ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କଲେ ଶାହା

ଏସଆଇଟି ଆମକୁ ଯାଞ୍ଚରେ ସହଯୋଗ ମାଗିଥିଲା ଏବଂ ଆମେ ତାହା ମଧ୍ୟ କରିଥିଲୁ…

ନୂଆଦିଲ୍ଲୀ : ୨୦୦୨ ଗୁଜୁରାଟ ଦଙ୍ଗା ମାମଲାରେ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା କ୍ଲିନଚିଟ ବିରୁଦ୍ଧରେ ସୁପ୍ରିମକୋର୍ଟରେ ଦାୟର ହୋଇଥିବା ପିଟିସନ ଖାରଜ ହୋଇଯାଇଛି । ଏହାପରେ ବିଜେପି ପକ୍ଷରୁ ବିରୋଧୀମାନଙ୍କ ବିରୁଦ୍ଧରେ ଅତ୍ୟଧିକ ଆକ୍ରମଣାତ୍ମକ ହୋଇଛି । କେନ୍ଦ୍ର ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗୁଜୁରାଟ ଦଙ୍ଗା ଲାଗି ମୋଦୀଙ୍କ ଉପରେ ଅଭିଯୋଗ ଆଣିଥିବା ବ୍ୟକ୍ତିମାନଙ୍କୁ କ୍ଷମା ମାଗିବା ପାଇଁ ଦାବି କରି ନ୍ୟାସନାଲ ହେରାଲ୍ଡ ମାମଲାରେ ଇଡ଼ିର ଯାଞ୍ଚ ସାମ୍ନା କରୁଥିବା ରାହୁଲ ଗାନ୍ଧୀଙ୍କ ଉପରେ ତୀବ୍ର ଆକ୍ରମଣ କରିଛନ୍ତି । ରାହୁଲ ଗାନ୍ଧୀଙ୍କ ନାମୋଲ୍ଲେଖ ନ କରି ଶାହା କହିଛନ୍ତି ମୋଦୀଜୀ ଏସଆଇଟି ସମ୍ମୁଖରେ ନାଟକ କରିବା ପାଇଁ ଯାଇନଥିଲେ ।

କିମ୍ବା ତାଙ୍କ ସମର୍ଥନରେ ଗାଁ ଗାଁରୁ ବିଧାୟକ, ସାଂସଦ କିମ୍ବା ପୂର୍ବ ସାଂସଦମାନଙ୍କୁ ଡକାଇ ନାଟକ କରିନଥିଲେ । ଅନ୍ୟ ଏକ ମାମଲାରେ ନିଜର ଗିରଫ ମାମଲାର ଉଲ୍ଲେଖ କରି ସ୍ୱରାଷ୍ଟ୍ରମନ୍ତ୍ରୀ କହିଥିଲେ ଯେ ଆମେ ନ୍ୟାୟିକ ପ୍ରକ୍ରିୟାରେ ସବୁ ସମୟରେ ସହଯୋଗ କରିଆସିଛୁ । ଏସଆଇଟି ଆମକୁ ଯାଞ୍ଚରେ ସହଯୋଗ ମାଗିଥିଲା ଏବଂ ଆମେ ତାହା ମଧ୍ୟ କରିଥିଲୁ । ନ୍ୟାସନାଲ ହେରାଲ୍ଡ ମାମଲାରେ କଂଗ୍ରେସ ପକ୍ଷରୁ ଯେଉଁଭଳି ଭାବରେ ଧାରଣା ପ୍ରଦର୍ଶନ ଓ ସତ୍ୟାଗ୍ରହ ଭଳି କାର୍ଯ୍ୟକ୍ରମ ଚାଲିଛି ତାହା କେବଳ ନାଟକବାଜି ଅଟେ ।