ଇମ୍ରାନ ଝଡ଼ରେ ଉଡ଼ିଗଲେ ନୱାଜ-ବିଲାବଲ

ଇସଲାମାବାଦ: ପାକିସ୍ତାନରେ ସାଧାରଣ ନିର୍ବାଚନ ପୂର୍ବରୁ ନୱାଜ ହାୱା ବହୁଥିଲା । ସେନା ବଳରେ ନୱାଜ ପୁଣି କ୍ଷମତାକୁ ଫେରିବେ ବୋଲି ଏକପ୍ରକାର ବାତାବରଣ ସୃଷ୍ଟି କରାଗଲା ।  ଇମ୍ରାନଙ୍କ ଦଳକୁ ନିର୍ବାଚନରେ ନାନା କଟକଣା ଭିତରେ ଲଢ଼ିବାକୁ ପଡ଼ିଲା । ପାକିସ୍ତାନ ସେନାର ନୱାଜ ପ୍ରୀତି ନିକଟରେ ବେନଜିର ଭୁଟ୍ଟୋଙ୍କ ପୁଅ ବିଲାବଲ ମୁଣ୍ଡ ନୁଆଇଁ ଦେଲେ । ପାକିସ୍ତାନ ସେନା ନିକଟରେ ଭୋଟରଙ୍କ ମୂଲ୍ୟ ମାମୁଲି ବୋଲି ସାରା ଦୁନିଆ ଜାଣିଥିଲା ।

କିନ୍ତୁ ସବୁ ଗଣିତକୁ ଭୁଲ କରିଦେଲେ ପାକ୍‌ ଭୋଟର । ଜେଲ ଭିତରେ ବସିଥିବା ଇମ୍ରାନଙ୍କ ଦଳକୁ ଭୋଟରମାନେ ଆଦରି ନେଇଛନ୍ତି । ନୱାଜଙ୍କ ଦଳ ଦ୍ୱିତୀୟ ସର୍ବାଧିକ ଆସନ ପାଇଥିଲା ବେଳେ ବିଲାବଲଙ୍କ ଦଳ ତୃତୀୟ ସ୍ଥାନରେ ରହିଛି । ପରିସ୍ଥିତି ଏଭଳି ହୋଇଛି ଯେ ପାକିସ୍ତାନରେ ଝୁଲା ସଂସଦର ଆଶଙ୍କା ଦେଖାଦେଇଛି ।

ଇମ୍ରାନଙ୍କ ଉପରେ ପାକ୍‌ସେନା ଓ ଆଇଏସଆଇ ଦୃଷ୍ଟି ତେରେଚ୍ଛା ଥିବାରୁ ସରକାର ଗଠନ ପ୍ରକ୍ରିୟା ଏତେ ସହଜ ହେବନି । ପରିସ୍ଥିତି ବିଗିଡ଼ିବାକୁ ଯାଉଛି ବୋଲି ଅଧିକାଂଶ ପାକ୍‌ ବୁଦ୍ଧିଜୀବୀ ଜାଣି ସାରିଲେଣି । ତଥାପି ଆସନ୍ନ ବିପଦକୁ ମୁକାବିଲା କରିବାକୁ ପଡ଼ିବ ।

ସୂଚନା ମୁତାବକ, ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୬୬ଟି ଆସନ ଭିତରୁ ୧୪୬ଟି ଆସନର ପରିଣାମ ସ୍ପଷ୍ଟ ହୋଇଛି । ଇମ୍ରାନଙ୍କ ଦଳ ପିଟିଆଇ ସମର୍ଥିତ ସ୍ୱାଧିନ ପ୍ରାର୍ଥୀମାନେ ୬୦ଟି ଆସନ ପାଇଥିଲା ବେଳେ ନୱାଜଙ୍କ ପିଏମ୍‌ଏଲ୍‌ଏନ୍‌ ୪୩ ଓ ବିଲାବଲଙ୍କ ପିପିପିକୁ ୩୭ଟି ଆସନ ମିଳିଛି ।