ମୋଦୀଙ୍କ ରାଜନୀତିକୁ ଖତମ୍‌ କରିବେ ଶ୍ରୀରାମ

ଜାନୁୟାରୀ ୨୨ ତାରିଖ ପରଠାରୁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପତିଆରା କମିଯିବ । ମର୍ଯ୍ୟାଦା ପୁରୁଷୋତମ ପ୍ରଭୁ ଶ୍ରୀରାମଙ୍କ ବିଗ୍ରହରେ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟ ସମାପନ ପରେପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବେଳା ଖରାପ ପଡ଼ିଯିବ । ସତ କହୁଛି, ଅଯୋଧ୍ୟାର ପ୍ରସିଦ୍ଧ ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା ପରଠାରୁ ମୋଦୀଙ୍କ ରାଜନୀତି ଖତମ୍‌ ହୋଇଯିବ । ପ୍ରଭୁ ଶ୍ରୀରାମ ସତ୍ୟ, ଧର୍ମ ଓ ନ୍ୟାୟର ପ୍ରତୀକ । ସାମାନ୍ୟ ଅସତ୍ୟ, ଅଧର୍ମ ଓ ଅନ୍ୟାୟକୁ ସେ ବରଦାସ୍ତ କରନ୍ତି ନାହିଁ ।

କଥାରେ ଅଛି, ଗର୍ବ ଅହଂକାରକୁ ପ୍ରଭୁ କଦାପି ସହ୍ୟ କରନ୍ତି ନାହିଁ । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରଠାରୁ ନରେନ୍ଦ୍ର ମୋଦୀଙ୍କ ପ୍ରତିଟି କାମରେ ସତ୍ୟ, ଧର୍ମ ଓ ନ୍ୟାୟର ସାମାନ୍ୟ ଲକ୍ଷଣ ଦେଖିବାକୁ ମିଳୁନି ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ରାଜନୈତିକ ଗୋଠ ଭାବେ ପରିଚିତ ବିଜେପି ଏବେ ଦୁର୍ନୀତି ଓ ଭ୍ରଷ୍ଟାଚାରର ପାଳନକର୍ତା ସାଜିଛି । କଂଗ୍ରେସର ଦୁର୍ନୀତି ଓ ଭ୍ରଷ୍ଟାଚାରକୁ ଲୋପ କରିବାର ଦ୍ୱାହି ଦେଇ ବିଜେପି କ୍ଷମତାକୁ ଗଲା । ବିଦେଶରୁ କଳାଧନ ଉଦ୍ଧାର କରିବାର ପ୍ରତିଶ୍ରୁତି ଦେଇ ବିଜେପି କ୍ଷମତାକୁ ଗଲା ।

୧୦ ବର୍ଷର ଶାସନ ଭିତରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ହାବଭାବ, ଠାଣିମାଣି, ବେଶ ପରିପାଟୀ ବଦଳି ଯାଇଛି । ମାତ୍ର ଭାରତର ଅର୍ଥନୀତି ସୁଦୃଢ଼ ହୋଇନି । ଗୋଦରା କୋଡେ ଯେତେ ମାଡେ ସେତେ ନୀତିକୁ ଜାବୁଡି ଧରି ବିଜେପି ତା’ର ଆର୍ଥିକ ସାମ୍ରାଜ୍ୟକୁ ୫୨୭୧ କୋଟିରେ ପହଂଚାଇଛି ।
ପ୍ରଭୁ ଶ୍ରୀରାମଙ୍କ ଦୃଷ୍ଟିରେ ଏସବୁ କେଳେଙ୍କାରୀ କ’ଣ ଧରାପଡ଼ିବନି? ପ୍ରଧାନମନ୍ତ୍ରୀ ମୋଦୀଙ୍କର ତୃତୀୟ ପାଳି ପ୍ରଧାନମନ୍ତ୍ରୀ ଆଶା ଫଳବତୀ ହେବ ତ?