ମହାରାଷ୍ଟ୍ର ଓ ଅରୁଣାଚଳ ପ୍ରଦେଶରେ ଏକାଧିକ ଭୂକମ୍ପ
ନୂଆଦିଲ୍ଲୀ: ଗୁରୁବାର ଦିନ ମହାରାଷ୍ଟ୍ରର ହିଙ୍ଗୋଲି ସହର ୧୦ ମିନିଟ ବ୍ୟବଧାନ ଭିତରେ ଦୁଇଥର ଭୂକମ୍ପନ ଅନୁଭବ କରିଛି । ପ୍ରଥମ କମ୍ପନଟି ସକାଳ ୬ ଟା ୮ ମିନିଟ୍ରେ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୪.୫ ଥିଲା । ଦ୍ୱିତୀୟ କମ୍ପନଟି ୬ ଟା ୧୯ ମିନିଟରେ ଅନୁଭୂତ ହୋଇଥିଲା ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୬ ଥିଲା । ଭୂପୃଷ୍ଠରୁ ପ୍ରାୟ ୧୦ କିମି ଗଭୀରତମ ପ୍ରଦେଶରେ ଭୂକମ୍ପ କେନ୍ଦ୍ର ଥିଲା ବୋଲି ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।
ହିଙ୍ଗୋଲି ଥରିବା ପୂର୍ବରୁ ଭାରତର ଉତର-ପୂର୍ବାଂଚଳ ଅରୁଣାଚଳ ପ୍ରଦେଶରେ ମଧ୍ୟ ଦୁଇଟି ଭୂକମ୍ପ ଅନୁଭୂତ ହୋଇଥିବାର ଜଣାପଡ଼ିଛି । ପ୍ରାପ୍ତ ସୂଚନା ମୁତାବକ ବୁଧବାର-ଗୁରୁବାର ରାତି ଗୋଟାଏ ୪୯ ମିନିଟରେ ରିକ୍ଟର ସ୍କେଲରେ ୩.୭ ତୀବ୍ରତା ସଂପନ୍ନ ଭୂକମ୍ପ ଅନୁଭୂତ ହୋଇଥିଲା ଯାହାର କେନ୍ଦ୍ରସ୍ଥଳ ଥିଲା ୱେଷ୍ଟ କାମେଙ୍ଗ୍ । ଦ୍ୱିତୀୟ ଭୂକମ୍ପଟି ବୁଧବାର-ଗୁରୁବାର ରାତି ପ୍ରାୟ ୩ଟା ୪ ମିନିଟରେ ରିକ୍ଟର ସ୍କେଲରେ ୩.୪ ତୀବ୍ରତା ସଂପନ୍ନ ଥିଲା ଯାହାର କେନ୍ଦ୍ରସ୍ଥଳ ଥିଲା ପୂର୍ବ କାମେଙ୍ଗ ।