ପକ୍ଷପାତର ପକ୍ଷଚ୍ଛେଦନ ଅସମ୍ଭବ

ସମାଜ କିପରି ସଂଗଠିତ ହୁଏ, ସମ୍ପଦ ଓ ସମୃଦ୍ଧି କିପରି ବଢ଼ାଇହୁଏ ତାକୁ ….

ସମାଜ କିପରି ସଂଗଠିତ ହୁଏ, ସମ୍ପଦ ଓ ସମୃଦ୍ଧି କିପରି ବଢ଼ାଇହୁଏ ତାକୁ କେନ୍ଦ୍ର କରି ସର୍ବଦା ଆଲୋଚନା ହୋଇଥାଏ। ଆର୍ଥିକ ଅସମାନତା ଦୀର୍ଘ ସମୟ ଧରି ବିତର୍କର କେନ୍ଦ୍ରବିନ୍ଦୁ ହୋଇ ରହିଛି। ଯଦିଓ ବିଶ୍ୱ ଅର୍ଥନୀତି ସମ୍ମୁଖରେ ବୈଷମ୍ୟ ସର୍ବଦା ଏକ ପ୍ରମୁଖ ସମସ୍ୟା ଭାବେ ଉଭା ହୋଇଛି, ୨୦୨୫ ସୁଦ୍ଧା ଅସମାନତା ଏପରି ସ୍ତରରେ ପହଂଚିଛି ଯାହାର ମୁକାବିଲା ପାଇଁ ନୈତିକ ଏବଂ ରାଜନୈତିକ ପଦକ୍ଷେପ ଜରୁରି ହୋଇପଡିଛି। ବିଶ୍ୱ ଜନସଂଖ୍ୟାର ଏକ ବଡ ଅଂଶ ସୁରକ୍ଷିତ ଜୀବିକା ଏବଂ ମୌଳିକ ସମ୍ମାନ, ମର୍ଯ୍ୟାଦାପୂର୍ଣ୍ଣ ଜୀବନ ପାଇଁ ସଂଘର୍ଷ ଜାରି ରଖିଥିବା ବେଳେ ଜଗତୀକରଣ ଏବଂ ଅର୍ଥନୈତିକ ଅଭିବୃଦ୍ଧିର ଲାଭ ମୁଷ୍ଟିମେୟ ଧନୀକ ଶ୍ରେଣୀ ମଧ୍ୟରେ ସୀମିତ ହୋଇ ରହିଛି। ଏହି ବୈଷମ୍ୟ, ବିଭେଦ ଆକସ୍ମିକ ବା ଅନିବାର୍ଯ୍ୟ ନୁହେଁ, ଏଗୁଡିକ ସଚେତନ ଭାବେ ନିଆଯାଇଥିବା ତ୍ରୁଟିପୂର୍ଣ୍ଣ ରାଜନୈତିକ ନିଷ୍ପତି ଏବଂ ସାଙ୍ଗଠନିକ ବ୍ୟବସ୍ଥାର ଫଳାଫଳ। ଲୁକାସ୍‌ ଚାନ୍‌ସେଲ, ରିକାର୍ଡୋ ଗୋମେଜ୍‌-କାରେରା, ରୋୱାଇଡା ମୋଶ୍ରିଫ୍‌ ଏବଂ ଥମାସ୍‌ ପିକେଟିଙ୍କ ନେତୃତ୍ୱରେ ବିଶ୍ୱ ଅସମାନତା ଲ୍ୟାବ୍‌ ଦ୍ୱାରା ପ୍ରସ୍ତୁତ ବିଶ୍ୱ ଅସମାନତା ରିପୋର୍ଟ ୨୦୨୬ରେ (ଡବ୍ଲ୍ୟୁ.ଆଇ.ଆର ୨୦୨୬ ), ଏକବିଂଶ ଶତାବ୍ଦୀର ଅସମାନତାର ସ୍ଥାୟିତ୍ୱ ଏବଂ ତୀବ୍ରତାର ଏକ ନିଷ୍ଠୁର ବିବରଣୀ ପ୍ରକାଶ ପାଇଛି । ଏହା ଡିସେମ୍ବର ୨୦୨୫ରେ ପ୍ରକାଶିତ ହୋଇଛି । ୨୦୧୮ ଏବଂ ୨୦୨୨ ସଂସ୍କରଣ ପରେ ବିଶ୍ୱ ଅସମାନତା ଲ୍ୟାବ୍‌ ଦ୍ୱାରା ପ୍ରସ୍ତୁତ ଏହା ତୃତୀୟ ରିପୋର୍ଟ ବିଶ୍ୱବ୍ୟାପୀ ୨୦୦ରୁ ଅଧିକ ବିଦ୍ୱାନଙ୍କ କାର୍ଯ୍ୟ ଉପରେ ଆଧାରିତ । ଜୋସେଫ ଷ୍ଟିଗଲିଜ୍‌ ଏବଂ ଜୟତୀ ଘୋଷଙ୍କ ଦ୍ୱାରା ଉପସ୍ଥାପନ କରାଯାଇଥିବା ଏହି ରିପୋର୍ଟ ସ୍ପଷ୍ଟ କରେ ଯେ, ବିଶ୍ୱ ବୈଷମ୍ୟ ଐତିହାସିକ ଭାବରେ ଚରମ ସ୍ତରରେ ରହିଛି ଏବଂ ଗଭୀର ଭାବରେ ବହୁମୁଖୀ। ଆୟ, ସମ୍ପଦ, ଲିଙ୍ଗ, ଜଳବାୟୁ ସମସ୍ୟା ଏବଂ ମୌଳିକ ମାନବିକ କ୍ଷମତା ହାସଲ କରିବାରେ ବିଫଳତାଜନିତ ଆଦି ଅସମାନତା ବଜାରର କାର୍ଯ୍ୟକାରିତା ନୁହେଁ, ବରଂ ଜାଣିଶୁଣି ବ୍ୟକ୍ତିଗତ ବାଛ ବିଚାର, ସଂସ୍ଥାଗତ ଦୁର୍ବଳତା ଏବଂ କ୍ଷମତାର ଅପବ୍ୟବହାର ଓ ଅସମାନ ବଣ୍ଟନରୁ ଉତ୍ପନ୍ନ ହୋଇଥିବା ଦର୍ଶାଯାଇଛି । ରିପୋର୍ଟରେ ଉଲ୍ଲେଖ କରାଯାଇଛି ଯେ, ଅସମାନତା ବିଭିନ୍ନ ନୀତି ଦ୍ୱାରା ସୃଷ୍ଟି ହୋଇଥାଏ, ଏଣୁ ନୀତି ଦ୍ୱାରା ହିଁ ସମାଧାନ ହୋଇପାରିବ ।

ସମ୍ପଦର କେନ୍ଦ୍ରୀକରଣ କେବଳ ସ୍ଥାୟୀ ନୁହେଁ, ବରଂ ଏକ ଚିନ୍ତାଜନକ ଗତିରେ ତ୍ୱରାନ୍ୱିତ ହେଉଛି । ଗତ ତିନି ଦଶନ୍ଧି ମଧ୍ୟରେ ସମ୍ପଦର ଅସମାନତା ତୀବ୍ରଭାବରେ ବୃଦ୍ଧି ପାଇଛି । ୧୯୯୦ ଦଶକ ପରଠାରୁ ଅରବପତିଙ୍କ (ବିଲିୟନେୟାରଙ୍କ) ସମ୍ପଦ ହାରାହାରି ବାର୍ଷିକ ୮% ହାରରେ ବୃଦ୍ଧିପାଇଛି । ଏହି ବୃଦ୍ଧି ବିଶ୍ୱ ଜନସଂଖ୍ୟାର ନିମ୍ନରେ ଥିବା ୫୦%ଙ୍କ ସମ୍ପଦ ବୃଦ୍ଧି ହାରର ପ୍ରାୟ ଦୁଇଗୁଣ । ଗରିବ ଶ୍ରେଣୀଙ୍କ ସମ୍ପଦ ସାମାନ୍ୟ ବୃଦ୍ଧି ପାଇଥିଲେ ମଧ୍ୟ, ସମାଜର ଉଚ୍ଚସ୍ତରରେ ଥିବା ଧନୀକ ଶ୍ରେଣୀଙ୍କର ସମ୍ପଦ ବୃଦ୍ଧି ତୁଳନାରେ କିଛି ନୁହେଁ । ଏହା ମନେରଖିବା ଗୁରୁତ୍ୱପୂର୍ଣ୍ଣ ଯେ, ଶୀର୍ଷ ଧନୀମାନେ ସର୍ବୋଚ୍ଚ ଆୟକାରୀ ନୁହଁନ୍ତି। କିନ୍ତୁ ତ୍ରୁଟିପୂର୍ଣ୍ଣ ବ୍ୟବସ୍ଥା ଯୋଗୁଁ ଅଧିକ ଧନୀ ହେଉଛନ୍ତି। ଅସମାନତା ରିପୋର୍ଟରେ ମାପ କରାଯାଇଥିବା ଆୟ କହିଲେ କର ଏବଂ ଅର୍ଥ ସ୍ଥାନାନ୍ତର ପୂର୍ବରୁ ସେହି ଅର୍ଜିତ ଆୟକୁ ବୁଝାଏ, ଯେଉଁଥିରେ ପେନସନ୍‌ ଏବଂ ବେକାରୀ ଭତା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥାଏ । ସମ୍ପଦ କହିଲେ ବ୍ୟକ୍ତିମାନଙ୍କ ମାଲିକାନାରେ ଥିବା ଆର୍ଥିକ ସମ୍ପତି (ବୀମା, ବ୍ୟାଙ୍କ, ଇକ୍ୱିଟି, ବଣ୍ଡ ପରି ବିଭିନ୍ନ ଆର୍ଥିକ ସଂଚୟ) ଏବଂ ଅଣ-ଆର୍ଥିକ ବା ଭୌତିକ ବା ଫିଜିକାଲ ସମ୍ପତି (ଗୃହ, ଜମି)ର ସମଷ୍ଟିରୁ ବିଭିନ୍ନ ଋଣ/ଦେୟକୁ ବାଦ ଦେଲେ ଯାହା ରୁହେ ତାହାକୁ ବୁଝାଏ। ବିଶ୍ୱ ଅସମାନତା ରିପୋର୍ଟ ୨୦୨୬ରେ ସମ୍ପଦ ଓ ଆୟ ଆକଳନ ୨୦୨୫ର କ୍ରୟଶକ୍ତି ସମତା ଉପରେ ପର୍ଯ୍ୟବସିତ। ରିପୋର୍ଟ ଅନୁସାରେ, ବିଶ୍ୱର ସବୁଠାରୁ ଧନୀ ୦.୦୦୧% (ପ୍ରାୟ ୬୦,୦୦୦ ଲୋକ) ବିଶ୍ୱର ସବୁଠାରୁ ଗରିବ ୫୦% ସମ୍ପଦର ତିନିଗୁଣର ଅଧିକାରୀ। ସେହି ୬୦,୦୦୦ ଧନୀ ୧୯୯୫ରେ ବିଶ୍ୱ ସମ୍ପଦର ୩.୮%ର ଅଧିକାରୀ ହୋଇଥିଲା ବେଳେ ୨୦୨୫ରେ ୬.୧%ର ଅଧିକାରୀ ହୋଇଛନ୍ତି। ବିଶ୍ୱର ଶୀର୍ଷ ୧% ଧନୀ, ପ୍ରାୟ ଗ୍ରେଟବ୍ରିଟେନର ବୟସ୍କ ଜନସଂଖ୍ୟା ସହିତ ସମକକ୍ଷ ବିଶ୍ୱର ମୋଟ୍‌ ଆୟର ୨୩% ଦଖଲ କରିଥିଲା ବେଳେ, ମୋଟ୍‌ ସମ୍ପଦର ୩୮% ଅକ୍ତିଆର କରିଛନ୍ତି । ଶୀର୍ଷ ୧୦% ବିଶ୍ୱର ମୋଟ୍‌ ଆୟର ୫୩% ମାଲିକ ହୋଇଥିଲା ବେଳେ, ସମ୍ପଦର ୭୫% ମାଲିକ ଅଟନ୍ତି। ଅପର ପକ୍ଷରେ ବିଶ୍ୱର ମଧ୍ୟମ ୪୦% ବିଶ୍ୱର ମୋଟ୍‌ ଆୟର ୩୮% ମାଲିକ ହୋଇଥିଲା ବେଳେ ସମ୍ପଦର ୨୩% ମାଲିକ ଅଟନ୍ତି । କିନ୍ତୁ ସମାଜର ନିମ୍ନସ୍ତରର ୫୦% ବିଶ୍ୱ ଆୟର ମାତ୍ର ୮% ଏବଂ ସମ୍ପଦର ମାତ୍ର ୨% ମାଲିକ ଅଟନ୍ତି । ୧୯୯୫ରୁ ୨୦୨୫ ମଧ୍ୟରେ ବିଶ୍ୱ ବଣ୍ଟନରେ ନିଟ୍‌ ବ୍ୟକ୍ତିଗତ ସମ୍ପଦର ଅଭିବୃଦ୍ଧି ହାର ତୀବ୍ରଭାବରେ ଭିନ୍ନ ହୋଇଥିଲା। ତଳସ୍ତରରେ ଥିବା ୫୦% ଲୋକଙ୍କର ପ୍ରତିବର୍ଷ ପ୍ରାୟ ୨%ରୁ ୪% ବୃଦ୍ଧି ଘଟିଲା ବେଳେ, ଶୀର୍ଷ ୧% ବ୍ୟକ୍ତିଙ୍କ ସମ୍ପଦ ବାର୍ଷିକ ୨% ରୁ ୮.୫% ହାରରେ ବୃଦ୍ଧି ଘଟିଥିଲା।
ବିଶ୍ୱ ଅପେକ୍ଷା ଭାରତରେ ବୈଷମ୍ୟ ଆହୁରି ଅଧିକ ଭୟଙ୍କର। ଦକ୍ଷିଣ ଆଫ୍ରିକାରେ ଆୟ ବୈଷମ୍ୟ ସର୍ବାଧିକ। ଏହା ତଳକୁ କଲମ୍ବିଆ, ଚିଲି, ବ୍ରାଜିଲ, ମେକ୍ସିକୋ ରହିଛି । ଭାରତର ସ୍ଥାନ ଷଷ୍ଠ । ଭାରତର ଶୀର୍ଷ ୧% ଲୋକ ମୋଟ୍‌ ଜାତୀୟ ଆୟର ୨୨.୬% ର ମାଲିକ ହୋଇଥିଲାବେଳେ ମୋଟ୍‌ ସମ୍ପଦର ୪୦% ର ମାଲିକ ଅଟନ୍ତି । ଶୀର୍ଷ ୧୦% ଲୋକ ମୋଟ୍‌ ଆୟର ୫୭.୭% ଏବଂ ସମ୍ପଦର ୬୫%ର ମାଲିକ ଅଟନ୍ତି । ମଧ୍ୟମ ୪୦% ଲୋକ ମୋଟ୍‌ ଆୟର ୨୭.୩% ଏବଂ ୨୮.୬% ସମ୍ପଦର ମାଲିକ ଅଟନ୍ତି । କିନ୍ତୁ ନିମ୍ନରେ ଥିବା ୫୦% ଲୋକଙ୍କ ପାଖରେ ଜାତୀୟ ଆୟର ୧୫% ଏବଂ ଜାତୀୟ ସମ୍ପଦର ୬.୪% ମାତ୍ର ରହିଛି । ଡିସେମ୍ବର ୨୦୨୧ରେ ୱାର୍ଲଡ ଇନ୍‌ଇକ୍ୱାଲିଟି ଲ୍ୟାବ୍ର ପ୍ରକାଶିତ ବିଶ୍ୱ ଅସମାନତା ରିପୋର୍ଟ ୨୦୨୨ ଅନୁସାରେ ଭାରତ ଏକ ଗରିବ ଏବଂ ବୈଷମ୍ୟପୂର୍ଣ୍ଣ ରାଷ୍ଟ୍ର । ୨୦୦୦ ମସିହାରେ ଭାରତର ୧% ବଡ ଧନୀଙ୍କ ପାଖରେ ଜାତୀୟ ଆୟର ୧୫.୧% ଥିଲାବେଳେ ୨୦୨୨-୨୩ରେ ଏହା ୨୨.୬%କୁ ବୃଦ୍ଧି ପାଇଥିଲା । ଯାହା ୧୯୨୨ ପରେ ସର୍ବାଧିକ । ସମ୍ପଦ ଦୃଷ୍ଟିରୁ ୨୦୦୨ ମସିହାରେ ଭାରତର ୧% ବଡ ଧନୀଙ୍କ ପାଖରେ ଜାତୀୟ ସମ୍ପଦର ୨୫.୪% ଥିଲାବେଳେ ୨୦୨୨-୨୩ରେ ଏହା ୪୦.୧% ବୃଦ୍ଧି ପାଇଥିଲା । ଏହି ବୈଷମ୍ୟ ୧୯୬୧ ପରଠାରୁ ସର୍ବାଧିକ । ୨୦୨୫ରେ ମୁଣ୍ଡପିଛା ହାରାହାରି ବାର୍ଷିକ ଆୟ ପ୍ରାୟ ୬,୨୦୦ ୟୁରୋ (କ୍ରୟଶକ୍ତି ସମତା) ଥିଲାବେଳେ, ହାରାହାରି ସମ୍ପଦ ପ୍ରାୟ ୨୮,୦୦୦ ୟୁରୋ (କ୍ରୟଶକ୍ତି ସମତା) ରହିଛି । ମହିଳା ଶ୍ରମଶକ୍ତି ଅଂଶଗ୍ରହଣ ହାର ୧୫.୭% ରେ ଚିନ୍ତାଜନକ ଭାବରେ ରହିଛି। ଗତ ଦଶନ୍ଧି ମଧ୍ୟରେ କୌଣସି ଉନ୍ନତି ଦେଖାଯାଇନି।

ଭାରତ ତଥା ବିଶ୍ୱରେ ଲିଙ୍ଗ ଅସମାନତା ଗଭୀର ଏବଂ ବ୍ୟାପକ। ସମସ୍ତ ଅଂଚଳରେ ଦରମା ପାର୍ଥକ୍ୟ ରହିଛି । ଘରୋଇ ଏବଂ ଯତ୍ନ କାର୍ଯ୍ୟକୁ ହିସାବକୁ ନେଲେ ମହିଳାମାନେ ପୁରୁଷମାନଙ୍କ ତୁଳନାରେ ଅଧିକ ଘଂଟା କାମ କରନ୍ତି। ପୁରୁଷମାନେ ପ୍ରତି ସପ୍ତାହରେ ହାରାହାରି ୪୩ ଘଂଟା କାର୍ଯ୍ୟ କରିଲା ବେଳେ ମହିଳାମାନେ ୫୩ ଘଂଟା କାର୍ଯ୍ୟ କରନ୍ତି। ତଥାପି ସେମାନଙ୍କ କାମକୁ କମ୍‌ ମୂଲ୍ୟ ଦିଆଯାଇଛି । ଅବୈତନିକ କାମକୁ ବାଦ୍‌ ଦେଲେ ମହିଳାମାନେ ପୁରୁଷଙ୍କ ଘଂଟା ପ୍ରତି ଆୟର କେବଳ ୬୧% ରୋଜଗାର କରନ୍ତି, ଯେତେବେଳେ ଅବୈତନିକ ଶ୍ରମକୁ ସାମିଲ କରାଯାଏ, ଏହି ସଂଖ୍ୟା ମାତ୍ର ୩୨%କୁ ଖସିଯାଏ। ଏହି ବୈଷମ୍ୟ ଓ ପାତର ଅନ୍ତର ମହିଳାମାନଙ୍କର କ୍ୟାରିୟର ସୁଯୋଗକୁ ସୀମିତ କରେ, ରାଜନୈତିକ ପ୍ରକ୍ରିୟାରେ ଅଂଶଗ୍ରହଣକୁ ସଙ୍କୁଚିତ କରେ ଏବଂ ସମ୍ପଦ ଅର୍ଜନକୁ ନକାରାତ୍ମକ ଭାବେ ପ୍ରଭାବିତ କରେ। ରିପୋର୍ଟରେ ଜଳବାୟୁ ସଙ୍କଟ ଉପରେ ମଧ୍ୟ ଆଲୋକପାତ କରାଯାଇଛି ଯେ, ବିଶ୍ୱ ଜନସଂଖ୍ୟାର ସବୁଠାରୁ ଗରିବ ଅଧା ଲୋକ କାର୍ବନ ନିର୍ଗମନର କେବଳ ୩% ପାଇଁ ଦାୟୀ ହେଲାବେଳେ, ଶୀର୍ଷ ୧୦% କାର୍ବନ ନିର୍ଗମନର ୭୭% ପାଇଁ ଦାୟୀ । ଧନୀ ୧% କାର୍ବନ ନିର୍ଗମନର ୪୧% ପାଇଁ ଦାୟୀ, ଯାହା ସମଗ୍ର ନିମ୍ନରେ ଥିବା ୯୦% ଲୋକଙ୍କ ଦ୍ୱାରା ହେଉଥିବା କାର୍ବନ ନିର୍ଗମନର ପ୍ରାୟ ଦ୍ୱିଗୁଣ । ଜଳବାୟୁ ଅସମାନତା ସମାନ ଭାବରେ ଚିନ୍ତାଜନକ। ଅଧିକ ପୁଞ୍ଜି ମାଲିକାନା, କାର୍ବନ ନିର୍ଗମନରେ ଅସମାନତାକୁ ବଢ଼ାଇଥାଏ।

ଏହି ବୈଷମ୍ୟ, ଅସମାନତା ଅନିବାର୍ଯ୍ୟ କିମ୍ବା ଅପରିବର୍ତନୀୟ ନୁହେଁ। ଏହା ଏକ ରାଜନୈତିକ ପସନ୍ଦ । ଏହା ଆମର ନୀତି, ପ୍ରତିଷ୍ଠାନ ଏବଂ ଶାସନ ପ୍ରଣାଳୀର ଫଳାଫଳ । ଆର୍ଥିକ, ସାମାଜିକ ଏବଂ ପରିବେଶ ଦୃଷ୍ଟିରୁ ଅସମାନତା ଚିନ୍ତାଜନକ । ଏହା ଅନେକ ଦିଗ ମଧ୍ୟରେ ପ୍ରକାଶିତ ହୁଏ, ଯାହା ପରସ୍ପରକୁ ପ୍ରଭାବିତ କରେ । ବର୍ଦ୍ଧିତ ଅସମାନତାର କୁପ୍ରଭାବ ଯୋଗୁଁ ବିଭାଜନ ପ୍ରକ୍ରିୟାର ବୃଦ୍ଧି, ଭଙ୍ଗୁର ଗଣତନ୍ତ୍ର, ମେଂଟ ଖଣ୍ଡ ଖଣ୍ଡ ହେବା ଏବଂ ରାଜନୈତିକ ସହମତିର କ୍ଷୟ ଏବଂ ଜଳବାୟୁ ସଙ୍କଟ ଆଦି ବେଶି ଦେଖିବାକୁ ମିଳେ । କିନ୍ତୁ ବୈଷମ୍ୟ ପାଇଁ ଯେଉଁମାନେ, ବିଶେଷ କରି ଗରିବମାନେ କମ୍‌ ଦାୟୀ, ସେମାନେ ବୈଷମ୍ୟଜନିତ କୁପ୍ରଭାବ ବେଶି ଅନୁଭୂତ କରନ୍ତି । ଅସମାନତା ହ୍ରାସ କେବଳ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ନୁହେଁ ବରଂ ଆର୍ଥିକ ପ୍ରଗତି, ଗଣତନ୍ତ୍ରର ସ୍ଥିରତା ଏବଂ ଆମ ଗ୍ରହର ସ୍ଥାୟିତ୍ୱ ପାଇଁ ମଧ୍ୟ ଅତ୍ୟାବଶ୍ୟକ । ରିପୋର୍ଟଟି ଦର୍ଶାଏ ଯେ କିପରି ଶିକ୍ଷା, ସ୍ୱାସ୍ଥ୍ୟ, ସମ୍ପତି ଏବଂ ସାମାଜିକ ସୁବିଧା ପ୍ରାପ୍ତିରେ ସୁଯୋଗର ଅସମାନତା ପରିସ୍ଥିତିକୁ ସଙ୍ଗୀନ କରୁଛି । ପି?ି ପରେ ପିଢ଼ି ବୈଷମ୍ୟ ବୃଦ୍ଧି ପାଇଚାଲିଛି। ବାସ୍ତବରେ ବିଶ୍ୱବ୍ୟବସ୍ଥା ଧନୀକ ଶ୍ରେଣୀ ଓ ଧନୀ ରାଷ୍ଟ୍ରଙ୍କୁ ସୁହାଇଲା ପରି ହୋଇଛି।

ବିଶ୍ୱ ଅସମାନତା ଲ୍ୟାବର ସହ-ନିର୍ଦ୍ଦେଶକ ଥମାସ୍‌ ପିକେଟି କହିଛନ୍ତି: “ବିଶ୍ୱ ଅସମାନତା ରିପୋର୍ଟ ୨୦୨୬ ଏକ ଚ୍ୟାଲେଞ୍ଜିଂ ରାଜନୈତିକ ସମୟରେ ଆସିଛି। ରିକାର୍ଡୋ ଗୋମେଜ୍‌-କାରେରା ଚେତାବନୀ ଦେଇ କହିଛନ୍ତି ଯେ, ଅସମାନତା ନିରବ ରହିଥାଏ, ଯେପର୍ଯ୍ୟନ୍ତ ଏହା ଅପମାନଜନକ ହୋଇନଥାଏ । ଷ୍ଟିଗଲିଜ୍‌ ଏବଂ ଜୟତୀ ଘୋଷ ଜଳବାୟୁ ପରିବର୍ତନ ଉପରେ ନଜର ରଖିବା ପାଇଁ, ଯେପରି ଆନ୍ତଃ-ସରକାରୀ ପ୍ୟାନେଲ ଗଠନ ହୋଇଛି ସେହି ଧାରାରେ ଅସମାନତାର ସମାଧାନ ପାଇଁ ଏକ ଅନ୍ତର୍ଜାତୀୟ ପ୍ୟାନେଲର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରନ୍ତି ।
ଏହି ରିପୋର୍ଟରେ ଦୃଢ଼ ସାର୍ବଜନୀନ ନିବେଶ, ପ୍ରଗତିଶୀଳ କର ଏବଂ ବିଶ୍ୱ ସହଯୋଗ ପାଇଁ ଏକ ଆହ୍ୱାନ ଦିଆଯାଇଛି। ରାଜନୈତିକ ଇଚ୍ଛାଶକ୍ତି, ସ୍ୱଚ୍ଛତଥ୍ୟ, ନ୍ୟାୟପୂର୍ଣ୍ଣ କର ଏବଂ ମାନବ କ୍ଷମତାରେ ନିବେଶ ସହିତ ସମାଜଗୁଡିକ ଅଧିକ ଅନ୍ତର୍ଭୁକ୍ତ, ସ୍ଥାୟୀ ଏବଂ ଗଣତାନ୍ତ୍ରିକ ଭବିଷ୍ୟତ ଆଡକୁ ମୁହାଁଇ ପାରିବେ। ଜାତୀୟ ସ୍ତରରେ, ପ୍ରତିଗାମୀ କର ଅସମାନତାକୁ ଆହୁରି ତୀବ୍ର କରିଥାଏ। ଅନେକ ଦେଶରେ ଧନୀକ ଶ୍ରେଣୀର ଲୋକମାନେ ନିମ୍ନ ଏବଂ ମଧ୍ୟମ ଆୟକାରୀ ପରିବାର ତୁଳନାରେ ଆନୁପାତିକ ଭାବରେ କମ୍‌ କର ଦିଅନ୍ତି, ଯାହା ରାଷ୍ଟ୍ରଗୁଡିକୁ ଶିକ୍ଷା, ସ୍ୱାସ୍ଥ୍ୟସେବା, ସାମାଜିକ ସୁରକ୍ଷା ଏବଂ ଜଳବାୟୁ କାର୍ଯ୍ୟ ପାଇଁ ଆବଶ୍ୟକ ସମ୍ବଳରୁ ବଂଚିତ କରିଥାଏ।
ପ୍ରଗତିଶୀଳ କର, ବିଶେଷ କରି ସମ୍ପତି, ଉତରାଧିକାର ଏବଂ ପୁଞ୍ଜି ଲାଭ କର ଇତ୍ୟାଦି ସମ୍ବଳର ସୁଷମ ବଂଟନ ପାଇଁ ଜରୁରି।