ଇଣ୍ଡୋନେସିଆର ଜାକାର୍ତ୍ତା ଗସ୍ତ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି

ଆସିଆନ୍ ସମ୍ବନ୍ଧୀୟ ବୈଠକରେ ଅଂଶଗ୍ରହଣ କରିବା ପାଇଁ ମହାମହିମ ଶ୍ରୀ ଜୋକୋ ୱିଡୋଡୋଙ୍କ ନିମନ୍ତ୍ରଣକ୍ରମେ ମୁଁ ଇଣ୍ଡୋନେସିଆର ଜାକାର୍ତ୍ତା ଗସ୍ତ କରୁଛି ।

ମୋର ପ୍ରଥମ କାର୍ଯ୍ୟକ୍ରମ ହେବ ୨୦ତମ ଆସିଆନ-ଭାରତ ଶିଖର ସମ୍ମିଳନୀ । ବର୍ତ୍ତମାନ ଚତୁର୍ଥ ଦଶନ୍ଧିରେ ପ୍ରବେଶ କରିଥିବା ଆମର ଭାଗିଦାରୀର ଭବିଷ୍ୟତ ରୂପରେଖ ବିଷୟରେ ମୁଁ ଆସିଆନ୍ ନେତାମାନଙ୍କ ସହ ଆଲୋଚନା କରିବାକୁ ଆଗ୍ରହୀ । ଆସିଆନ ସହ ସମ୍ପର୍କ ଭାରତର “ଆକ୍ଟ ଇଷ୍ଟ” ନୀତିର ଏକ ଗୁରୁତ୍ୱପୂର୍ଣ୍ଣ ସ୍ତମ୍ଭ । ଗତ ବର୍ଷ ହୋଇଥିବା ବ୍ୟାପକ ରଣନୈତିକ ଭାଗିଦାରୀ ଆମ ସମ୍ପର୍କରେ ନୂତନ ଗତିଶୀଳତା ସୃଷ୍ଟି କରିଛି ।

ଏହାପରେ ମୁଁ ୧୮ତମ ପୂର୍ବ ଏସିଆ ଶିଖର ସମ୍ମିଳନୀରେ ଯୋଗଦେବି। ଖାଦ୍ୟ ଓ ଶକ୍ତି ନିରାପତ୍ତା, ପରିବେଶ, ସ୍ୱାସ୍ଥ୍ୟ ଏବଂ ଡିଜିଟାଲ ରୂପାନ୍ତରଣ ସମେତ ଏହି ଅଞ୍ଚଳର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ବିଚାର ବିମର୍ଶ କରିବା ପାଇଁ ଏହି ଫୋରମ୍ ଏକ ଉପଯୋଗୀ ସୁଯୋଗ ପ୍ରଦାନ କରେ | ଏହି ବୈଶ୍ୱିକ ଆହ୍ୱାନର ସାମୂହିକ ମୁକାବିଲା କରିବା ପାଇଁ ବ୍ୟବହାରିକ ସହଯୋଗ ପଦକ୍ଷେପ ଉପରେ ମୁଁ ଅନ୍ୟ ଇଏଏସ୍ ନେତାମାନଙ୍କ ସହିତ ମତ ବିନିମୟ କରିବାକୁ ଆଗ୍ରହୀ ।

ଗତବର୍ଷ ବାଲିରେ ଜି-୨୦ ଶିଖର ସମ୍ମିଳନୀ ପାଇଁ ମୋର ଇଣ୍ଡୋନେସିଆ ଗସ୍ତକୁ ମୁଁ ମନେ ପକାଉଛି ଏବଂ ମୋର ବିଶ୍ୱାସ ଯେ ଏହି ଗସ୍ତ ଆସିଆନ ଅଞ୍ଚଳ ସହିତ ଆମର ସମ୍ପର୍କକୁ ଆହୁରି ଦୃଢ କରିବ ।