ଆମେରିକାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଦମ୍‌

ମଙ୍ଗଳବାର ରାତି ପ୍ରାୟ ୧୦ଟାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାରେ ପହଂଚିଲେ । ନ୍ୟୁୟର୍କର ଜନ୍‌ ଏଫ୍‌ କେନେଡ଼ି ଏୟାରପୋର୍ଟରେ ତାଙ୍କୁ ସ୍ୱାଗତ କଲେ ଆମେରିକାର ମୁଖ୍ୟ ପ୍ରୋଟୋକଲ ଅଧିକାର ରୁଫ୍‌ସ ଗିଫର୍ଡ । ଭାରତ ସ୍ୱାଧିନତା ଲାଭ କରିବା ପରେ ୯ ଜଣ ପ୍ରଧାନମନ୍ତ୍ରୀ ଆମେରିକାକୁ ୩୪ ଥର ଗସ୍ତ କରିଛନ୍ତି । ସେମାନଙ୍କ ଭିତରୁ ପ୍ରଧାନମନ୍ତ୍ରୀ ମୋଦି ତୃତୀୟ ପ୍ରଧାନମନ୍ତ୍ରୀ ଯାହାଙ୍କୁ ଆମେରିକାର ତିନିଜଣ ରାଷ୍ଟ୍ରପତି ପୃଥକ ପୃଥକ ଭାବେ ସ୍ୱାଗତ କରିଛନ୍ତି । ମୋଦିଙ୍କ ପୂର୍ବରୁ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହରଲାଲ ନେହୁରୁ ଓ ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ମଧ୍ୟ ତିନିଜଣ ଆମେରିକା ରାଷ୍ଟ୍ରପତି ସ୍ୱାଗତ କରିଥିଲେ ।

Washington DC
Washington DC

ଆମେରିକା ହ୍ୱାଇଟ୍‌ ହାଉସ ନିୟମ ମୁତାବକ ଜଣେ ରାଷ୍ଟ୍ରପତି ତାଙ୍କର ଚାରିବର୍ଷ କାର୍ଯ୍ୟକାଳ ଭିତରେ ଯେକୌଣସି ରାଷ୍ଟ୍ରମୁଖ୍ୟଙ୍କୁ ମାତ୍ର ଥରେ ଆମନ୍ତ୍ରଣ କରିପାରିବେ । ମାତ୍ର ଆମେରିକା ରାଷ୍ଟ୍ରପତି ଜୋଏ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦ୍ୱିତୀୟ ଥର ପାଇଁ ଅଫିସିଆଲି ଆମନ୍ତ୍ରଣ କରିଛନ୍ତି ।

୨୦୧୪ ସେପ୍ଟେମ୍ବରରେ ଆମେରିକାର ତକ୍ରାଳୀନ ରାଷ୍ଟ୍ରପତି ବାରାକ ଓବାମା ଓ ୨୦୧୭ରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରିଥିଲେ । ଏବେ ରାଷ୍ଟ୍ରପତି ଜୋଏ ବାଇଡେନ୍‌ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସ୍ୱାଗତ କରିଛନ୍ତି ।

ଦେଖିବାକୁ ଗଲେ ପ୍ରଧାନମନ୍ତ୍ରୀ ମୋଦି ଏ ଯାଏ ୮ ଥର ଆମେରିକା ଗସ୍ତ କରିଛନ୍ତି । ମାତ୍ର ପ୍ରଥମ ଥର ତାଙ୍କୁ ଦେଶର ଅତିଥି ଭାବେ ବିଧି ମୁତାବକ ଡକାଯାଇଛି । ୟା’ ପୂର୍ବରୁ ପ୍ରାୟ ୧୪ ବର୍ଷ ତଳେ ୨୦୦୯ରେ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କୁ ଔପଚାରିକ ଭାବେ ଆମେରିକାକୁ ଆମନ୍ତ୍ରଣ କରାଯାଇଥିଲା । ୧୯୬୩ରେ ରାଷ୍ଟ୍ରପତି ସର୍ବପଲ୍ଲୀ ରାଧାକୃଷ୍ଣନ ସରକାରୀ ଅତିଥି ଭାବେ ପ୍ରଥମ ଥର ଆମେରିକାକୁ ଯାତ୍ରା କରିଥିଲେ ।

ଆମେରିକାର ପରମ୍ପରା ଅନୁସାରେ ଷ୍ଟେଡ୍‌ ପରିଦର୍ଶନ ପାଇଁ ଯେକୌଣସି ଦେଶର ମୁଖ୍ୟଙ୍କୁ ରାଷ୍ଟ୍ରପତି ଅବା ରାଜା ଅବା ରାଣୀଙ୍କୁ ଡକା ଯାଇଥାଏ । ମାତ୍ର ମନମୋହନ ଓ ମୋଦିଙ୍କ କ୍ଷେତ୍ରରେ ସାମାନ୍ୟ ବଦଳାଇ ଦିଆଯାଇଥିଲା ।
ପ୍ରଧାନମନ୍ତ୍ରୀ ମୋଦି ହେଉଛନ୍ତି ସେହି ସୌଭାଗ୍ୟଶାଳୀ ବ୍ୟକ୍ତିତ୍ୱ ଯେ ଆମେରିକା ସଂସଦକୁ ଦୁଇବାର ଅଭିଭାଷଣ ଦେଇଛନ୍ତି । ତାଙ୍କ ପୂର୍ବରୁ ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଆମେରିକା ସଂସଦକୁ ତିନିଥର ଅଭିଭାଷଣ ପ୍ରଦାନ କରିଛନ୍ତି । ୨୦୨୨ ଡିସେମ୍ବରରେ ୟୁକ୍ରେନ ରାଷ୍ଟ୍ରପତି ବୋଲୋଡିମିର ଜେଲେନସ୍କି ଆମେରିକା କଂଗ୍ରେସକୁ ଉଦବୋଧନ ପ୍ରଦାନ କରିଥିଲେ ।