ଜି – ୨୦ ପ୍ରସ୍ତୁତି ସମନ୍ୱୟ କମିଟିର ନବମ ବୈଠକ

୨୦୨୩ ଅଗଷ୍ଟ ୩୦ ତାରିଖରେ ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ଶାସନ ସଚିବ ଡଃ ପି. କେ. ମିଶ୍ରଙ୍କ ଅଧ୍ୟକ୍ଷତାରେ ଜି – ୨୦ ସମନ୍ୱୟ କମିଟିର ନବମ ବୈଠକ ଅନୁଷ୍ଠିତ ହୋଇଯାଇଛି । ନୂଆଦିଲ୍ଲୀରେ ଜି – ୨୦ ର ମୁଖ୍ୟ ସମ୍ମିଳନୀ ପାଇଁ ଲଜିଷ୍ଟିକ୍‌, ପ୍ରୋଟୋକଲ୍‌, ସୁରକ୍ଷା ଓ ଗଣମାଧ୍ୟମ ସମ୍ବନ୍ଧୀୟ ବ୍ୟବସ୍ଥା ସମ୍ପର୍କରେ ପ୍ରମୁଖ ଶାସନ ସଚିବ ସମୀକ୍ଷା କରିଛନ୍ତି । ଏହି ବୈଠକରେ ଜି -୨୦ ସଚିବାଳୟ ଏବଂ ବୈଦେଶିକ ବ୍ୟାପାର, ଗୃହ, ସଂସ୍କୃତି, ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏବଂ ଟେଲିକମ୍ ବିଭାଗର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

ଭାରତ ମଣ୍ଡପମ୍‌ର କ୍ଷେତ୍ର ଓ କାର୍ଯ୍ୟସ୍ଥଳୀରେ କାମ ସନ୍ତୋଷଜନକ ଭାବେ ଚାଲିଛି । ଏକ ଅନନ୍ୟ ଭାରତୀୟ ଅନୁଭୂତି ପାଇଁ ଭାରତ ମଣ୍ଡପମ୍‌ରେ ସଂସ୍କୃତି ଏବଂ ‘ଗଣତନ୍ତ୍ରର ମାତା’ ଭାରତ ଉପରେ ପ୍ରଦର୍ଶନୀ ଆୟୋଜନ କରାଯାଉଛି । ମୁଖ୍ୟ ଶାସନ ସଚିବ କାର୍ଯ୍ୟକ୍ରମ ସ୍ଥଳରେ ନଟରାଜ ପ୍ରତିମୂର୍ତ୍ତି ସ୍ଥାପନର ଅଗ୍ରଗତି ଏବଂ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ନେତା ମାନଙ୍କର ପତ୍ନୀମାନଙ୍କ ପାଇଁ ସ୍ୱତନ୍ତ୍ର ଭାବରେ ପ୍ରସ୍ତୁତ ହୋଇଥିବା କାର୍ଯ୍ୟକ୍ରମର ସମୀକ୍ଷା କରିଥିଲେ ।

ପ୍ରଥମ ଥର ପାଇଁ , ଜି- ୨୦ ପାଇଁ ‘ଜି- ୨୦ ଇଣ୍ଡିଆ’ ନାମକ ଏକ ମୋବାଇଲ୍ ଆପ୍ ପ୍ରସ୍ତୁତ କରାଯାଇଛି, ଯାହା ଏବେ ଉଭୟ ଆଣ୍ଡ୍ରଏଡ୍ ଓ ଆଇଓଏସ୍‌ରେ ଡାଉନ୍‌ଲୋଡ୍ ପାଇଁ ଉପଲବ୍ଧ । ଭାରତ ମଣ୍ଡପମ୍‌ରେ ପ୍ରତିଷ୍ଠା ହେବାକୁ ଥିବା ‘ଇନୋଭେସନ୍ ହବ୍‌’ (ନବସୃଜନ କେନ୍ଦ୍ର) ଏବଂ ‘ଡିଜିଟାଲ୍ ଇଣ୍ଡିଆ ଏକ୍ସପେରିମେଣ୍ଟାଲ ହବ୍‌’ (ଡିଜିଟାଲ୍ ଇଣ୍ଡିଆ ପରୀକ୍ଷଣ କେନ୍ଦ୍ର) ଜରିଆରେ ଜି- ୨୦ ପ୍ରତିନିଧି ଓ ଗଣମାଧ୍ୟମର ସଦସ୍ୟମାନେ ଡିଜିଟାଲ୍ ଇଣ୍ଡିଆକୁ ପ୍ରତ୍ୟକ୍ଷ ଭାବେ ଦେଖିବେ ।

ଲଜିଷ୍ଟିକ ଦୃଷ୍ଟିକୋଣରୁ ଡ୍ରିଲ୍ ଆୟୋଜନ କରାଯିବା ସହ ଆଗାମୀ ଦିନରେ ଡ୍ରେସ୍ ରିହର୍ସାଲ୍ କରିବାକୁ ଯୋଜନା କରାଯାଇଛି । ସମ୍ପୃକ୍ତ ଅଧିକାରୀମାନେ ସୁରକ୍ଷା ଦିଗ ସମ୍ପର୍କରେ ପ୍ରମୁଖ ଶାସନ ସଚିବଙ୍କୁ ଅବଗତ କରାଇଥିଲେ । ଜନସାଧାରଣଙ୍କ ପାଇଁ ଟ୍ରାଫିକ୍ ନିର୍ଦ୍ଦେଶାବଳୀ ଜାରି କରାଯାଇଛି । ସୁରକ୍ଷା ଓ ପ୍ରୋଟୋକଲ କାରଣରୁ କଟକଣା ଜାରି କରା ଯାଉଥିଲେ ମଧ୍ୟ ଜନସାଧାରଣ ଯେପରି ସର୍ବନିମ୍ନ ଅସୁବିଧାର ସମ୍ମୁଖୀନ ହେବେ ସେଥିପାଇଁ ପ୍ରୟାସ କରାଯିବା ଉଚିତ୍ ବୋଲି ପ୍ରମୁଖ ସଚିବ ଗୁରୁତ୍ୱାରୋପ କରିଥିଲେ । ସହରରେ ଅତ୍ୟାବଶ୍ୟକ ସେବା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ଟ୍ରାଫିକ୍ କଟକଣା ସମ୍ପର୍କିତ ଯୋଗାଯୋଗକୁ ଅଧିକ ଉପଭୋକ୍ତା ଅନୁକୂଳ କରାଯିବ ।

ଶିଖର ସମ୍ମିଳନୀ ପାଇଁ ଗଣମାଧ୍ୟମ ବ୍ୟବସ୍ଥାର ମଧ୍ୟ ସମୀକ୍ଷା କରାଯାଇଥିଲା । ବର୍ତ୍ତମାନ ସୁଦ୍ଧା ବିଦେଶୀ ଗଣମାଧ୍ୟମକୁ ମିଶାଇ ୩୬୦୦ରୁ ଅଧିକ ଅନୁରୋଧ ଗ୍ରହଣ କରାଯାଇଛି ଏବଂ ମାନ୍ୟତା ପତ୍ର ଜାରି କରାଯାଉଛି । ଚଳିତ ସପ୍ତାହ ଶେଷ ସୁଦ୍ଧା ଭାରତ ମଣ୍ଡପମ୍‌ରେ ଥିବା ମିଡିଆ କେନ୍ଦ୍ର ସମ୍ପୂର୍ଣ୍ଣ ପ୍ରସ୍ତୁତ ହୋଇଯିବ ।

ଏକ ନିରପେକ୍ଷ ଶିଖର ସମ୍ମିଳନୀ ଆୟୋଜନ ପାଇଁ ଯଥାସମ୍ଭବ ପ୍ରୟାସ କରିବାକୁ ପ୍ରମୁଖ ଶାସନ ସଚିବ ସମସ୍ତ ସଂପୃକ୍ତ ଅଧିକାରୀ ଓ ସଂଗଠନ ମୁଖ୍ୟ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ବିଭିନ୍ନ ଏଜେନ୍ସି ମଧ୍ୟରେ ସୁରୁଖୁରୁରେ ସମନ୍ୱୟ ରକ୍ଷା ପାଇଁ ଭାରତ ମଣ୍ଡପରେ ଏକ ମଲ୍ଟି ଏଜେନ୍ସି କଣ୍ଟ୍ରୋଲ ରୁମ୍ ପ୍ରତିଷ୍ଠା କରିବାକୁ ନିଷ୍ପତ୍ତି ହୋଇଥିଲା । ଆସନ୍ତା କିଛି ଦିନ ଧରି ପ୍ରମୁଖ ଶାସନ ସଚିବ କ୍ଷେତ୍ର ଓ ସ୍ଥଳ ପରିଦର୍ଶନ କରି କାର୍ଯ୍ୟସ୍ଥଳୀରେ ପ୍ରସ୍ତୁତି ସ୍ଥିତି ଯାଞ୍ଚ କରିବେ ।