କି ତେଲରେ ବାବା, ମୋହନ ଭାଗବତଙ୍କୁ ‘ରାଷ୍ଟ୍ରପିତା’

ମଦ୍ରାସା ବୁଲୁଛନ୍ତି ଆରଏସ୍‌ଏସ୍‌ ମୁଖ୍ୟ ମୋହନ

ପିଲାଙ୍କୁ ପଚାରିଲେ, କ’ଣ ପଢୁଛ କିରେ?
ଲଢ଼ିବା ଛାଡ଼ି ଗଢ଼ିବା ରାସ୍ତାରେ ମୁସଲିମ ବୁଦ୍ଧିଜୀବୀ…

ନୂଆଦିଲ୍ଲୀ: ସଂଘ ପରିବାରକୁ ମଦ୍ରାସାରେ ପହଂଚାଇଛନ୍ତି ମୁଖ୍ୟ ମୋହନ ଭାଗବତ । ଆଜି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ କସ୍ତୁରବା ଗାନ୍ଧୀ ମାର୍ଗରେ ପ୍ରତିଷ୍ଠିତ ମସଜିଦର ମୁଖ୍ୟ ଇମାମ୍‌ ଉମର ଅହମଦ ଇଲିୟାସୀ ଓ ଅନ୍ୟାନ୍ୟ ମୁସଲିମ ନେତାଙ୍କୁ ଭେଟି ହାଲଚାଲ ପଚାରିଥିଲେ । ସେଠାରୁ ଆଜାଦ ମାର୍କେଟ୍‌ ନିକଟ ମଦ୍ରାସାରେ ପହଂଚି ପିଲାଙ୍କୁ ପାଠ ବିଷୟରେ ପଚାରି ବୁଝିଥିଲେ । ସଂଘ ପରିବାର ମୁଖ୍ୟ ମୋହନ ଭାଗବତଙ୍କ ଅଚାନକ ମଦ୍ରାସା ଗସ୍ତ ଉପରେ ବିଭିନ୍ନ ସଂଗଠନ ନାନା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ।

 

ଘଟଣା ସଂପର୍କରେ ଆରଏସ୍‌ଏସ୍‌ ନେତା ଇନ୍ଦ୍ର କୁମାର କହିଛନ୍ତି, ୭୦ ବର୍ଷ ଧରି ଲଢ଼ାଇବାରେ ମାତିଛନ୍ତି । ଯୋଡ଼ିବା ଲୋକ ପୁରାଦମ୍‌ ଲଗାଇ କାମ କଲେ, ଭାଙ୍ଗିବା ଲୋକ ଦୁର୍ବଳ ପଡ଼ିଯିବେ । ହିନ୍ଦୁ-ମୁସଲିମ ଭେଦଭାବ ରହିବା ଅନୁଚିତ । ଇତିମଧ୍ୟରେ ମୋହନ ମୁମ୍ବାଇରେ ମୁସଲିମ ନେତାମାନଙ୍କୁ ଭେଟିଥିଲେ । ପରେ ବୁଦ୍ଧିଜୀବୀଙ୍କୁ ଭେଟି ଦେଶକୁ କୋଉ ବାଟରେ ଆଗେଇ ନିଆଯିବା ଦରକାର ବୁଝିଥିଲେ । ମୋହନଙ୍କ ପ୍ରଶ୍ନର ଜବାବରେ କିଛିପିଲା ଡାକ୍ତର ଓ ଇଞ୍ଜିନିୟର ହେବା କଥା କହିଲେ । ତହୁଁ ମୋହନ ପଚାରିଲେ, ସବୁବେଳେ ଧର୍ମଶାସ୍ତ୍ର ପଢ଼ିଲେ କେହି ଡାକ୍ତର କି ଇଞ୍ଜିନିୟର ହୋଇପାରିବେନି । ଆଧୁନିକ ବିଦ୍ୟା ପଢ଼ିବାକୁ ହେବ । ଇଲିୟାସୀଙ୍କର ଗୋଟିଏ ବଡ଼ ମଦ୍ରାସା ଅଛି । ସେଠାରେ ପିଲାମାନଙ୍କୁ ଅନ୍ୟ ପାଠ ପଢ଼ାଯିବା ସହିତ ସଂସ୍କୃତ ଶିକ୍ଷା ଦିଆଯାଉଛି । ବହୁ ହିନ୍ଦୁ ଧର୍ମଶାସ୍ତ୍ର ଉପରେ ଇଲିୟାସୀଙ୍କର ଦଖଲ ରହିଛି ।

 

ଗଣମାଧ୍ୟମକୁ ଇଲିୟାସୀ କହିଛନ୍ତି, ମୁସଲିମ ଲୋକମାନେ ଓୱେସୀ ଓ କଟ୍ଟରପନ୍ଥୀ ନେତାଙ୍କୁ ଉପେକ୍ଷା କଲେଣି । ମଦ୍ରାସା କ’ଣ ଚାଲିଛି, ଲୋକମାନେ ଜାଣିବା ଦରକାର । ମଦ୍ରାସାରେ କେବଳ ଧର୍ମଶାସ୍ତ୍ର ପଢ଼ା ଯାଏନା । ସମାଜକୁ ନୂତନ ଦିଗଦର୍ଶନ ଦିଆଯାଏ । ଧୀରେଧୀରେ ମୁସଲିମ ଲୋକଙ୍କ ମନରୁ ଆରଏସ୍‌ଏସ୍‌ ଭୟ ଦୂରେଇବା ଆରମ୍ଭ କରିଛି ।