ଆଜିଠୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ: ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି

ପୁରୀ: ଶୁକ୍ରବାର ଠାରୁ ଆରମ୍ଭ ହେଉଛି ପବିତ୍ର ପଞ୍ଚୁକ ବ୍ରତ । କାର୍ତ୍ତିକ ମାସର ଏହି ଶେଷ ୫ ଦିନ ସବୁଠୁ ପବିତ୍ର ବୋଲି ବିଶ୍ୱାସ କରାଯାଏ । ଯେଉଁ ବ୍ରତଧାରୀମାନେ କାର୍ତ୍ତିକ ବ୍ରତ ପାଳନ କରିନଥାନ୍ତି ସେମାନେ ଏହି ଶେଷ ୫ ଦିନ ବ୍ରତ ପାଳନ କରି ପୂଣ୍ୟ ଅର୍ଜନ କରିଥାନ୍ତି ବୋଲି ମଧ୍ୟ ପ୍ରଚଳିତ ଲୋକକଥା ରହିଛି । ଏହି ପାଞ୍ଚଦିନରେ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ ଓ ମହାପ୍ରଭୁ ୫ଟି ସ୍ୱତନ୍ତ୍ର ବେଶରେ ଦର୍ଶନ ଦେଇଥାନ୍ତି ।

ଏକାଦଶୀ ତିଥିରେ ମହାପ୍ରଭୁ ଠିଆକିଆ ବେଶରେ ଦର୍ଶନ ଦେବାକୁ ଥିବାବେଳେ ଦ୍ୱାଦଶୀରେ ବାଙ୍କଚୂଡ଼, ତ୍ରୟୋଦଶୀରେ ତ୍ରିବିକ୍ରମ, ଚତୁର୍ଦ୍ଦଶୀ ଲକ୍ଷ୍ମୀନୃସିଂହ ଓ ପୂର୍ଣ୍ଣମୀରେ ରାଜରାଜେଶ୍ୱର ବା ସୁନାବେଶରେ ଦର୍ଶନ ଦେଇଥାନ୍ତି । ଆସନ୍ତା ୮ ତାରିଖ କାର୍ତ୍ତିକ ପୂର୍ଣ୍ଣମୀରେ ସୁନାବେଶ ଅନୁଷ୍ଠିତ ହେବାକୁ ଯାଉଥିବାବେଳେ ସେହିଦିନ ମଧ୍ୟ ଚନ୍ଦ୍ରଗ୍ରହଣ ପଡ଼ୁଛି । ସୂର୍ଯ୍ୟୋଦୟ ୫ଟା ୫୪ ମିନିଟ୍ ୫୩ ସେକେଣ୍ଡରେ ଆରମ୍ଭ ହେଉଥିବାରୁ ପାକତ୍ୟାଗ ଓ ଦେବନୀତି ନିଷେଧ କରାଯାଇଛି । ଦେବନୀତି ନିଷେଧ ଓ ଚନ୍ଦ୍ରଗ୍ରହଣ ପାଇଁ ସ୍ୱତନ୍ତ୍ର ନୀତି ଯୋଗୁଁ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦୁଲ୍ଲର୍ଭ ସୁନାବେଶ ଦର୍ଶନରୁ ବଞ୍ଚିତ ହେବାର ସମ୍ଭାବନା ରହିଛି ।

 

ତଥାପି ଏହି ୫ ଦିନ ପୁରୀରେ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାର ସମ୍ଭାବନା ରହିଥିବାରୁ ଜନଗହଳିକୁ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ପ୍ରଶାସନ, ଜିଲ୍ଲା ଓ ପୋଲିସ ପ୍ରଶାସନ ପକ୍ଷରୁ ଦର୍ଶନର ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।