ଟି-୨୦ ବିଶ୍ୱକପ୍: ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ

ନୂଆଦିଲ୍ଲୀ: ଦୁଇ ଚିରପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ ପୁଣିଥରେ କ୍ରିକେଟ୍ ମଇଦାନରେ ମୁହାଁମୁହିଁ ହେବେ। ୨୦୧୯ ଦିନିକିଆ ବିଶ୍ୱକପ୍ ପରେ ଆଉ ଏକ କ୍ରିକେଟ୍ ମହାକୁମ୍ଭରେ ଭାରତ ଓ ପାକିସ୍ତାନ ମଧ୍ୟରେ ଟକ୍କର ହେବାକୁ ଯାଉଛି। ଅକ୍ଟୋବର ମାସରେ ୟୁଏଇରେ ଆୟୋଜିତ ହେବାକୁ ଯାଉଥିବା ଆଇସିସି ଟି-୨୦ ବିଶ୍ୱକପ୍ ପାଇଁ ଆଇସିସି ଗ୍ରୁପ୍‌ର ଘୋଷଣା କରିଛି। ବଡ଼ କଥା ହେଉଛି ଟୁର୍ଣ୍ଣାମେଣ୍ଟରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଛନ୍ତି।

ଉଭୟ ଭାରତ ଓ ପାକିସ୍ତାନ ଟି-୨୦ ବିଶ୍ୱକପ୍‌ର ଗ୍ରୁପ୍-ବିରେ ରହିଛନ୍ତି। ଏହି ଗ୍ରୁପରେ ଭାରତ ଓ ପାକିସ୍ତାନ ବ୍ୟତୀତ ନ୍ୟୁଜିଲ୍ୟାଣ୍ଡ, ଆଫଗାନିସ୍ତାନ ଓ ଅନ୍ୟ ଦୁଇ କ୍ୱାଲିଫାୟର୍ସ ସ୍ଥାନ ପାଇଛନ୍ତି। ସେହିପରି ଗ୍ରୁପ୍-୧ରେ ଡିଫେଣ୍ଡିଂ ଚାମ୍ପିୟନ୍ ୱେଷ୍ଟଇଣ୍ଡିଜ୍, ଇଂଲଣ୍ଡ, ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ସହ ଦୁଇ କ୍ୱାଲିଫାୟର୍ସ ଟିମ୍ ରହିଛନ୍ତି।

ଶେଷଥର ପାଇଁ ୨୦୧୯ରେ ଇଂଲଣ୍ଡରେ ଅନୁଷ୍ଠିତ ଦିନିକିଆ ବିଶ୍ୱକପରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିଲେ। ଏବେ ପୁଣିଥରେ ଭାରତ ଓ ପାକିସ୍ତାନ ଗୋଟିଏ ଗ୍ରୁପରେ ସ୍ଥାନ ପାଇଥିବାରୁ ଫ୍ୟାନଙ୍କ ମଧ୍ୟରେ ଏବେଠାରୁ ନାହିଁ ନଥିବା ଉତ୍ସାହ ଦେଖିବାକୁ ମିଳିଲାଣି। ଟି-୨୦ ବିଶ୍ୱକପ୍ ଚଳିତ ବର୍ଷ ଅକ୍ଟୋବର ୧୭ରୁ ନଭେମ୍ବର ୧୪ ତାରିଖ ଯାଏ ୟୁଏଇ ଓ ଓମାନରେ ଆୟୋଜିତ ହେବ। ତେବେ ଟୁର୍ଣ୍ଣାମେଣ୍ଟର ଆୟୋଜନ ଭାର ଭାରତ ହାତରେ ରହିବ। କରୋନା ମହାମାରୀର ଦ୍ୱିତୀୟ ଲହର ଯୋଗକୁ ଭାରତରେ ଟି-୨୦ ବିଶ୍ୱକପ୍ କରାଯାଇପାରିବ ନାହିଁ ବୋଲି ବିସିସିଆଇ ସ୍ପଷ୍ଟ କରିଦେଇଥିଲା। ଯାହା ପରେ ଆଇସିସି ଟି-୨୦ ବିଶ୍ୱକପକୁ ୟୁଏଇରେ ଆୟୋଜନ କରିବାକୁ ନିଷ୍ପତ୍ତି ନେଇଛି।

ସୂଚନାଯୋଗ୍ୟ, କରୋନା ଯୋଗୁ ଗତ ବର୍ଷ ଅଷ୍ଟ୍ରେଲିଆରେ ଆୟୋଜିତ ହେବାକୁ ଥିବା ଟି-୨୦ ବିଶ୍ୱକପକୁ ସ୍ଥଗିତ କରାଯାଇଥିଲା। ଏହି ବିଶ୍ୱକପ୍ ଆସନ୍ତାବର୍ଷ ଆୟୋଜନ କରାଯିବା ପାଇଁ ସ୍ଥିର ହୋଇଛି।