ଭାରତୀୟ ପୁରୁଷ ହକି ଦଳ ଘୋଷିତ

ସ୍ପେନ୍ ବିପକ୍ଷ ଏଫ୍ଆଇଏଚ୍ ପ୍ରୋ-ଲିଗ୍

ଭୁବନେଶ୍ୱର : ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ରେ ଖେଳାଯିବାକୁ ଥିବା ସ୍ପେନ୍ ବିପକ୍ଷ ଏଫ୍‌ଆଇଏଚ୍ ପ୍ରୋ-ଲିଗ୍ ମ୍ୟାଚ୍ ପାଇଁ ମଙ୍ଗଳବର ଭାରତୀୟ ପୁରୁଷ ହକି ଦଳ ଘୋଷିତ ହୋଇଛି । ଅଭିଜ୍ଞ ମନ୍‌ପ୍ରୀତ୍ ସିଂହଙ୍କ ନେତୃତ୍ୱରେ ଘୋଷିତ ୨୦ ଜଣିଆରେ ଦଳରେ ଓଡ଼ିଶାର ଦୁଇ ଖେଳାଳି ଶିଳାନନ୍ଦ ଲାକ୍ରା ଓ ଦୀପ୍‌ସାନ୍ ତିର୍କୀଙ୍କ ସ୍ଥାନ ମିଳିଛି । ଡ୍ରାଗ୍‌ଫ୍ଲିକ୍ ସ୍ପେଶାଲିଷ୍ଟ ହରମନ୍‌ପ୍ରୀତ୍ ସିଂହଙ୍କୁ ଉପଅଧିନାୟକ ନିଯୁକ୍ତ କରାଯାଇଥିବା ବେଳେ ନୂଆମୁହଁ ଭାବେ ପଞ୍ଜାବର ଉଦୀୟମାନ ଯୁବ ଫରୱାର୍ଡ ସୁଖଜିତ ସିଂହଙ୍କୁ ଦଳରେ ସ୍ଥାନ ମିଳିଛି । ତେବେ ଟୋକିଓ ଅଲିମ୍ପିକ୍‌ସର ବ୍ରୋଞ୍ଜ୍ ପଦକ ବିଜେତା ଦଳର ସଦସ୍ୟ ଥିବା ଓଡ଼ିଆ ଖେଳାଳି ଅମିତ୍ ରୋହିଦାସଙ୍କୁ ଷ୍ଟାଣ୍ଡ୍‌ବାଏ ରଖାଯାଇଛି ।

ସେହିପରି କ୍ରିଷ୍ଣା ବାହଦୁର ପାଠକ, ରାଜକୁମାର ପାଲ୍‌, ମୋଇରାଙ୍ଗଥେମ୍ ରାବିଚନ୍ଦ୍ର ସିଂହ ଓ ଦିଲ୍‌ପ୍ରୀତ୍ ସିଂହଙ୍କୁ ମଧ୍ୟ ଷ୍ଟାଣ୍ଡବାଏ ଖେଳାଳି ଭାବେ ଦଳରରେ ସାମିଲ କରାଯାଇଛି । ମୁଖ୍ୟ କୋଚ୍ ଗ୍ରାହମ୍ ରିଡ୍ କହିଛନ୍ତି, ‘ଇଂଲଣ୍ଡଠାରୁ ପରାଜିତ ହେବା ପରେ ନୂଆ କୋଚ୍‌ଙ୍କ ଅଧୀନରେ ସ୍ପେନ୍ ଆମ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ପାଇଁ ଚେଷ୍ଟା କରିବ । ତେବେ ଆମେ ଏକ ସନ୍ତୁଳିତ ଦଳ ଚୟନ କରିଛୁ ଏବଂ ଦଳ ଭୁବନେଶ୍ୱରର ଘରୋଇ ପରିବେଶରେ ଉନ୍ନତ ପ୍ରଦର୍ଶନ କରିବ ବୋଲି ଆଶା । ମ୍ୟାଚ୍ ଦୁଇଟି ଫେବୃଆରୀ ୨୬ ଓ ୨୭ ତାରିଖରେ ଅନୁଷ୍ଠିତ ହେବ ।

ଭାରତୀୟ ଦଳ: ଗୋଲ୍‌କିପର୍‌- ପିଆର୍ ଶ୍ରୀଜେଶ, ସୂରଜ କେରକେରା । ଡିଫେଣ୍ଡର- ହରମନ୍‌ପ୍ରୀତ୍ ସିଂ (ଉପଅଧିନାୟକ), ମନଦୀପ ମୋର୍‌, ସୁରେନ୍ଦ୍ର କୁମାର, ବରୁଣ କୁମାର, ଜମାନ୍‌ପ୍ରୀତ୍ ସିଂ, ଦୀପ୍‌ସାନ୍ ତିର୍କୀ । ମିଡ୍‌ଫିଲ୍ଡର- ମନ୍‌ପ୍ରୀତ ସିଂ (ଅଧିନାୟକ), ବିବେକ ସାଗର ପ୍ରସାଦ, ହାର୍ଦ୍ଦିକ ସିଂ, ଜସ୍‌କରଣ ସିଂ, ଶମଶେର ସିଂ, ନୀଳକଣ୍ଠ ଶର୍ମା, ଆକାଶଦୀପ୍ ସିଂ । ଫରୱାର୍ଡ- ମନ୍‌ଦୀପ୍ ସିଂ, ଲଳିତ କୁମାର ଉପାଧ୍ୟାୟ, ଶିଳାନନ୍ଦ ଲାକ୍ରା, ସୁଖଜିତ୍ ସିଂ । ଷ୍ଟାଣ୍ଡ୍‌ବାଏ- କ୍ରିଷ୍ଣା ବାହାଦୁର ପାଠକ, ଅମିତ ରୋହିଦାସ, ରାଜକୁମାର ପାଲ୍‌, ମୋଇରାଙ୍ଗଥେମ୍ ରାବିଚନ୍ଦ୍ର ସିଂହ ଓ ଦିଲ୍‌ପ୍ରୀତ୍ ସିଂହ ।