ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶକୁ ଜିଏସଟି କ୍ଷତିପୂରଣ ଆକାରରେ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଲେ କେନ୍ଦ୍ର ସରକାର

ଏପ୍ରିଲରୁ ଜୁନ୍‌, ୨୦୨୨ ଅବଧି ପାଇଁ ବଳକା ଜିଏସଟି କ୍ଷତିପୂରଣ ଆକାରରେ କେନ୍ଦ୍ର ସରକାର ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ୧୭ ହଜାର କୋଟି ଟଙ୍କା ଯୋଗାଇ ଦେଇଛନ୍ତି । ଏହି ଅର୍ଥରାଶି ନଭେମ୍ବର ୨୪, ଗୁରୁବାର ଦିନ ଜାରି କରାଯାଇଛି । ଉପରୋକ୍ତ ପରିମାଣ ସମେତ ବର୍ତ୍ତମାନ ସୁଦ୍ଧା ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶମାନଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷରେ ମୋଟ ୧,୧୫,୬୬୨ କୋଟି ଟଙ୍କାର କ୍ଷତିପୂରଣ ଯୋଗାଇ ଦିଆଯାଇଛି ।

ଜିଏସଟି କ୍ଷତିପୂରଣ ବାବଦରେ ଓଡ଼ିଶାକୁ କେନ୍ଦ୍ର ସରକାରଙ୍କ ଠାରୁ ୫୨୪ କୋଟି ଟଙ୍କା ମିଳିଛି ।

ଅକ୍ଟୋବର ୨୦୨୨ ସୁଦ୍ଧା ମୋଟ୍‌ ୭୨,୧୪୭ କୋଟି ଟଙ୍କାର ସେସ୍‌ ବା ଉପକର ସଂଗ୍ରହ ହୋଇଥିବା ସତ୍ତ୍ବେ କେନ୍ଦ୍ର ସରକାର ନିଜସ୍ବ ଉତ୍ସରୁ ବଳକା ୪୩,୫୧୫ କୋଟି ଟଙ୍କାର କ୍ଷତିପୂରଣ ରାଶି ରାଜ୍ୟମାନଙ୍କୁ ଯୋଗାଇ ଦେଇଛନ୍ତି । କେନ୍ଦ୍ର ସରକାର ଏହି ଅର୍ଥରାଶି ଜାରି କରିବା ସହିତ ଚଳିତ ଆର୍ଥିକ ବର୍ଷର ମାର୍ଚ୍ଚ ସୁଦ୍ଧା ସଂଗ୍ରହ କରାଯିବାକୁ ଥିବା ଆନୁମାନିକ ସେସର ସମ୍ପୂର୍ଣ୍ଣ ପରିମାଣ, ଅଗ୍ରୀମ ଆକାରରେ, ରାଜ୍ୟମାନଙ୍କୁ କ୍ଷତିପୂରଣ ଭାବେ ଯୋଗାଇ ଦେଇଛନ୍ତି । ରାଜ୍ୟମାନଙ୍କୁ ସେମାନଙ୍କର ସମ୍ବଳ ପରିଚାଳନାରେ ସହାୟତା ଲାଗି ଏହି ନିଷ୍ପତ୍ତି ନିଆଯାଇଛି । ଯାହାଫଳରେ ସେମାନେ ଚଳିତ ଆର୍ଥିକ ବର୍ଷରେ ନିଜର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ, ବିଶେଷ କରି ପୁଞ୍ଜି ବ୍ୟୟ କାର୍ଯ୍ୟକ୍ରମକୁ ସଫଳତା ପୂର୍ବକ କାର୍ଯ୍ୟକାରୀ କରିପାରିବେ ।

ଚଳିତ ବର୍ଷ ମେ’ ମାସରେ, ଜିଏସଟି କ୍ଷତିପୂରଣ ପାଣ୍ଠିରେ  ମାତ୍ର ୨୫ ହଜାର କୋଟି ଟଙ୍କା ଥିବା ସତ୍ତ୍ବେ କେନ୍ଦ୍ର ସରକାର ଫେବୃଆରୀ-ମେ’ ୨୦୨୨ରେ ରାଜ୍ୟମାନଙ୍କୁ ପ୍ରାରମ୍ଭିକ ଜିଏସଟି କ୍ଷତିପୂରଣ ଆକାରରେ ୮୬ ହଜାର ୯୧୨ କୋଟି ଟଙ୍କା ଯୋଗାଇ ଦେଇଥିଲେ । ଏଥିପାଇଁ କେନ୍ଦ୍ର ସରକାର ନିଜସ୍ବ ଉତ୍ସରୁ ୬୨ ହଜାର କୋଟି ଟଙ୍କାର ପାଣ୍ଠି ଯୋଗାଡ଼ କରିଥିଲେ ।

ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶମାନଙ୍କୁ ଜାରି କରାଯାଇଥିବା ଜିଏସଟି କ୍ଷତିପୂରଣ ଅର୍ଥରାଶିର ବିବରଣୀ ନିମ୍ନ ସାରଣୀରେ ଦିଆଗଲା:

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଙ୍କ ନାମ (ଟଙ୍କା କୋଟିରେ)
ଆନ୍ଧ୍ରପ୍ରଦେଶ 682
ଆସାମ 192
ବିହାର 91
ଛତିଶଗଡ଼ 500
ଦିଲ୍ଲୀ 1,200
ଗୋଆ 119
ଗୁଜରାଟ 856
ହରିୟାଣା 622
ହିମାଚଳ ପ୍ରଦେଶ 226
ଜମ୍ମୁ ଓ କଶ୍ମୀର 208
ଝାଡ଼ଖଣ୍ଡ 338
କର୍ଣ୍ଣାଟକ 1,915
କେରଳ 773
ମଧ୍ୟପ୍ରଦେଶ 722
ମହାରାଷ୍ଟ୍ର 2,081
ଓଡ଼ିଶା 524
ପୁଡୁଚେରୀ 73
ପଞ୍ଜାବ 984
ରାଜସ୍ଥାନ 806
ତାମିଲନାଡ଼ୁ 1,188
ତେଲଙ୍ଗାନା 542
ଉତ୍ତର ପ୍ରଦେଶ 1,202
ଉତ୍ତରାଖଣ୍ଡ 342
ପଶ୍ଚିମବଙ୍ଗ 814
ମୋଟ୍‌ 17,000