‘ପିଲାମାନେ ଚାଲିଗଲେ, କାହା ପାଇଁ ବଂଚିବୁ’

ଜଣେ କି ଦୁଇଜଣ ନୁହେଁ ଗୋଟିଏ ପରିବାରର ଚାରିଜଣ ପିଲାଙ୍କର ଜୀବନ ଚାଲିଯାଇଛି । ଉନ୍ନାବ ଜିଲ୍ଲାର ବାରାସଗର ଅଂଚଳରେ ଏଭଳି କରୁଣ ଦୃଶ୍ୟ ଦେଖିବାକୁ ମିଳିଛି । ରବିବାର ଦିନ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଭାଇଭଉଣୀ ଚାରିଜଣ ମରି ଯାଇଛନ୍ତି । ବାରାସଗବର ଅନ୍ତର୍ଗତ ଲାଲମନ ଗ୍ରାମ ନିବାସୀ ବୀରେନ୍ଦ୍ର କୁମାରଙ୍କ ଘରେ ଏହି ଅଘଟଣ ଘଟିଛି ।

ପିଲାମାନେ ଘରେ ଖେଳୁଥିବା ସମୟରେ ଦୈବାତ୍‌ କ୍ରମେ ସେମାନଙ୍କ ଭିତରୁ ଜଣେ ଚଟାଣରେ ରଖା ଯାଇଥିବା ଫ୍ୟାନ୍‌ଟିକୁ ଛୁଇଁ ଦେଇଥିଲା । ଫ୍ୟାନ୍‌ ଜାଲିରେ ବିଦୁୃ୍ୟତ୍‌ ପ୍ରବାହିତ ହେଉଥିବାର କେହି ଜାଣି ନଥିଲେ । ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିବା ପିଲାଟି ଉଦ୍ଧାର ପାଇଁ ଡାକ ପକାଇବା ଦେଖି ଅନ୍ୟ ପିଲାମାନେ ଜଣକ ପରେ ଜଣେ କରି ତାକୁ ଛୁଇଁ ପକାଇଲେ । ଫଳରେ ଘଟଣାସ୍ଥଳରେ ଚାରିଜଣ ପିଲାଙ୍କର ଜୀବନ ଚାଲିଗଲା ।

ସଂପୃକ୍ତ ଘର ୱେୟାରିଂ ହୋଇ ନଥିଲା । ଫ୍ୟାନ୍‌ଟି ବହୁତ ପୁରୁଣା ଥିଲା । ଆଜିକାଲି ବଜାରରେ ପ୍ଲାଷ୍ଟିକ୍‌ ଫ୍ୟାନ୍‌ ମିଳୁଛି । କିନ୍ତୁ ପିଲାଙ୍କୁ ମରଣମୁହଁକୁ ଟାଣି ନେଇଥିବା ଫ୍ୟାନ୍‌ଟି ସଂପୂର୍ଣ୍ଣ ଲୁହାରେ ତିଆରି ହୋଇଥିଲା । ପିଲାଙ୍କ ମୃତଦେହ ଦେଖି ବୀରେନ୍ଦ୍ର ଓ ତାଙ୍କ ପତ୍ନୀ ମୁଣ୍ଡ ପିଟି କାନ୍ଦିଥିଲେ । କାନ୍ଦବୋବାଳି ଶୁଣି ପଡୋଶୀମାନେ ଧାଇଁ ଆସିଥିଲେ ।