ମୋଦୀଙ୍କୁ ଟଳାଇବା ଅସମ୍ଭବ

ମହାଭ୍ରମରେ ବିଜେପି: ‘ଦେଶରେ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ନାହାନ୍ତି’

ଜନ୍ମାଷ୍ଟମୀ ଦିନ ରାଧାକୃଷ୍ଣ ମନ୍ଦିରକୁ ଯାଇଥିଲି । ସେଠାରେ ଧାଡ଼ିରେ ଠିଆ ହୋଇଥିଲି । ମୋ ଆଗରେ ଠିଆ ହୋଇଥିଲେ ଜଣେ ବ୍ୟକ୍ତି । କେଜାଣି କାହିଁକି ମୋତେ କିଛି ସମୟ ଦେଖିବା ପରେ କହିଲେ, ଆଜ୍ଞା ସତ କହିଲେ ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଭଲ ପ୍ରଧାନମନ୍ତ୍ରୀ ଆଉ ମିଳିବେନି । ମୁଁ ତାଙ୍କ ବକ୍ତବ୍ୟ ଶୁଣି ନିରବ ରହିଲି । ମୋ ମୌନକୁ ସେ ନିରବ ସମର୍ଥନ ଭାବିଲେ । ସେ ପୁଣି କହିଲେ, ମୋଦୀଙ୍କୁ ସାମ୍ନା କରିବା ପାଇଁ କେହି ନାହାନ୍ତି । ତାଙ୍କ ଶାସନରେ କଂଗ୍ରେସ ବାଲା ପୁରା ସାଇଜ ।

ମୋର ନିରବତାର ଫାଇଦା ନେଇ ସେ ମନ୍ଦିରଟାକୁ ରାଜନୀତି ଆଲୋଚନାର ପୀଠ କରିଦେଲେ । ମୁଁ ବେଶ ସଂକ୍ଷିପ୍ତ ଜବାବ ଦେଲି, ଆଜ୍ଞା, ରାଜନୈତିକ ଆଲୋଚନା କରିବା ପାଇଁ ଏଇଟା ଉପଯୁକ୍ତ ସ୍ଥାନ ନୁହେଁ । ଆପଣଙ୍କ ଆଲୋଚନା ବନ୍ଦ କରନ୍ତୁ ପ୍ଲିଜ ।

ମୋର ଜବାବ ବୋଧେ ତାଙ୍କୁ ବଡ଼ ବାଧିଲା । ସେ କିଛିକ୍ଷଣ ନିରବ ରହି ପଚାରିଲେ, ‘କହୁନାହାନ୍ତି ମୁଁ କ’ଣ ମିଛ କହିଲି ।’ ତାଙ୍କ ପ୍ରଶ୍ନର ଜବାବ ମୁଁ ଦେବାକୁ ଚାହୁଁ ନଥିଲି । କିନ୍ତୁ ସେ ମୋ’ଠାରୁ କିଛି ଗୋଟିଏ ଶୁଣିବାକୁ ଚାହୁଁଥିଲେ । ପୁଣି ଥରେ ପଚାରିଲେ, ମୋଦୀଙ୍କୁ ଟକ୍କର ଦେଲା ଭଳି କୋଉ ନେତା ଅଛି କହିଲେ?
ଆଉ ନିରବ ରହିବା ଅନୁଚିତ ଭାବି ମୁଁ ପାଟି ଖୋଲିଲି । ତାଙ୍କୁ କହିଲି, ଆପଣ ବୋଧହୁଏ ବିଜେପି ସମର୍ଥକ । ତା’ ନହେଲେ ମନ୍ଦିରଟାକୁ ରାଜନୈତିକ ଆଖଡ଼ା କରି ନଥାନ୍ତେ । ମୋଦୀ କ’ଣ ପୃଥିବୀ ବାହାରେ ଥିବା ଅନ୍ୟ କୌଣସି ଗ୍ରହ, ଉପଗ୍ରହ ଅବା ଗ୍ରହାଣୁ ପିଣ୍ଡରୁ ଆସିଛନ୍ତି । ତାଙ୍କୁ ସାମ୍ନା କରିବା ପାଇଁ ଦକ୍ଷ ଲୋକ ନାହାନ୍ତି ବୋଲି ଆପଣ କହୁଛନ୍ତି ।

ଦେଖନ୍ତୁ, ରକ୍ତମାଂସର ମଣିଷ ସେ । ତାଙ୍କ ମନରେ ଲୋଭ, ମୋହ, ମାୟା, ଅହଂକାର, ହୀନମଣ୍ୟତା ରହିବା ସ୍ୱାଭାବିକ । ନେହୁରୁଙ୍କ ମୃତ୍ୟୁ ପରେ ଦେଶର ଦ୍ୱିତୀୟ ପ୍ରଧାନମନ୍ତ୍ରୀ କିଏ ହେବ? ତାକୁ ନେଇ ହଇଚଇ ପଡ଼ିଗଲା । ଦେଶ ଭାସିଗଲା କି?

ବିଜେପି ମହାଭ୍ରମରେ ରହିଛି । ମୋଦୀଙ୍କୁ ସାମ୍ନା କରିବାର ଦକ୍ଷତା ରଖିଥିବା ଲୋକ ଠିକ୍‌ ସମୟରେ ପଦାକୁ ଗୋଡ଼ କାଢ଼ିବେ । ଏତେ ବିକଳ କାହିଁକି? ଆପଣ ଅପେକ୍ଷା କରନ୍ତୁ । ମନ୍ଦିର ବାହାରକୁ ଚାଲନ୍ତୁ । ବିରାଟ ଜନସଭା ଡାକନ୍ତୁ । ମୋଦୀଙ୍କ କଳାଚିଠାର ତାଲିକା ରଖିବି ।

ଦେଶରେ ୧୪୦ କୋଟି ଜନତାଙ୍କ ଭିତରେ ମୋଦୀଙ୍କୁ ସାମ୍ନା କରିବା ପାଇଁ ହଜାର ହଜାର ଲୋକ ଅଛନ୍ତି । ରାବଣ ମନରେ ବି ମହାଭ୍ରମ ଥିଲା, ତା’ଠାରୁ ବଳି ଶକ୍ତିଶାଳୀ ଯୋଦ୍ଧା ଆଉ କେହି ନାହାନ୍ତି ବୋଲି ପ୍ରଚାର କରୁଥିଲା ।

ବାସ୍ତବ ସ୍ଥିତି କ’ଣ ହେଲା? ଆପଣ ଜାଣନ୍ତି । ଯୁଗେ ଯୁଗେ ଯେ ଗର୍ବ କରିଛି, ମରିଛି । ଅହଂକାର କରିଛି ମରିଛି । ମୋଦୀଙ୍କ ଯଦି ସତ୍ୟ, ନ୍ୟାୟ ଓ ଧର୍ମରେ ଚାଲୁଥିବେ, ତାଙ୍କ ଗୁଣ ସମସ୍ତେ ଗାଇବେ । ଯଦି ୧୪୦ କୋଟି ଜନତାଙ୍କ ସହିତ ଛଳନା କରୁଥିବେ । ତେବେ ମହାଦଶା ଭୋଗିବେ ।