ଆକ୍ରମଣ ଆଶଙ୍କା : ୟୁକ୍ରେନ୍ ନାଗରିକଙ୍କୁ ଅସ୍ତ୍ରଶସ୍ତ୍ର ଅନୁମତି

କିଏଭ୍‌ : ରୁଷ୍ ପକ୍ଷରୁ ଆକ୍ରମଣ ଆଶଙ୍କା ଘନୀଭୂତ ହେଉଥିବାରୁ ୟୁକ୍ରେନ୍ ସରକାର ବୁଧବାର ନିଜର ନାଗରିକଙ୍କୁ ପାଖରେ ଅସ୍ତ୍ରଶସ୍ତ୍ର ରଖିବାକୁ ଅନୁମତି ଦେଇଛନ୍ତି । ଆତ୍ମରକ୍ଷା ପାଇଁ ନାଗରିକମାନେ ଏଣିକି ବିଭିନ୍ନ ମାରଣାସ୍ତ୍ର ରଖିପାରିବେ ବୋଲି ଏକ ପ୍ରସ୍ତାବକୁ ୟୁକ୍ରେନ୍ ପାର୍ଲାମେଣ୍ଟ ଅନୁମୋଦନ କରିଛି । ରୁଷ ସରକାର ଇତିମଧ୍ୟରେ ଦୁଇଟି ବିଚ୍ଛିନ୍ନତାବାଦୀ ଅଞ୍ଚଳ ଡୋନେସ୍କ୍ ଓ ଲୁହାନ୍ସସ୍କ୍‌କୁ ସ୍ୱାଧୀନ ରାଷ୍ଟ୍ର ଘୋଷଣା କରିବାପରେ ୟୁକ୍ରେନ୍‌ର ପୂର୍ବାଞ୍ଚଳରେ ବାସ କରୁଥିବା ନାଗରିକମାନେ ଅସୁରକ୍ଷିତ ହୋଇପଡିଛନ୍ତି ।

ୟୁକ୍ରେନ୍‌ରେ ଜରୁରୀ ପରିସ୍ଥିତି

ରୁଷ୍ ପକ୍ଷରୁ ସମ୍ଭାବ୍ୟ ଯୁଦ୍ଧ ଆଶଙ୍କାକୁ ଦୃଷ୍ଟିରେ ରଖି ୟୁକ୍ରେନ୍ ସରକାର ଦେଶରେ ଜରୁରୀ ପରିସ୍ଥିତି ଲାଗୁ କରିଛନ୍ତି । ଦେଶରେ ଆଭ୍ୟନ୍ତରୀଣ ଶାନ୍ତି ଅବସ୍ଥାକୁ ଅକ୍ଷୁର୍ଣ୍ଣ ରଖିବା ଏବଂ ଅର୍ଥନୀତିକୁ ସୁରକ୍ଷିତ ରଖିବାକୁ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ରାଷ୍ଟ୍ରପତି ଭୋଲଡୋମିର ଜେଲେନ୍‌ସ୍କି ସୂଚନା ଦେଇଛନ୍ତି । ପ୍ରଥମେ ଜରୁରୀ ବ୍ୟବସ୍ଥାକୁ ୩୦ ଦିନ ପାଇଁ ଲାଗୁ କରାଯିବ । ଆବଶ୍ୟକ ପଡିଲେ ଏହି ମିଆଦକୁ ବୃଦ୍ଧି କରାଯାଇପାରେ ବୋଲି ସେ କହିଛନ୍ତି । ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ପାର୍ଲାମେଣ୍ଟ ଅନୁମୋଦନ କରିଛି । ଜରୁରୀ ପରିସ୍ଥିତି ସମୟରେ କୌଣସି ସାମରିକ ଆଇନକୁ କାର୍ଯ୍ୟକ୍ଷମ କରାଯିବ ନାହିଁ । ତେବେ ପରିବହନ, ବିକ୍ଷୋଭ ଏବଂ ଭିତ୍ତିଭୂମିର ସୁରକ୍ଷା ପାଇଁ କଟକଣା ଲାଗୁ କରାଯିବ ।

ଦୂତାବାସ ଖାଲି କରିବ ରୁଷ୍‌

ୟୁକ୍ରେନ୍ ସହ ବିବାଦ ଚରମ ସୀମାରେ ପହଞ୍ଚିଥିବାରୁ ୟୁକ୍ରେନ୍‌ସ୍ଥିତ ନିଜ ଦୂତାବାସର ସବୁ କର୍ମଚାରୀଙ୍କୁ ପ୍ରତ୍ୟାହାର କରିନିଆଯିବ ବୋଲି ବୁଧବାର ରୁଷ୍ ସରକାର ସୂଚନା ଦେଇଛନ୍ତି । ଦୁଇ ଦେଶ ମଧ୍ୟରେ ଯୁଦ୍ଧ ପରିସ୍ଥିତି ଘୋଟି ଆସୁଥିବାରୁ ୟୁକ୍ରେନ୍‌ରେ ଅବସ୍ଥାପିତ କୂଟନୀତିଜ୍ଞଙ୍କ ସମେତ ସବୁ କର୍ମଚାରୀଙ୍କ ସୁରକ୍ଷା ପ୍ରତି ଧ୍ୟାନ ଦେବା ଆମର ପ୍ରଥମ କର୍ତ୍ତବ୍ୟ ବୋଲି ରୁଷ୍ ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର କହିଛନ୍ତି । ଆନ୍ତର୍ଜାତିକ ଆଇନ ଅନୁଯାୟୀ ଯୁଦ୍ଧ ଆରମ୍ଭ ହେଲେ, ସାଧାରଣତଃ ଶତ୍ରୁ ରାଷ୍ଟ୍ରର କୂଟନୀତିଜ୍ଞ କିମ୍ବା ଦୂତାବାସ ଉପରେ କୌଣସି ପ୍ରକାର ଆକ୍ରମଣ କରାଯାଇନଥାଏ । ତେବେ କେତେକ ରାଷ୍ଟ୍ର ପୂର୍ବରୁ ଏଭଳି ଆଇନ ଉଲ୍ଲଂଘନ କରିଥିବାର ଦୃଷ୍ଟାନ୍ତ ରହିଥିବାରୁ ରୁଷ୍ କୌଣସି ରିସ୍କ୍ ନେବାକୁ ଆଗ୍ରହ ପ୍ରକାଶ କରୁନଥିବା କୁହାଯାଇଛି ।