ଖେଳ ରତ୍ନ ପୁରସ୍କାରର ନାଁ ବଦଳିଲା

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ନାମାନୁସାରେ ନାମିତ ଦେଶର ଏହି ସର୍ବୋଚ୍ଚ କ୍ରୀଡ଼ା ସମ୍ମାନକୁ ଏବେ ଭାରତର ଅନ୍ୟତମ ‌ସର୍ବଶ୍ରେଷ୍ଠ ହକି ଖେଳାଳିଙ୍କ ସମ୍ମାନାର୍ଥେ ‘ମେଜର୍ ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ’ କୁହାଯିବ। ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଟ୍ୱିଟ୍ କରି ସୂଚନା ପ୍ରଦାନ କରିଛନ୍ତି। ମୋଦୀ କହିଛନ୍ତି ଯେ, ଏହି ଆୱାର୍ଡକୁ ମେଜର ଧ୍ୟାନଚନ୍ଦ ନାମରେ ନାମିତ କରିବାକୁ ସାରା ଦେଶରୁ ପ୍ରସ୍ତାବ ଆସୁଥିଲା। ସେଥିପାଇଁ ଲୋକଙ୍କ ଭାବନାକୁ ଦୃଷ୍ଟିରେ ରଖି ଏହାର ନାମ ପରିବର୍ତ୍ତନ କରାଯାଇଛି।

ଟୁଇଟ୍‌ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଲେଖିଛନ୍ତି, ମେଜର୍‌ ଧ୍ୟାନ ଚାନ୍ଦ୍‌ଙ୍କ ନାମାନୁସାରେ ‘ଖେଳ ରତ୍ନ ଆୱାର୍ଡ’କୁ ନାମିତ କରିବା ଲାଗି ମୁଁ ସମଗ୍ର ଭାରତରୁ ନାଗରିକମାନଙ୍କ ଠାରୁ ଅନୁରୋଧ ପାଇ ଆସୁଛି। ସେମାନଙ୍କ ପ୍ରସ୍ତାବ ପାଇଁ ଧନ୍ୟବାଦ ଜ୍ଞାପନ କରୁଛି। ସେମାନଙ୍କର ଭାବାବେଗ ପ୍ରତି ସମ୍ମାନ ପ୍ରଦର୍ଶନ କରି ଏତଦ୍ଦ୍ବାରା ‘ଖେଳ ରତ୍ନ ଆୱାର୍ଡ’କୁ ‘ମେଜର୍ ଧ୍ୟାନ ଚାନ୍ଦ୍‌ ଖେଳ ରତ୍ନ ଆୱାର୍ଡ’ କୁହାଯିବ!  ଜୟ ହିନ୍ଦ୍‌!

ପ୍ରଧାନମନ୍ତ୍ରୀ ଆହୁରି ମଧ୍ୟ ଲେଖିଛନ୍ତି ଯେ, ଭାରତ ପ୍ରତି ସମ୍ମାନ ଓ ଗୌରବ ଆଣିଥିବା ଅଗ୍ରଣୀ କ୍ରୀଡ଼ାବିତ୍‌ଙ୍କ ମଧ୍ୟରେ ମେଜର୍‌ ଧ୍ୟାନ ଚାନ୍ଦ୍‌ ଥିଲେ ଅନ୍ୟତମ। ତାଙ୍କ ନାମାନୁସାରେ ଆମ ଦେଶର ସର୍ବୋଚ୍ଚ କ୍ରୀଡ଼ା ସମ୍ମାନ ନାମିତ ହେବା ଯଥାର୍ଥ।