ନୂଆଦିଲ୍ଲୀ ଠାରେ ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣ

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି (୦୩.୧୧.୨୦୨୨) ନୂଆଦିଲ୍ଲୀ ଠାରେ କେନ୍ଦ୍ରୀୟ ଦୁର୍ନୀତି ନିବାରଣ ଆୟୋଗ ପକ୍ଷରୁ ଆୟୋଜିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ କାର୍ଯ୍ୟକ୍ରମରେ ଉଦବୋଧନ ଦେଇଛନ୍ତି । ଏହି ଅବସରରେ ସେ ଆୟୋଗର ଅଭିଯୋଗ ପରିଚାଳନା ପୋର୍ଟାଲ ମଧ୍ୟ ଆରମ୍ଭ କରିଛନ୍ତି ।

ସମବେତ ଅତିଥିମାନଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ସର୍ଦ୍ଦାର ପଟେଲଙ୍କ ଜନ୍ମ ଦିବସ ଠାରୁ ଆରମ୍ଭ ହୋଇଛି । “ସର୍ଦ୍ଦାର ପଟେଲଙ୍କ ସମଗ୍ର ଜୀବନ ସାଧୁତା, ସ୍ୱଚ୍ଛତା ଓ ଏହିସବୁ ଗୁଣକୁ ନେଇ ଜନସେବା ପଦ୍ଧତି ବିକାଶ କରିବା ନିମନ୍ତେ ଉଦ୍ଦିଷ୍ଟ ଥିଲା” ବୋଲି ସେ କହିଛନ୍ତି । ସଚେତନତା ଓ ସତର୍କତା ପାଇଁ ଚାଲିଥିବା ଅଭିଯାନ ଏହିସବୁ ନୀତିଗୁଡ଼ିକ ଉପରେ ପର୍ଯ୍ୟବସିତ । ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ଅଭିଯାନ ଏକ ଦୁର୍ନୀତିମୁକ୍ତ ଭାରତ ଗଠନର ସ୍ୱପ୍ନ ଓ ଉତ୍ସାହକୁ ନେଇ କରାଯାଉଛି ଓ ଏହାର ଗୁରୁତ୍ୱ ପ୍ରତ୍ୟେକ ନାଗରିକ ଜୀବନରେ ରହିଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ ଏକ ଉନ୍ନତ ଭାରତ ନିମନ୍ତେ ଆସ୍ଥା ଓ ବିଶ୍ୱାସ ଖୁବ ତାତ୍ପର୍ଯ୍ୟପୂର୍ଣ୍ଣ । ସରକାରଙ୍କ ଉପରେ ଆସ୍ଥା ଜନସାଧାରଣଙ୍କ ଆତ୍ମ ବିଶ୍ୱାସ ବୃଦ୍ଧି କରିଥାଏ । ପୂର୍ବ ସରକାରଗଣ ଲୋକମାନଙ୍କ ଆସ୍ଥା ହରାଇବା ସହ ସେମାନଙ୍କୁ ବିଶ୍ୱାସରେ ମଧ୍ୟ ନ ନେଇଥିବାରୁ ପ୍ରଧାନମନ୍ତ୍ରୀ ଏହାର ସମାଲୋଚନା କରିଥିଲେ । ଦୀର୍ଘ ବର୍ଷ ଧରି ଚଳିଆସିଥିବା ଦାସତ୍ୱ ଦୁର୍ନୀତି, ଶୋଷଣ ଓ ସମ୍ପଦ ଉପରେ ଅଧିକାର ଇତ୍ୟାଦି ସ୍ୱାଧୀନତା ପରେ ମଧ୍ୟ ଦୁର୍ଭାଗ୍ୟଜନକ ଭାବେ ଅଧିକ ଶକ୍ତିଶାଳୀ ହେଲା । ଦାସତ୍ୱ ଅନୂନ୍ୟ ଚାରି ପିଢ଼ିକୁ ଘୋର କ୍ଷତି ପହଂଚାଇଥିଲା । “ଯୁଗ ଯୁଗ ଧରି ରହିଥିବା ଏଭଳି ଚଳଣିକୁ ଆମେ ସମ୍ପୂର୍ଣ୍ଣ ଭାବେ ସ୍ୱାଧୀନତାର ଅମୃତ କାଳରେ ପରିବର୍ତ୍ତନ କରିବା” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦୁର୍ନୀତି ନେଇ ପ୍ରଧାନମନ୍ତ୍ରୀ ଲାଲକିଲ୍ଲାର ପ୍ରାଚୀର ଉପରୁ କରିଥିବା ଘୋଷଣାର ନଜିର ଦେଇ ଜନସାଧାରଣଙ୍କ ପ୍ରଗତି ଓ ଦୁର୍ନୀତିର ଦୁଇଟି ମୁଖ୍ୟ କାରଣ ସୁଖ ସ୍ୱାଚ୍ଛନ୍ଦ୍ୟର ଅଭାବ ଓ ସରକାରଙ୍କ ପକ୍ଷରୁ ଅନାବଶ୍ୟକ ଚାପ ବୋଲି କହିଥିଲେ । ଦୀର୍ଘ ଦିନ ଧରି ଏହି ସୁଖ ସୁବିଧାର ଅଭାବ ଜାଣିଶୁଣି ବଳବତ୍ତର ରଖାଯିବା ଯୋଗୁ ଅର୍ଥ ପାଇଁ ଏକ ଅସ୍ୱାସ୍ଥ୍ୟକର ପ୍ରତିଯୋଗିତା ହେବାରେ ଲାଗିଲା । ଏହି ଦୌଡ଼ ଦୁର୍ନୀତିର ବାତାବରଣକୁ ଅଧିକ ରୁଦ୍ଧିମନ୍ତ କଲା । ଅଭାବ କଷଣଜନିତ ଦୁର୍ନୀତି ଗରୀବ ଓ ମଧ୍ୟବିତ୍ତ ଶ୍ରେଣୀକୁ ସବୁଠାରୁ ଅଧିକ ପ୍ରଭାବିତ କଲା। “ଯଦି ଗରୀବ ଓ ମଧ୍ୟବତ୍ତି ଶ୍ରେଣୀ ମୌଳିକ ଆବଶ୍ୟକତା ପୂରଣ ଦିଗରେ ସମସ୍ତ ଶକ୍ତି ଲଗାଇବେ ତେବେ ଦେଶ କିପରି ପ୍ରଗତି କରିବ” ବୋଲି ପ୍ରଧାନମନ୍ତ୍ରୀ ପଚାରିଥିଲେ । “ସେଥିପାଇଁ ପ୍ରଧାନମନ୍ତ୍ରୀ କହିଥିଲେ ଯେ “ଆମେ ଏହି ଅଭାବ ଅସୁବିଧା ଦୂର କରିବା ପାଇଁ ଦୀର୍ଘ ଆଠ ବର୍ଷ ଧରି ଚେଷ୍ଟା କରୁଛୁ । ସରକାର ଯୋଗାଣ ଓ ଚାହିଦା ମଧ୍ୟରେ ଥିବା ବ୍ୟବଧାନକୁ ଦୂର କରିବାକୁ ଚେଷ୍ଟା କରୁଛନ୍ତି । ଏହାକୁ ହାସଲ କରିବା ପାଇଁ ଯେଉଁ ତିନିଟି ରାସ୍ତା ବଛାଯାଇଛି ସେଗୁଡ଼ିକ ହେଲା – ପ୍ରଯୁକ୍ତିବିଦ୍ୟାର ପ୍ରସାର, ମୌଳିକ ଆବଶ୍ୟକ ସମ୍ପୂର୍ଣ୍ଣ ସ୍ତରକୁ ଦେବା ଓ ଶେଷରେ ଆତ୍ମ ନିର୍ଦ୍ଧାରଣ ଅଭିମୁଖେ ଅଭିଯାନ ।”

ପ୍ରଯୁକ୍ତିବିଦ୍ୟାର ଉପଯୋଗ ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ସାଧାରଣ ବଣ୍ଟନ ବ୍ୟବସ୍ଥା (ପିଡିଏସ)କୁ ପ୍ରଯୁକ୍ତି ସହ ଯୋଡ଼ିଯିବା ଯୋଗୁ ଅଯୋଗ୍ୟ ହିତାଧିକାରୀଙ୍କ ପାଖକୁ ଯିବାରୁ ପ୍ରାୟ ଦୁଇ ଲକ୍ଷ କୋଟି ଟଙ୍କାରୁ ଅଧିକ ବଂଚାଯାଇପାରିଛି । ଏହାଛଡ଼ା ପ୍ରତ୍ୟକ୍ଷ ପୁଞ୍ଜି ହସ୍ତାନ୍ତର (ଡିବିଟି) ପଦ୍ଧତି ଯୋଗୁ ଏହି ଅର୍ଥ ପ୍ରକୃତ ହିତାଧିକାରୀଙ୍କ ପାଖକୁ ଯାଇଛି । ସେହିପରି ସ୍ୱଚ୍ଛ ଡିଜିଟାଲ ଦେଶ ଦେଶ ଓ ଜିଇଏମ ଜରିଆରେ ସ୍ୱଚ୍ଛ ସରକାରୀ ଆହରଣ ଅନେକ ପରିବର୍ତ୍ତନ ଆଣିପାରିଛି । ମୌଳିକ ସୁବିଧା ସମ୍ପୂର୍ଣ୍ଣ ପହଂଚାଇବା ନେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ ସରକାରୀ ଯୋଜନାର ସମ୍ପୂର୍ଣ୍ଣ ଲାଭ ପାଇଲେ ସମାଜରେ ବାଛବିଚାର ଦୂର ହେବା ସହ ଦୁର୍ନୀତିର ପରିସର ମଧ୍ୟ ଲୋପ ପାଇଥାଏ । ସମ୍ପୂର୍ଣ୍ଣ ଯୋଜନା ସୁବିଧା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ ଜଳ ସଂଯୋଗ, ପକ୍କା ଘର, ବିଜୁଳି ଓ ଗ୍ୟାସ ପାଇପ ଉଦାହରଣ ଦେଇଥିଲେ ।

ବିଦେଶୀ ସାମଗ୍ରୀ ଉପରେ ଅଧିକ ନିର୍ଭରଶୀଳ ମଧ୍ୟ ଦୁର୍ନୀତିର ଏକ କାରଣ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ସରକାରଙ୍କ ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭରଶୀଳତା ଉପରେ ଆଲୋକପାତ କରି କହିଥିଲେ, ଯେତେବେଳେ ଭାରତ ନିଜସ୍ୱ ପ୍ରତିରକ୍ଷା ଉପକରଣ, ଯେପରିକି ରାଇଫଲ ଠାରୁ ଆରମ୍ଭ କରି ଯୁଦ୍ଧ ଓ ପରିବହନ ବିମାନ ପର୍ଯ୍ୟନ୍ତ ନିର୍ମାଣ କରିବ ସେତେବେଳେ ଦୁର୍ନୀତି ସମ୍ଭାବନା ଆପେ ଆପେ ଦୂରେଇଯିବ ।

ସିଭିସି ଏପରି ଏକ ସଂସ୍ଥା ତାହା ସମସ୍ତଙ୍କ ସ୍ୱଚ୍ଛତା ସୁନିଶ୍ଚିତ ନୀତିକୁ ପ୍ରୋତ୍ସାହିତ କରିଥାଏ ବୋଲି କହି ପ୍ରଧାନମନ୍ତ୍ରୀ ଗତଥର କହିଥିବା ‘ଦୁର୍ନୀତି ପ୍ରତିଷେଧକ’ ସିଭିସି କାର୍ଯ୍ୟକାରୀ କରିଥିବାରୁ ଏହାର ପ୍ରଶଂସା କରିଥିଲେ । ପ୍ରଧାନମନ୍ତ୍ରୀ ଦୁର୍ନୀତି ନିବାରଣ ସଂସ୍ଥାକୁ ସେମାନଙ୍କ ହିସାବକିତାବ ସମୀକ୍ଷା ଓ ନିରୀକ୍ଷଣର ଆଧୁନିକୀକରଣ ନେଇ ଚିନ୍ତା କରିବାକୁ ପରାମର୍ଶ ଦେଇଥିଲେ । “ସରକାର ଦୁର୍ନୀତି ନେଇ ଯେଉଁ ଆଭିମୁଖ୍ୟ ରଖିଛନ୍ତି, ତାହାସବୁ ବିଭାଗରେ ପ୍ରତିଫଳିତ ହେବା ଆବଶ୍ୟକ । ଉନ୍ନତ ଭାରତ ପାଇଁ ଆମକୁ ଶୂନ୍ୟ ସହନଶୀଳତା ଦୁର୍ନୀତିର ପ୍ରଶାସନିକ ବାତାବରଣ ସୃଷ୍ଟି କରିବାକୁ ପଡ଼ିବ” ବୋଲି ସେ କହିଥିଲେ । ପ୍ରଧାନମନ୍ତ୍ରୀ ଦୁର୍ନୀତି ସମ୍ପର୍କିତ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦିଷ୍ଟ ସମୟ ସୀମା ମଧ୍ୟରେ ସମ୍ପୂର୍ଣ୍ଣ କରିବା ପଦ୍ଧତି ଅନୁସରଣ କରିବା ଉପରେ ପରାମର୍ଶ ଦେଇଥିଲେ । ସେ ମଧ୍ୟ ଅପରାଧିକ ମାମଲାଗୁଡ଼ିକର ନିରବଚ୍ଛିନ୍ନ ଅନୁଧ୍ୟାନ ପାଇଁ ପ୍ରସ୍ତାବ ଦେବା ସହ ରାଙ୍କିଙ୍ଗ ଅନୁସାରେ ବିଭାଗୀୟ ଦୁର୍ନୀତି ମାମଲାଗୁଡ଼ିକର ତତନ୍ତ ଅଗ୍ରଗତି ନେଇ ମାସିକ ବା ତ୍ରେମାସିକ ଭିତ୍ତିରେ ପ୍ରକାଶ କରିବା ଉପରେ ଗୁରୁତ୍ୱଆରୋପ କରିଥିଲେ । ପ୍ରଯୁକ୍ତିଜ୍ଞାନ ଉପଯୋଗ କରି ଦୁର୍ନୀତି ମାମଲା ନିଷ୍ପାଦନ ଉପରେ କହିଥିଲେ । ଜନସାଧାରଣଙ୍କ ଆପତ୍ତି ଅଭିଯୋଗର ତଥ୍ୟର ଅନୁଶୀଳନ କଲେ ଆମେ ସମ୍ପୃକ୍ତ ବିଭାଗର ଦୁର୍ନୀତିର ମୂଳ କାରଣ ନିର୍ଦ୍ଧାରଣ କରିପାରିବା ବୋଲି ସେ କହିଥିଲେ ।

ଦୁର୍ନୀତି ଉପରେ ନଜର ରଖିବା ପାଇଁ ଏହି କାର୍ଯ୍ୟରେ ସାଧାରଣ ନାଗରିକଙ୍କ ଅଂଶଗ୍ରହଣ ଉପରେ ସେ ଗୁରୁତ୍ୱାରୋପ କରିଥିଲେ । “ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଯେତେ ଶକ୍ତିଶାଳୀ ହେଉ ନା କାହିଁକି ସେମାନଙ୍କୁ କୌଣସିମତେ ବଂଚାଇବା ଉଚିତ ନୁହେଁ ଓ ଏହା ଆପଣଙ୍କ ଭଳି ସଂଗଠନର ଦାୟିତ୍ୱ । କୌଣସି ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ରାଜନୈତିକ, ସାମାଜିକ ସମର୍ଥନ ପାଇବା ଅନୁଚିତ୍ । ପ୍ରତ୍ୟେକ ଦୁର୍ନୀତିଗସ୍ତ ବ୍ୟକ୍ତି ସମାଜ ଆଗରେ ଉପସ୍ଥାପିତ ହେବା ଦରକାର ଓ ସେଥିପାଇଁ ଏକ ବାତାବରଣର ମଧ୍ୟ ଆବଶ୍ୟକତା ଅଛି ବୋଲି ସେ କହିଥିଲେ । ଏକ ବିଚଳିତ କରୁଥିବା ଭଳି ଧାରା ଉପରେ ଆଲୋକପାତ କରି ସେ କହିଥିଲେ ଯେ ଦୁର୍ନୀତି ପ୍ରମାଣିତ ହୋଇ କାରାବାସ ପରେ ମଧ୍ୟ ଦୁର୍ନୀତିଗ୍ରସ୍ତ ବ୍ୟକ୍ତି ଗୌରବମଣ୍ଡନ ହେବା ଦେଖାଯାଉଛି । ଏହା ଭାରତୀୟ ସମାଜ ପାଇଁ ଆଦୌ ଠିକ ନୁହଁ । ଆଜି ମଧ୍ୟ ଦୋଷୀ ସାବ୍ୟସ୍ତ କେତେକଙ୍କ ସପକ୍ଷରେ ଅନେକ ବ୍ୟକ୍ତି ଯୁକ୍ତି ବାଢୁଛନ୍ତି । ସମାଜ ପକ୍ଷରୁ ସେମାନଙ୍କ କର୍ତ୍ତବ୍ୟ ସମ୍ପର୍କରେ ସଚେତନ କରାଇବା ଆବଶ୍ୟକ । ଏସବୁ ବ୍ୟକ୍ତି ବିଶେଷଙ୍କ ପାଇଁ ଆପଣଙ୍କ ବିଭାଗ ଠିକଣା ପଦକ୍ଷେପ ଦେବାର ଆବଶ୍ୟକତା ରହିଛି ।” ଦୁର୍ନୀତି ଓ ଦୁର୍ନୀତିଗ୍ରସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ପଦକ୍ଷେପ ଦେଇଥିବା ସିଭିସି ଭଳି ସଂଗଠନ କୌଣସିମତେ ରକ୍ଷଣାତ୍ମକ ନହେବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାରୋପ କରିଥିଲେ । କୌଣସି ରାଜନୀତିକ ଅଭିସନ୍ଧି ରଖି କାର୍ଯ୍ୟ କରିବା ଉପରେ ସେ ଗୁରୁତ୍ୱାରୋପ କରିଥିଲେ । “ଯେଉଁମାନଙ୍କ ନ୍ୟସ୍ତ ସ୍ୱାର୍ଥ ଅଛି ସେମାନେ ସଂଗଠନର ବ୍ୟକ୍ତିମାନଙ୍କ କାର୍ଯ୍ୟରେ ପ୍ରତିବନ୍ଧକ ହେବା ପାଇଁ ଓ ସେମାନଙ୍କୁ ବଦନାମ କରିବାକୁ ଚେଷ୍ଟା କରିବେ” ବୋଲି କହି ଈଶ୍ୱରଙ୍କ ଭଳି ଜନତା ଜନାର୍ଦ୍ଦନ ପ୍ରକୃତ ତଥ୍ୟ ଜାଣନ୍ତି ଓ ଯେତେବେଳେ ସମୟ ଆସିବ ସେମାନେ ସତ୍ୟ ପଛରେ ଛିଡ଼ା ହେବେ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଧାନମନ୍ତ୍ରୀ ପ୍ରତ୍ୟେକଙ୍କୁ ସତ୍ୟ ପଥରେ ଚାଲି ସେମାନଙ୍କ କର୍ତ୍ତବ୍ୟ ଉତ୍ସର୍ଗୀକୃତ ମନୋଭାବର ସହ  ତୁଲାଇବାକୁ ପରାମର୍ଶ ଦେଇଥିଲେ । “ତୁମେ ଯେତେବେଳେ ଦୋଷ ସିଦ୍ଧ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ, ସମଗ୍ର ଦେଶ ତୁମ ପଛରେ ଠିଆ ହେବ” ବୋଲି କହିଥିଲେ ।

ଶେଷରେ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଦାୟିତ୍ୱ ବହୁତ ଅଧିକ ଓ ଆହ୍ୱାନଗୁଡ଼ିକର ମଧ୍ୟ ଅବସ୍ଥାନ୍ତର ଘଟୁଛି । “ମୁଁ ନିଶ୍ଚିତ ଯେ ଆପଣମାନେ ଅମୃତ କାଳରେ ଏକ ସ୍ୱଚ୍ଛ ଓ ପ୍ରତିଯୋଗିତାମୂଳକ ବାତାବରଣ ସୃଷ୍ଟି ଦିଗରେ ବିରାଟ ଭୂମିକା ତୁଲାଇବେ” । ସେ ଆହ୍ୱାନର ମୁକାବିଲା ନିମନ୍ତେ ସବୁବେଳେ ପ୍ରଗତିଶୀଳ ପଦ୍ଧତି ଅନୁସରଣ ଉପରେ ଗୁରୁତ୍ୱ ଆରୋପ କରିଥିଲେ । ପ୍ରଧାନମନ୍ତ୍ରୀ ଆୟୋଜିତ ପ୍ରବନ୍ଧ ପ୍ରତିଯୋଗିତାର ବିଜେତାମାନଙ୍କ ସହ କଥାବାର୍ତ୍ତା ହେବା ସହ ଭବିଷ୍ୟତରେ ତର୍କ ପ୍ରତିଯୋଗିତା ପାଇଁ ମଧ୍ୟ ପ୍ରସ୍ତାବ ଦେଇଥିଲେ । ଦୁର୍ନୀତି ବିରୁଦ୍ଧରେ ସମ୍ପ୍ରତି ପବିତ୍ର ପ୍ରତିଯୋଗିତାରେ ପାଞ୍ଚ ଜଣ ବିଜେତାଙ୍କ ମଧ୍ୟରେ ଚାରିଜଣ ବାଳିକା ଥିବା ନେଇ ପ୍ରଧାନମନ୍ତ୍ରୀ ଏହି ଯାତ୍ରାରେ ମିଳିମିଶି ସାମିଲ ହେବାକୁ ପରାମର୍ଶ ଦେଇଥିଲେ । “ପରିଚ୍ଛନ୍ନତାର ଗୁରୁତ୍ୱ ଅପରିଚ୍ଛନ୍ନତା ଦୂରୀକରଣରୁ ହିଁ କଳନା କରିହେବ” ବୋଲି ସେ କହିଥିଲେ । “ଯେଉଁମାନେ ଆଇନର ପରିଧି ମଧ୍ୟରେ କାର୍ଯ୍ୟ କରୁଛନ୍ତି ସେମାନଙ୍କ ପାଇଁ ପ୍ରଯୁକ୍ତିବିଦ୍ୟା ବେଶ ସହାୟକ ହେବ” ବୋଲି କହି ପ୍ରଧାନମନ୍ତ୍ରୀ ଦୁର୍ନୀତି ବିରୁଦ୍ଧରେ ସଂଗ୍ରାମ ପାଇଁ ଯଥା ସମ୍ଭବ ଅଧିକ ପ୍ରଯୁକ୍ତିବିଦ୍ୟାର ଆଶ୍ରୟ ଦେବାକୁ ପରାମର୍ଶ ଦେଇ ତାଙ୍କ ବକ୍ତବ୍ୟ ସମାପନ କରିଥିଲେ ।

ପ୍ରଧାନ ସଚିବ ଡକ୍ଟର ପି କେ ମିଶ୍ର, ସଂସଦୀୟ ବ୍ୟାପାର ଓ କାର୍ମିକ ରାଷ୍ଟ୍ରମନ୍ତ୍ରୀ ଡକ୍ଟର ଜିତେନ୍ଦ୍ର ସିଂ, କ୍ୟାବିନେଟ ସଚିବ କେନ୍ଦ୍ର ଦୁର୍ନୀତି ନିବାରଣ ଆୟୁକ୍ତ ଶ୍ରୀ ସୁରେଶ ଏନ ପଟେଲ ଓ ଦୁର୍ନୀତି ନିବାରଣ ଆୟୁକ୍ତ ଶ୍ରୀ ପି. କେ. ଶ୍ରୀବାସ୍ତବ ଓ ଶ୍ରୀ ଅରବିନ୍ଦ କୁମାର ଏହି ଅବସରରେ ଉପସ୍ଥିତ ଥିଲେ ।

ପୃଷ୍ଠଭୂମି:

ଆରମ୍ଭ କରାଯାଇଥିବା ପୋର୍ଟାଲ ଅଭିଯୋଗ ସମ୍ପର୍କରେ ସବିଶେଷ ତଥ୍ୟ ସହ ଆମୂଳଚୂଳ ବିଷୟରେ ଜାଣିହେବ । ଏହା ଧାରାବାହିକ ସଚିତ୍ର ବୁକଲେଟ “ନୈତିକତା ଓ ଉତ୍ତମ ଆଚରଣ” ପ୍ରକାଶ କରିବ ।

ସିଭିସି ପକ୍ଷରୁ ପ୍ରତିବର୍ଷ ଦୁର୍ନୀତି ନିବାରଣ ସପ୍ତାହ ପାଳନ କରାଯାଇ ଏହାର ଭାଗିଦାରମାନେ ଜୀବନରେ ସଂହତି ନେଇ ସଚେତନ କରାଇଥାଆନ୍ତି । ଚଳିତ ବର୍ଷ ଏହା ଅକ୍ଟୋବର ୩୧ରୁ ନଭେମ୍ବର ୬ ତାରିଖ ମଧ୍ୟରେ ପାଳିତ ହେଉଛି । ଏଥର ବାର୍ତ୍ତା “ଏକ ଉନ୍ନତ ଦେଶ ପାଇଁ ଦୁର୍ନୀତିମୁକ୍ତ ଭାରତ” ରଖାଯାଇଛ । ଏହି ଅବସରରେ ଦୁର୍ନୀତି ସଚେତନତା ସପ୍ତାହ ବିଷୟବସ୍ତୁ ଉପରେ ଆଧାରିତ ତଥା ସିଭିସି ପକ୍ଷରୁ ଆୟୋଜିତ ସର୍ବଭାରତୀୟ ପ୍ରବନ୍ଧ ପ୍ରତିଯୋଗିତାର ପାଞ୍ଚଜଣ ବିଜୟୀ ଛାତ୍ରୀଙ୍କୁ ପ୍ରଧାନମନ୍ତ୍ରୀ ପୁରସ୍କୃତ କରିଥିଲେ ।