ନେହୁରୁଙ୍କ ବିରାଟ ଭୁଲରୁ ଜନ୍ମନେଲା ପିଓକେ

ନୂଆଦିଲ୍ଲୀ: ସଂସଦର ଶୀତକାଳୀନ ଅଧିବେଶନର ତୃତୀୟ ଦିବସ । ଲୋକସଭାରେ ଜମ୍ମୁ-କଶ୍ମୀର ଆରକ୍ଷଣ (ସଂଶୋଧନ) ବିଲ ଓ ଜମ୍ମୁ-କଶ୍ମୀର ପୁନର୍ଗଠନ (ସଂଶୋଧନ) ବିଲ ଅନୁମୋଦନ ଲାଭ କରିଛି । ଆଲୋଚନାରେ ଯୋଗଦାନ କରି ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହୁରୁଙ୍କ କଥା ଉଠାଇଥିଲେ । ନେହୁରୁ ଶେଖ ଅବଦୁଲ୍ଲାଙ୍କ ନିକଟକୁ ଗୋଟିଏ ଚିଠି ଲେଖି ସେଥିରେ ଉଲ୍ଲେଖ କରିଥିଲେ ଯେ କଶ୍ମୀର ପ୍ରସଙ୍ଗକୁ ମିଳିତ ଜାତିସଂଘକୁ ନେଇଯିବା ବିରାଟ ବଡ଼ ଭୁଲ ଥିଲା । ଶାହଙ୍କ ବିବୃତି ଶୁଣିବା ପରେ କଂଗ୍ରେସ ହଙ୍ଗାମା ସୃଷ୍ଟି କରିଥିଲା ।

ଶାହ ଆହୁରି କହିଥିଲେ, କଶ୍ମୀରରେ ସେନା ଜିତୁଥିବା ସମୟରେ ହଠାତ୍‌ ଅସ୍ତ୍ରବିରତି ଘୋଷଣା କରାଗଲା । ନେହୁରୁଙ୍କ ସାମାନ୍ୟ ଭୁଲ କାରଣରୁ ପାକିସ୍ତାନ ଦଖଲ କରିଥିବା ଅଂଚଳଟି କଶ୍ମୀର (ପିଓକେ) ବୋଲାଇଲା । ଦେଶରୁ ଗୋଟିଏ ଅଂଶ ହାତରୁ ଚାଲିଯିବା ନେହୁରୁଙ୍କ ଗଲତି ଥିଲା ।

ସୌଭାଗ୍ୟର ବିଷୟ, ଜମ୍ମୁ-କଶ୍ମୀର ପ୍ରସଙ୍ଗରେ ଆଗତ ବିଲକୁ କେନ୍ଦ୍ର କରି ଲୋକସଭାରେ କୌଣସି ବିରୋଧୀ ଦଳ ଦୀର୍ଘ ୬ ଘଂଟା କାଳ ବିତର୍କ କରିଥିଲା । ବିଲକୁ କେହିକେହି ପୁରୁଣା କହି କେବଳ ନାମ ବଦଳାଇ ଦିଆଯାଇଥିବା ଯୁକ୍ତି କରିଥିଲେ । କଥା ପ୍ରସଙ୍ଗରେ ଅମିତ କହିଥିଲେ, ସାହାଯ୍ୟ ବଦଳରେ ସମ୍ମାନ ହିଁ ବ୍ୟକ୍ତିକୁ ଆଗକୁ ଯିବା ପାଇଁ ବାଟ କଢ଼ାଇଥାଏ ।