ଧାନ ଅମଳ: ଚୀନ୍‌କୁ ପଛରେ ପକାଇ ଭାରତ ନଂ-୧

କୃଷିକ୍ଷେତ୍ରରେ ଭାରତ ଚାଇନାକୁ ପଛରେ ପକାଇ ….

ନୂଆଦିଲ୍ଲୀ: କୃଷିକ୍ଷେତ୍ରରେ ଭାରତ ଚାଇନାକୁ ପଛରେ ପକାଇ ଐତିହାସିକ ସଫଳତା ହାସଲ କରିଛି। ଭାରତ ଏବେ ବିଶ୍ୱର ଏକ ନମ୍ବର ଧାନ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ଉଭା ହୋଇଛି। ବିଶ୍ୱବ୍ୟାପୀ ଧାନ ଅମଳର ୨୮ ଭାଗ ଭାରତ ଅତିକ୍ରମ କରିଛି।

ଆମେରିକାର କୃଷି ବିଭାଗ ଡିସେମ୍ବର ୨୦୨୫ ରିପୋର୍ଟ ଅନୁଯାୟୀ, ଭାରତର ଉତ୍ପାଦନ ୧୫୨ ମିଲିୟନ ମେଟ୍ରିକ ଟନ୍‌ ଥିବା ବେଳେ ଚାଇନାର ଉତ୍ପାଦନ ୧୪୬ ମିଲିୟନ ମେଟ୍ରିକ ଟନ୍‌ ରହିଛି। ଏହି ସଫଳତା ସହ ଭାରତ ବିଶ୍ୱର ‘ରାଇସ୍‌ କିଙ୍ଗ୍‌’ ବା ଚାଉଳ ରାଜା ବୋଲାଇଛି। ଭାରତ ଏବେ ବିଶ୍ୱର ୧୭୨ଟି ଦେଶକୁ ଚାଉଳ ରପ୍ତାନି କରୁଛି। ୨୦୨୪-୨୫ ବର୍ଷରେ ଭାରତ ଚାଉଳ ରପ୍ତାନି ବାବଦକୁ ପ୍ରାୟ ୧,୦୫,୭୨୦ କୋଟି ଟଙ୍କାର ବୈଦେଶିକ ମୁଦ୍ରା ଅର୍ଜନ କରିଛି।
ଭାରତର ଏହି ଜୟଯାତ୍ରାରେ ତାଇୱାନରୁ ଆସିଥିବା ବାମନ କିସମର ଧାନ ‘ତାଇଚୁଙ୍ଗ ନେଟିଭ୍‌-୧’ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ପରବର୍ତୀ ସମୟରେ ୧୯୬୮ରେ ‘ଓଜ-୮’ବା ‘ମିରାକଲ୍‌ ରାଇସ୍‌’ ଭାରତୀୟ କୃଷିରେ ବିପ୍ଳବ ଆଣିଥିଲା।

୧୯୬୯ ମସିହାରେ ଓଡ଼ିଶାର ସ୍ଥାନୀୟ କିସମ ଞ-୧୪୧ ସହ ତାଇଚୁଙ୍ଗ ନେଟିଭ୍‌-୧ ର ସଂସ୍କରଣ କରାଯାଇ ଭାରତର ପ୍ରଥମ ସ୍ୱଦେଶୀ ବାମନ କିସମ ଧାନ ‘ଜୟା’ ବିକଶିତ କରାଯାଇଥିଲା। ଏହା ଧାନ ଉତ୍ପାଦନକୁ ବହୁଗୁଣିତ କରିବାରେ ସହାୟକ ହୋଇଥିଲା।
ଭାରତ ବାସୁମତୀ ଚାଉଳର ମଧ୍ୟ ସର୍ବବୃହତ ଉତ୍ପାଦନକାରୀ। ଭାରତର ‘ପୁସା ବାସୁମତୀ-୧୧୨୧’ ବିଶ୍ୱର ସବୁଠାରୁ ଲମ୍ବା ଚାଉଳ ଭାବେ ରେକର୍ଡ କରିଛି। କେବଳ ବାସୁମତୀ ରପ୍ତାନିରୁ ଦେଶ ୫୦,୦୦୦ କୋଟିରୁ ଅଧିକ ଟଙ୍କା ଆୟ କରୁଛି। ଉତ୍ପାଦନରେ ଶୀର୍ଷରେ ଥିଲେ ମଧ୍ୟ ହେକ୍ଟର ପିଛା ଅମଳ କ୍ଷେତ୍ରରେ ଭାରତ ଚାଇନାଠାରୁ ପଛରେ ରହିଛି। ଚାଇନାର ହେକ୍ଟର ପିଛା ଅମଳ ୭,୧୦୦ କିଲୋଗ୍ରାମ ଥିବାବେଳେ ଭାରତର ହେକ୍ଟର ପିଛା ଅମଳ ୨୦୨୫-୨୬ ସୁଦ୍ଧା ୪,୩୯୦ କିଲୋଗ୍ରାମରେ ପହଂଚିବାର ଆକଳନ କରାଯାଏ।