ଦେଶରେ ବଢ଼ିବ ଦାରିଦ୍ର୍ୟ

ନୂଆଦିଲ୍ଲୀ : ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଏବଂ ବାୟୁମଣ୍ଡଳର ଉଷ୍ମତା ବୃଦ୍ଧି କାରଣରୁ ଭାରତୀୟ କୃଷି ଉପରେ ତାହାର ପ୍ରତିକୂଳ ପ୍ରଭାବ ପଡ଼ିବ। କୃଷି ସହିତ ଶିଳ୍ପ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହେଉଛି। ଏହି କାରଣରୁ ଦେଶରେ ଦାରିଦ୍ର୍ୟ ହାର ବୃଦ୍ଧିପାଇବ ବୋଲି ଜଳବାୟୁ ପରିବର୍ତ୍ତନ ଉପରେ ଗଠିତ ଏକ ଆନ୍ତଃସରକାରୀ ମଣ୍ଡଳୀ ସତର୍କ କରାଇ ଦେଇଛନ୍ତି।

ଜାତିସଂଘ ଦ୍ୱାରା ଗଠିତ ଏହି ମଣ୍ଡଳୀର ରିପୋର୍ଟ ‘ସାଇନ୍ସ ଅନ କ୍ଲାଇମେଟ ଚେଞ୍ଜ’ରେ କୁହାଯାଇଛି,ବିଶ୍ୱ ତାପମାତ୍ରା ବୃଦ୍ଧିର ପ୍ରଭାବ ଅଧିକରୁ ଅଧିକ ହେବାରେ ଲାଗିଛି ଏବଂ ତାହା ବିସ୍ତାରିତ ହେଉଛି। ଏହାଦ୍ୱାରା ହେଉଥିବା କେତେକ ପରିବର୍ତ୍ତନକୁ ଆଉ ସୁଧାରିବା ସମ୍ଭବ ନୁହେଁ। ଏଥିରେ କୁହାଯାଇଛି ଯେ ଜଳବାୟୁ ପରିବର୍ତ୍ତନ କାରଣରୁ ମୌସୁମୀ ଧାରାରେ ପରିବର୍ତ୍ତନ,ସମୁଦ୍ରର ଜଳପତନ ବୃଦ୍ଧି, ଅସହ୍ୟ ଗ୍ରୀଷ୍ମ ପ୍ରବାହ, ଭୟଙ୍କର ଝଡବାତ୍ୟା, ବନ୍ୟା ଏବଂ ବରଫ ସ୍ରୋତ ତରଳିବା ଘଟଣା ବୃଦ୍ଧିପାଉଛି। ଏହାର ପ୍ରଭାବ କୃଷି କ୍ଷେତ୍ରରେ ଅଧିକ ପରିଲକ୍ଷିତ ହେଉଛି। ଏଥିରେ କୁହାଯାଇଛି, ତାପମାତ୍ରା ବୃଦ୍ଧି କାରଣରୁ ଭାରତୀୟ କୃଷି କ୍ଷେତ୍ରରେ ଅଧିକରୁ ଅଧିକ ନିବେଶ କରିବାକୁ ପଡୁଛି।
ଭାରତୀୟ କୃଷି ଗବେଷଣା ପରିଷଦ (ଆଇସିଏଆର) ପକ୍ଷରୁ ସମ୍ପ୍ରତି ଚାଲିଥିବା ଅଧ୍ୟୟନରୁ ଜଣାଯାଇଛି, ଭାରତୀୟ କୃଷି ସମ୍ପ୍ରତି ୩୦% ଅଧିକ ଜଳ ଆବଶ୍ୟକ କରୁଛି। କାରଣ ତାପମାତ୍ରା ବୃଦ୍ଧି କାରଣରୁ ବାଷ୍ପିକରଣ ପ୍ରକ୍ରିୟାରେ କୃଷି କ୍ଷେତ୍ରରୁ ଶୀଘ୍ର ଜଳ ଶୁଖିଯାଉଛି ଏବଂ କମ୍‍ ଦିନରେ ଅମଳ ଭଳି କାରଣରୁ ଫସଲ ପାଇଁ ଅଧିକ ଜଳ ଆବଶ୍ୟକ ପଡୁଛି। ବିଶେଷକରି ଆନ୍ଧ୍ରପ୍ରଦେଶ, ପଞ୍ଜାବ ଓ ରାଜସ୍ଥାନ ଭଳି ରାଜ୍ୟରେ ଏଭଳି ପରିସ୍ଥିତି ଲକ୍ଷ୍ୟ କରାଯାଉଛି।

ଗ୍ରୀଷ୍ମ କାଳରେ ତାପମାତ୍ରା ୧ ଡିଗ୍ରୀ ସେଲସିୟସ ବୃଦ୍ଧିପାଇଲେ ବୟନ କାରଖାନାଗୁଡିକରେ ଉତ୍ପାଦନ ୪% ହ୍ରାସ ପାଉଥିବା ଏହି ଅଧ୍ୟୟନରୁ ଜଣାଯାଇଛି। ତାହା ସହିତ ୧ ଡିଗ୍ରୀ ସେଲସିୟସ ତାପମାତ୍ରା ବୃଦ୍ଧି ଦ୍ୱାରା ଭାରତୀୟ କଳ କାରଖାନାଗୁଡିକର ରାଜସ୍ୱ ୨% ହ୍ରାସ ପାଉଥିବା ଜଣାଯାଇଛି। ଭାରତ ସରକାର ଇତିମଧ୍ୟରେ ଜଳବାୟୁ ପରିବର୍ତ୍ତନ ପରିସ୍ଥିତିର ମୁକାବିଲା କରିବାକୁ କେତେକ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ସେଥିମଧ୍ୟରେ କୃଷକଙ୍କୁ ସହାୟତା ପାଇଁ ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା, ସିଞ୍ଚାଇ ଯୋଜନା (ଜଳସେଚନ) ଏବଂ ଗ୍ରାମାଞ୍ଚଳ ନିଯୁକ୍ତି ଗ୍ୟାରେଣ୍ଟି ଯୋଜନା (ମନରେଗା) ଆଦି ଅନ୍ୟତମ। କିନ୍ତୁ ସେଗୁଡିକର ବାସ୍ତବ ରୂପାୟନ କ୍ଷେତ୍ରରେ ସମସ୍ୟା ରହୁଛି। ଏହି ସମସ୍ତ କାରଣରୁ ଦେଶରେ ଦାରିଦ୍ର୍ୟ ବୃଦ୍ଧିପାଇବା ନେଇ ରିପୋର୍ଟରେ ଅନୁମାନ କରାଯାଇଛି।