ଭ୍ରଷ୍ଟାଚାର ଗଛ ଡାଳରେ ନବୀନ, ପତ୍ରରେ ମୋଦି’

ଭୁବନେଶ୍ୱର: ଜଣେ ମଦ ବେପାରୀଙ୍କ ଘରୁ ଆୟକର ବିଭାଗ ନଗଦ ୩୫୦ କୋଟି ଟଙ୍କା ଜବତ କରିବା ଘଟଣାରେ ବିଜେପି ନୈତିକତାର ଦ୍ୱାହି ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଇସ୍ତଫା ଦାବି କରିଛି । ବିଜେପି ନେତା ମନମୋହନ ସାମଲ କହିଛନ୍ତି, ଜବତ କରାଯାଇଥିବା ଟଙ୍କା ବିଜେଡି ପାଣ୍ଠିର ନା ସଂପୃକ୍ତ ମଦ ବେପାରୀଙ୍କର । ତା’ର ସ୍ପଷ୍ଟୀକରଣ ମୁଖ୍ୟମନ୍ତ୍ରୀ ଦିଅନ୍ତୁ । କ୍ଷମତାସୀନ ଦଳର ସହଯୋଗ ବିନା ଜଣେ ବ୍ୟବସାୟୀ କେବେ ଏତେ ପରିମାଣର ଟଙ୍କା ଲୁଚାଇ ରଖିପାରିବନି ।

ବିଜେପି ଅଭିଯୋଗ ମୁତାବକ, ଆୟକର ହାବୁଡ଼ରେ ପଡ଼ିଥିବା ଟଙ୍କା ନିଶ୍ଚିତ ଭାବେ ବିଜେଡିର ନିର୍ବାଚନ ଖର୍ଚ୍ଚ । ରାଜ୍ୟ ଭିଜିଲାନ୍ସ ଜାଗ୍ରତ ଥିଲେ ଆୟକର ବିଭାଗର ଚଢ଼ଉ ଆବଶ୍ୟକ ପଡ଼ି ନଥାନ୍ତା ।  ‘ବ୍ୟବସାୟୀଙ୍କ ଟଙ୍କାରେ ନିର୍ବାଚନ ଲଢ଼ିବା ଭାରତୀୟ ଗଣତନ୍ତ୍ରର ମୂଳାଧାର । ସବୁ ରାଜନୈତିକ ଦଳ ବ୍ୟବସାୟୀଙ୍କ ନିକଟରୁ ନିର୍ବାଚନ ଚାନ୍ଦା ଆଦାୟ କରି ରାଜନୀତି କରନ୍ତି । କ୍ଷମତାକୁ ଯିବା ପରେ ସାଧାରଣ ଜନତାଙ୍କ ଚୁଟିକୁ ଧରାଇ ଦିଅନ୍ତି ବ୍ୟବସାୟୀଙ୍କ ହାତରେ ।

ରାଜନେତାଙ୍କୁ ଟଙ୍କାଏ ଦେଇଥିଲେ, ଜନତାଙ୍କ ନିକଟରୁ ଶହେ ଟଙ୍କା ଆଦାୟ କରିଥାନ୍ତି ବ୍ୟବସାୟୀ ଗୋଷ୍ଠୀ । ବିଜେଡି ଜନତାଙ୍କ ପକେଟରୁ ୧୦୦ ଟଙ୍କା ଲୁଟିନେବା ପୂର୍ବରୁ ବିଜେପିକୁ ଆଗୁଆ ୪୦ ଟଙ୍କା ଦେଇଆସୁଛି । ନବୀନ ପଟ୍ଟନାୟକ ଯାହା କରୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଶିଖିଛନ୍ତି ।’ ଏଭଳି ଅଭିଯୋଗ କରିଛି ରାଜ୍ୟ ପଛୁଆ ବର୍ଗ ସଂଗଠନ ।