ଜଳଦସ୍ୟୁଙ୍କ କବଳରୁ ମାଲଟା ନାବିକଙ୍କୁ ଉଦ୍ଧାର କଲା ନୌସେନା

ନୂଆଦିଲ୍ଲୀ: ଆରବ ସାଗରରେ ମାତିଥିବା ଜଳଦସ୍ୟୁଙ୍କ କବଳରୁ ମାଲଟା ନାବିକଙ୍କୁ ଉଦ୍ଧାର କରିଛି ଭାରତୀୟ ନୌସେନା । ‘ଆଇଏନଏସ କୋଚି’ ଆରବ ସାଗରରେ ପଇଁତରା ମାରୁଥିଲା ବେଳେ ନଜରରେ ପଡ଼ିଥିଲା ମାଲଟା ଜାହାଜ ଏମ୍‌ ବି ରୁଏନ୍‌ । ଜାହାଜଟିକୁ ଜଳଦସ୍ୟୁମାନେ କାବୁ କରି ଲୁଟପାଟ କରୁୂଥିଲେ । ମାଲଟା ଜାହାଜରେ ନାବିକଙ୍କ ସମେତ ପ୍ରାୟ ୧୮ ଜଣ କର୍ମଚାରୀ ଥିଲେ । ଜଳଦସ୍ୟୁଙ୍କ ଗୁଳିମାଡ଼ରେ ଅଧିକାଂଶ କର୍ମଚାରୀ ଆହତ ହୋଇଥିଲେ ।

ଭାରତୀୟ ନୌସେନାର ଅତର୍କିତ ଆକ୍ରମଣରେ ଜଳଦସ୍ୟୁମାନେ ପଳାୟନ କରିଥିଲେ । ନୌସେନା ଯବାନମାନେ ଉକ୍ତ ଜାହାଜରୁ ଆହତ ନାବିକ ଓ ଅନ୍ୟାନ୍ୟ କର୍ମଚାରୀଙ୍କୁ ଉଦ୍ଧାର କରି ସେମାନଙ୍କର ଶ୍ରୁଶୁଷା କରିଛନ୍ତି ।

ସୂଚନା ମୁତାବକ ମାଲଟା ଜାହାଜଟି ସୋମାଲିଆ ଜଳସୀମାରେ ପଶି ଯାଇଥିଲା । ତାହା ଦେଖି ଜଳଦସ୍ୟୁମାନେ ଉକ୍ତ ଜାହାଜକୁ ଘେରି ଯାଇଥିଲେ । ବିପଦ ସୂଚନା ପାଇ ଭାରତୀୟ ନୌସେନା ସେଠାରେ ପହଂଚି ଯାଇଥିଲା ।