା ସହ ମନ୍ତ୍ରୀମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀମାନଙ୍କୁ ଗଣମାଧ୍ୟମରେ ଆବଶ୍ୟକ ନଥିବା ମନ୍ତବ୍ୟ ଦେବାକୁ ବାରଣ କରିଥିଲେ । ସେ କହିଥିଲେ କି କେବଳ ନିଜ ମନ୍ତ୍ରଣାଳୟ ବ୍ୟତିତ ଅନ୍ୟ କୌଣସି ବାବଦରେ ମନ୍ତବ୍ୟ ନଦେବାକୁ କହିବା ସହ ନିଜ ମନ୍ତ୍ରଣାଳୟ ଉପରେ ଫୋକସ କରିବାକୁ ସେ ଉପଦେଶ ଦେଇଥିଲେ ।