ହିଂସା ସୃଷ୍ଟିକାରୀଙ୍କୁ ସୁପ୍ରିମକୋର୍ଟଙ୍କ ଚାବୁକ୍‌

ଅଭିଯୋଗ ବିନା କାର୍ଯ୍ୟାନୁଷ୍ଠାନ କରିବ ପୁଲିସ…..

ନୂଆଦିଲ୍ଲୀୂ: ହିଂସାକାଣ୍ଡ ଓ ରକ୍ତପାତର ସୂତ୍ରଧରଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସୁପ୍ରିମକୋର୍ଟ ପୁଲିସକୁ ନିର୍ଦ୍ଦେଶ ଦେଇଛନ୍ତି । ବିଦ୍ୱେଷମୂଳକ ଭାଷଣ ଜରିଆରେ ସମାଜକୁ ଉସୁକାଉଥିବା ଲୋକଙ୍କୁ ଗିରଫ କରିବା ପାଇଁ ଆଉ ଅଭିଯୋଗକୁ ଅପେକ୍ଷା କରିବାର ଆବଶ୍ୟକତା ନାହିଁ ବୋଲି ସ୍ପଷ୍ଟ କରିଛନ୍ତି ସୁପ୍ରିମକୋର୍ଟ । ଏପରିକି ହିଂସା ସୃଷ୍ଟିକାରୀ ବ୍ୟକ୍ତିଙ୍କ ପ୍ରତି ଉଦାର ମନୋଭାବ ପୋଷଣ କରୁଥିବା ପୁଲିସ ଅଧିକାରୀଙ୍କ ବିରୋଧରେ ଅଦାଲତଙ୍କ ନିର୍ଦ୍ଦେଶ ଅବମାନନା ମାମଲା ରୁଜୁ କରାଯିବ ।

ଏକବିଂଶ ଶତାବ୍ଦୀରେ ଗୋଟିଏ ଧର୍ମନିରପେକ୍ଷ ଦେଶରେ ସମାଜକୁ ତଳିତଳାନ୍ତ ପାଇଁ ଧର୍ମର ଦ୍ୱାହି ଦିଆଯାଉଥିବାରୁ ସୁପ୍ରିମକୋର୍ଟ ଉଦ୍‌ବେଗ ପ୍ରକାଶ କରିଛନ୍ତି । ଶୁକ୍ରବାର ହିଂସା ସୃଷ୍ଟିକାରୀ ଭାଷଣ ପ୍ରସଙ୍ଗରେ ଆଗତ ଏକ ମାମଲାର ବିଚାର କରି ସୁପ୍ରିମକୋର୍ଟ କଡ଼ା ଆଭିମୁଖ୍ୟ ପୋଷଣ କରିଛନ୍ତି ।

ସୁପ୍ରିମକୋର୍ଟ ଜାଣିବାକୁ ଚାହିଁଥିଲେ ଯେ ହିଂସା ସୃଷ୍ଟିକାରୀ ଭାଷଣ ଦେଉଥିବା ବ୍ୟକ୍ତିଙ୍କ ବିରୋଧରେ ଆବେଦନକାରୀ ପୁଲିସ ଥାନାକୁ ଯାଇ ଅଭିଯୋଗ କରିଛନ୍ତି କି ସିଧାସଳଖ କୋର୍ଟକୁ ଆସିଛନ୍ତି । ଆବେଦନକାରୀଙ୍କ ଓକିଲ କପିଲ ସିବଲ ସ୍ପଷ୍ଟ କରି ଦେଇଥିଲେ ଯେ ଅଭିଯୋଗକାରୀଙ୍କ ଏକାଧିକବାର ଅଭିଯୋଗ ସତ୍ୱେ ପୁଲିସ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲାନି । ଅତଏବ ଅଭିଯୋଗକାରୀ ଅନ୍ୟ କୌଣସି ବାଟ ନପାଇ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି ।

ତହୁଁ ଜଷ୍ଟିସ କେଏମ୍‌ ଯୋସେଫ ଆଇନଜୀବୀ ସିବଲଙ୍କୁ ପଚାରିଲେ, ଆପଣ କେନ୍ଦ୍ର ସରକାରଙ୍କର ଆଇନ ମନ୍ତ୍ରୀ ଥିବା ସମୟରେ ହିଂସା ଉଦ୍ରେକକାରୀଙ୍କ ବିରୋଧରେ କୌଣସି ଦଣ୍ଡ ବିଧାନ କରିଥିଲେ କି? କପିଲ ସିବଲଙ୍କ ଜବାବ ଥିଲା, ‘ବିଜେପି ସାଂସଦ ପ୍ରବେଶ ଶର୍ମା ମୁସଲିମଙ୍କୁ ବାସନ୍ଦ କରାଯିବା କଥା କହୁଛନ୍ତି ଓ ପୁଲିସକୁ ମୂକଦର୍ଶକ ଅଭିନୟ କରିବାକୁ କହୁଛନ୍ତି ।’

ଜଷ୍ଟିସ ଯୋସେଫ ପୁଣି ସିବଲଙ୍କୁ ପ୍ରଶ୍ନ କରିଥିଲେ, କେବଳ ମୁସଲିମ ଗୋଷ୍ଠୀ ସମାଜରେ ହିଂସା ସୃଷ୍ଟିକାରୀ ଭାଷଣ ଦେଉଛନ୍ତି? ଜଷ୍ଟିସଙ୍କର ଏ ପ୍ରଶ୍ନରେ ସିବଲ ଦୁଇପକ୍ଷ ପରସ୍ପର ଗାଳିଫଜିତ କରୁଥିବା କହିଥିଲେ । ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ ସୁପ୍ରିମକୋର୍ଟ ସିଧାସିଧା କହିଥିଲେ, ଧର୍ମନିରପେକ୍ଷ ରାଷ୍ଟ୍ରରେ ବିଦ୍ୱେଷପୂର୍ଣ୍ଣ ଭାଷଣ ପ୍ରଦାନକାରୀଙ୍କୁ କଦାପି ବରଦାସ୍ତ କରାଯିବନି ।