ଖଜୁରୀ ଗଛର କି’ ଗୁଣ ଗାଇବ: ବିଏମସିର ପ୍ରତି ଧୂଳିରେ ଦୁର୍ନୀତିର ଗନ୍ଧ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅମଳରେ ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ସରକାରୀ ସ୍ୱୀକୃତି ମିଳିଛି । ୫ ପାଳି ମୁଖ୍ୟମନ୍ତ୍ରୀ ରହିବା ଭିତରେ ରାଜ୍ୟର ସବୁ ସରକାରୀ ଅଫିସ୍‌ ଦୁର୍ନୀତି ଓ ଭ୍ରଷ୍ଟାଚାରର ଏନ୍ତୁଡ଼ିଶାଳ ପାଲଟି ଗଲାଣି । ସେଥିରୁ ଭୁବନେଶ୍ୱର ବିଏମ୍‌ସି ବାଦ ଯିବ କିପରି? ବିଜେଡି ମେୟର ସୁଲୋଚନା ଦାସ ସରକାରଙ୍କ ଦୋଷତ୍ରୁଟିକୁ ଯେତେ ଘୋଡ଼ାଇବାକୁ ଉଦ୍ୟମ କରୁଛନ୍ତି, ବିଏମସିର ସବୁ ଫାଇଲ ଭିତରୁ ଦୁର୍ନୀତି ଓ ଭ୍ରଷ୍ଟାଚାରର ଦୁର୍ଗନ୍ଧ ବାହାରୁଛି ।

ଭୁବନେଶ୍ୱର ମହାନଗର ନିଗମ ଅଂଚଳରେ ଯେତିକିଟି ଜାଗା ମିଶନ ହୋର୍ଡିଂ ଲଗାଯାଇଛି । ସେଥିପାଇଁ ଯେତିକି ପରିମାଣର ଟଙ୍କା ରାଜକୋଷରୁ ଯାଇଛି । ତା’ ତୁଳନାରେ ଯୋଗ୍ୟ ଭୂମିହୀନ ବସ୍ତିବାସିନ୍ଦାଙ୍କୁ ଜାଗା ପଟ୍ଟା ମିଳିଥିବା ଏବେ ମଧ୍ୟ ରହସ୍ୟ ମନେହୁଏ । ଜାଗା ମିଶନ ସାଙ୍ଗକୁ ଆମ ପୋଖରୀ ଓ ମୁକ୍ତା ମିଶନ ପାଇଁ ବିଏମସି ଅଂଚଳରେ ବହୁ ହୋର୍ଡିଂ ଲଗାଯାଇଛି । ବିନା ଟେଣ୍ଡରରେ ବିଏମସି ଅଧିକାରୀଙ୍କ ମନକୁ ପାଇଲା ଭଳି ଠିକା ସଂସ୍ଥା ହାତକୁ ହୋର୍ଡିଂ ଲଗାଇବା କାମ ଟେକି ଦିଆଯାଉଛି । ତା’ ସହିତ ସରକାରୀ ଅଧିକାରୀଙ୍କ ମନକୁ ପାଇଲା ଭଳି ଦର ଧାର୍ଯ୍ୟ କରାଯାଉଛି ।

ଶୁଣିବାକୁ ମିଳୁଛି ବିଏମସିର କିଛି ଅସାଧୁ ଅଧିକାରୀଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟକୁ ଅବାଧରେ ଯା’ଆସ କରୁଥିବା କିଛି ଅଧିକାରୀଙ୍କର ଭିତିରି ସଂପର୍କ ରହିଛି । ଖାସ୍‌ ସେହି କାରଣରୁ ବିନା ଟେଣ୍ଡରରେ ସବୁ କାମ ଚାଲିଛି ।

ସବୁଠାରୁ ମଜାଦାର କଥା ହେଉଛି, ୨୦୨୧ ମସିହାରେ ଯୋଉ ହୋର୍ଡିଙ୍ଗ ଲଗାଇବା ଦର ଆକାଶକୁ ଲାଗିଥିଲା । ତାହା ୨୦୨୩ ମସିହାରେ ଖସିଯାଇଛି । ସବୁ ଜିନିଷର ଦରଦାମ କ୍ରମେ ବଢ଼ି ଚାଲିଥିଲା ବେଳେ ହୋର୍ଡିଂ ଲଗାଇବା ଦର କମିଯିବା ଅନେକଙ୍କୁ ଭାରି ବାଧୁଛି । ସରକାରଙ୍କ ଠିକାଦାର ତୋଷଣ ନୀତିକୁ କଡ଼ାକଡ଼ି ଲାଗୁ କରିବା ପାଇଁ ସବୁ ଦିଗରୁ ଚାପ ପଡୁଛି ।