ପିଏଫ୍‌ଆଇ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରୁଛି ଏନ୍‌ଆଇଏ

ପପୁଲାର୍‌ ଫ୍ରଂଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ସଂଗଠନ ପାଇଁ କାମ…

ନୂଆଦିଲ୍ଲୀ: ପପୁଲାର୍‌ ଫ୍ରଂଟ ଅଫ୍‌ ଇଣ୍ଡିଆ (ପିଏଫ୍‌ଆଇ) ସଂଗଠନ ପାଇଁ କାମ କରୁଥିବା ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ଧରିବା ଆରମ୍ଭ କରିଛି ଏନ୍‌ଆଇଏ । ଏନ୍‌ଆଇଏ ସହିତ ଆହୁରି ଅନେକ ତଦନ୍ତ ସଂସ୍ଥା ପିଏଫ୍‌ଆଇ ଅଭିଯାନରେ ସାମିଲ ହୋଇଛନ୍ତି । ସରକାରଙ୍କ କଟକଣା ପରେ ମଧ୍ୟ ପିଏଫ୍‌ଆଇ ଲୁଚିଛପି ତା’ର ସମାଜ ବିରୋଧୀ କାମ ଜାରି ରଖିଛି । ଏନ୍‌ଆଇଏ ଚଢ଼ାଉ ଫଳରେ ପିଏଫ୍‌ଆଇର ଭବିଷ୍ୟତ ଯୋଜନା ଭଣ୍ଡୁର ହୋଇଯାଇଛି । ବିଗତ କିଛିଦିନର ଚଢ଼ାଉ କାଳରେ ୧୦୬ ଜଣଙ୍କୁ ଗିରଫ କରାଗଲାଣି । କେବଳ କେରଳରୁ ସର୍ବାଧିକ ୨୨ ଜଣଙ୍କୁ ଗିରଫ କରାଯାଇଛି ।
ସରକାର ପିଏଫ୍‌ଆଇ’କୁ ବେଆଇନ ଘୋଷଣା କରିବା ପରେ ଏକାଧିକ ଛାମୁଆ ସଂଗଠନ ତିଆରି କରି ପିଏଫ୍‌ଆଇ ତା’ର ହୀନ କାର୍ଯ୍ୟକଳାପ ଜାରି ରଖିଛି । ପ୍ରଥମ ଦଫାରେ ‘ପିଏଫ୍‌ଆଇ’ର ୬ଟି ଛାମୁଆ ସଂଗଠନ ଉପରେ ଏନ୍‌ଆଇଏ ଦୃଷ୍ଟି ପକାଇଛି । ପିଏଫ୍‌ଆଇର ସଭ୍ୟମାନେ ୧୨ ଭାଗରେ ବିଭକ୍ତ ହୋଇ ୧୨ଟି ଛାମୁଆ ସଂଗଠନ ଗଠନ କରିଛନ୍ତି । ସେହି ସଂଗଠନଗୁଡ଼ିକ ସରକାରଙ୍କ ଆଖିରେ ଅଙ୍ଗୁଳି ପୁରାଇ ଆତଙ୍କୀ କାର୍ଯ୍ୟକଳାପ ଚଳାଇଛି । କିଛି ସରକାରୀ କର୍ମଚାରୀ ପିଏଫ୍‌ଆଇ’ର ଛାମୁଆ ସଂଗଠନ ପାଇଁ କାମ କରୁଛନ୍ତି ।

ଏନ୍‌ଆଇଏ ଚଢ଼ାଉ ଓ ଲୋକଙ୍କ ଗିରଫଦାରିକୁ ବିରୋଧ କରି ପିଏଫ୍‌ଆଇ ପକ୍ଷରୁ ଶୁକ୍ରବାର ବନ୍ଦ ଡାକରା ଦିଆଯାଇଛି । ପିଏଫ୍‌ଆଇ ଅଭିଯୋଗ କରିଛି ଯେ ବିନା କାରଣରେ ତାଙ୍କ ଲୋକମାନଙ୍କୁ ଗିରଫ କରାଯାଉଛି । ବରିଷ୍ଠ ବାମପନ୍ଥୀ ନେତା ସୀତାରାମ ୟେଚୁରୀ ସରକାରଙ୍କୁ ତୀବ୍ର ସମାଲୋଚନା କରି ଚଢ଼ାଉ କରାଯିବାର କାରଣ ଜାଣିବାକୁ ଚାହିଁଛନ୍ତି । ପିଏଫ୍‌ଆଇଠାରୁ ସରକାର କି’ ପ୍ରକାର ବିପଦ ଆଶଙ୍କା କରୁଛନ୍ତି ବୋଲି ୟେଚୁରୀ ପ୍ରଶ୍ନ କରିଛନ୍ତି । ୟେଚୁରୀ ପୁଣି କହିଛନ୍ତି, ପିଏଫ୍‌ଆଇ ଅନ୍ୟ ସଂଗଠନ ଭଳି କାମ କରୁଛି । ସରକାର ଅଯଥାଟାରେ ପିଏଫ୍‌ଆଇ ପଛରେ ପଡ଼ିଛନ୍ତି ।

ପିଏଫ୍‌ଆଇ ଉପରେ ଚଢ଼ଉ କରିଥିବା ଏନ୍‌ଆଇଏ ଅଧିକାରୀମାନେ କହିଛନ୍ତି, ଆତଙ୍କୀ ପାଇଁ ପାଣ୍ଠି ଯୋଗାଡ଼, ଆତଙ୍କୀ ତାଲିମ କେନ୍ଦ୍ର, ଆତଙ୍କୀ ସଂଗଠନ ପାଇଁ ପିଲା ସଂଗ୍ରହ ଭଳି ଦେଶଦ୍ରୋହୀ କାମରେ ପିଏଫ୍‌ଆଇ ଲିପ୍ତ ରହିଛି । ବିଶେଷ କରି ସମାଜ ବିରୋଧୀ କାମ ପାଇଁ ପ୍ରୋତ୍ସାହନ ଦେଉଥିବା ପିଏଫ୍‌ଆଇ ଲୋକଙ୍କ ଗିରଫଦାରି ଜାରି ରହିଛି । ପିଏଫ୍‌ଆଇ ପକ୍ଷରୁ ବିହାରର ଫୁଲବାରୀ ଶରିଫରେ ଗଜୱା-ଏ-ହିନ୍ଦ ସଂଗଠନ ତିଆରି ଚାଲିଛି । ତେଲେଙ୍ଗାନାର ନିଜାମାବାଦରେ ସଂଗଠନ ପକ୍ଷରୁ ପିଲାମାନଙ୍କୁ କରାଟେ ତାଲିମ ଦିଆଯାଉଛି ।