ଡେରାଡୁନରୁ ଦିଲ୍ଲୀ ବନ୍ଦେ ଭାରତ ଟ୍ରେନ ଯାତ୍ରାକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ପିଆଇବି, ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ଡେରାଡୁନରୁ ଦିଲ୍ଲୀ ପର୍ଯ୍ୟନ୍ତ ବଂଦେ ଭାରତ ଏକ୍ସପ୍ରେସକୁ ଆଭାସୀ ମାଧ୍ୟମରେ ପତାକା ଦେଖାଇ ଯାତ୍ରାର ଶୁଭାରମ୍ଭ କରାଇଛନ୍ତି । ସେ ମଧ୍ୟ ନୂତନ ଭାବେ ବିଦୁତକରଣ ହୋଇଥିବା ରେଳପଥର ଉଦଘାଟନ କରିବା ସହ ଉତ୍ତରାଖଣ୍ଡକୁ ଶତପ୍ରତିଶତ ରେଳ ବିଦୁତକରଣ ରାଜ୍ୟ ଘୋଷଣା କରିଛନ୍ତି ।

ଉପସ୍ଥିତ ଜନତାଙ୍କୁ ଉଦବୋଧନ ଦେଇ ପ୍ରଧାନମନ୍ତ୍ରୀ ଉତ୍ତରାଖଣ୍ଡର ସମସ୍ତଙ୍କୁ ଡେରାଡୁନ-ଦିଲ୍ଲୀ ମଧ୍ୟରେ ବଂଦେ ଭାରତ ଏକ୍ସପ୍ରେସ ଚଳାଚଳ ପାଇଁ ଅଭିନନ୍ଦନ ଜଣାଇବା ସହ ଏହି ଟ୍ରେନ ଦେଶର ରାଜଧାନୀକୁ ଦେବଭୂମି ଉତ୍ତରାଖଣ୍ଡ ସହ ସଂଯୋଗ କରିବ ବୋଲି କହିଥିଲେ । ଦୁଇ ନଗରୀ ମଧ୍ୟରେ ଯାତ୍ରା ଅବଧି ଆହୁରି ହ୍ରାସ ପାଇବ ଓ ଟ୍ରେନରେ ଥିବା ସୁବିଧା ଯାତ୍ରୀମାନଙ୍କୁ ଏକ ଆମୋଦଦାୟକ ଅଭିଜ୍ଞତା ଦେବ ।

“ତାଙ୍କର ତିନି ଦେଶ ଜାପାନ, ପାପୁଆ ନିଉ ଗିନି ଓ ଅଷ୍ଟ୍ରେଲିଆ ଯାତ୍ରା ଉପରେ ଆଲୋକପାତ କରି ପ୍ରଧାନମନ୍ତ୍ରୀ କହିଥିଲେ ଯେ ସମଗ୍ର ବିଶ୍ୱ ଭାରତ ଠାରୁ ଅନେକ ଆଶା ରଖିଛି । ଯେତେବେଳେ ଆର୍ଥିକ ମଜଭୁତି ଓ ଦାରିଦ୍ର୍ୟ ବିରୁଦ୍ଧରେ ସଂଗ୍ରାମ ପ୍ରଶ୍ନ ଉଠେ ସେତେବେଳେ ବିଶ୍ୱ ନିମନ୍ତେ ଭାରତ ହିଁ ଏକ ଆଶାର କିରଣ ଭାବେ ଉଙ୍କି ମାରିଥାଏ” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ସେ ମଧ୍ୟ ଭାରତର ବୈଶ୍ୱିକ କରୋନା ଭୂତାଣୁ ମୁକାବିଲା ଏବଂ ଦେଶରେ ବିଶ୍ୱର ବୃହତମ ଟିକାକରଣ ଅଭିଯାନର ସଫଳତା ଉପରେ କହିଥିଲେ । ଯେତେବେଳେ ଭାରତ ବାହାରୁ ଅନେକ ଭାରତକୁ ଆସୁଛନ୍ତି ସେତେବେଳେ ଉତ୍ତରାଖଣ୍ଡ, ଭଳି ସୁନ୍ଦର ରାଜ୍ୟ ଏହି ପରିସ୍ଥିତିରେ ସୁଯୋଗ ନେବା ଆବଶ୍ୟକ । ବଂଦେ ଭାରତ ଏକ୍ସପ୍ରେସ ଯୋଗୁ ଉତ୍ତରାଖଣ୍ଡ ଏହି ସୁଯୋଗର ସମ୍ପୂର୍ଣ୍ଣ ସୁବିଧା ନେବ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ଯେତେବେଳେ କେଦାରନାଥ ଗସ୍ତ କରିଥିଲେ, ସେତେବେଳେ ତାଙ୍କ ମନରୁ ସ୍ୱତଃ ଗୁଞ୍ଜରି ଉଠିଥିଲା ‘ଏହି ଦଶନ୍ଧି ଉତ୍ତରାଖଣ୍ଡର ଦଶନ୍ଧି’ ତାହା ସେ ମନେ ପକାଇଥିଲେ । ଆଇନ ଶୃଙ୍ଖଳା ପରିସ୍ଥିତି ମଜଭୁତ ରଖିବା ସହ ରାଜ୍ୟର ବିକାଶ ସାଧିତ ହେଉଥିବାରୁ ପ୍ରଧାନମନ୍ତ୍ରୀ ତାହାର ପ୍ରଶଂସା କରିଥିଲେ । “ବିଶ୍ୱ ଆଧ୍ୟାତ୍ମିକ ଚେତନାର ଦେବଭୂମି କେନ୍ଦ୍ର ହେବ” ବୋଲି ପ୍ରଧାନମନ୍ତ୍ରୀ ଆଶା ପୋଷଣ କରିଥିଲେ । ଏହାର ସାମର୍ଥ୍ୟକୁ ବୁଝି କାର୍ଯ୍ୟ କରିବାକୁ ପଡ଼ିବ । ଚାରିଧାମ ଯାତ୍ରାରେ ତୀର୍ଥଯାତ୍ରୀ ସଂଖ୍ୟା ଦିନକୁ ଦିନ ରେକର୍ଡ ଭାଙ୍ଗି ଚାଲିଛି । ସେ ମଧ୍ୟ ବାବା କେଦାର, ହରିଦ୍ୱାରର କୁମ୍ଭ, ଅର୍ଦ୍ଧକୁମ୍ଭ ଓ କନୱର ଯାତ୍ରାକୁ ଆସୁଥିବା ଭକ୍ତମାନଙ୍କ ସମ୍ପର୍କରେ କହିଥିଲେ । ଅନେକ ରାଜ୍ୟକୁ ଏତେ ସଂଖ୍ୟାରେ ଭକ୍ତ ଆସୁନାହାନ୍ତି । ସେ ଦୃଷ୍ଟିରୁ ଏହା ଏକ ଉପହାର ଓ ଚିରସ୍ମରଣୀୟ କାର୍ଯ୍ୟ । “ଡବଲ ଇଞ୍ଜିନ ସରକରା ଦ୍ୱିଗୁଣ ଅଧିକ ଶକ୍ତି ଓ ଗତିରେ କାର୍ଯ୍ୟ କରିବା ସହ ଏହି ଭଗୀରଥ କାର୍ଯ୍ୟକୁ ସହଜ କରିଛି” ବୋଲି ସେ କହିଥିଲେ ।

ସରକାର ବିକାଶର ନଅଟି ରତ୍ନ ନବରତ୍ନ ଭାବରେ ଗୁରୁତ୍ୱ ଆରୋପ କରୁଥିବା ପ୍ରଧାନମନ୍ତ୍ରୀ କହିଥିଲେ । ପ୍ରଥମ ରତ୍ନ ହେଲା ୧୩ ଶହ କୋଟି ଟଙ୍କା ବ୍ୟୟରେ କେଦାରନାଥ ବଦ୍ରୀନାଥ ଧାମର ନବଯୌବନ କାର୍ଯ୍ୟ । ଦ୍ୱିତୀୟ, ଗୌରୀକୁଣ୍ଡ-କେଦାରନାଥ ଓ ଗୋବିଂଦଘାଟ- ହେମକୁଣ୍ଡ ସାହିବରେ ୨୫୦୦ ଟଙ୍କା ବ୍ୟୟରେ ଝୁଲା ପୋଲ ପ୍ରକଳ୍ପ । ତୃତୀୟ, ମାନସଖଣ୍ଡ ମନ୍ଦିରମାଳା କାର୍ଯ୍ୟକ୍ରମରେ କୁମାୟୁଁର ପ୍ରାଚୀନ ମନ୍ଦିରଗୁଡ଼ିକର ପୁନର୍ବିନ୍ୟାସ, ଚତୁର୍ଥ ରାଜ୍ୟରେ ୪୦୦୦ ହୋମଷ୍ଟେ ବ୍ୟବସ୍ଥା ଥିବାରୁ ହୋମଷ୍ଟେକୁ ପ୍ରୋତ୍ସାହନ । ପଞ୍ଚମ, ୧୬ଟି ପରିବେଶ ପର୍ଯ୍ୟଟନସ୍ଥଳୀର ବିକାଶ। ଷଷ୍ଠ, ଉତ୍ତରାଖଣ୍ଡର ସ୍ୱାସ୍ଥ୍ୟସେବାର ସମ୍ପ୍ରସାରଣ । ଉଦ୍ଦମସିଂ ନଗରରେ ଏମ୍ସ ଉପଗ୍ରହ କେନ୍ଦ୍ର ପ୍ରତିଷ୍ଠା । ସପ୍ତମ, ୨୦୦୦ କୋଟି ଟଙ୍କାର ଟେହେରୀ ହ୍ରଦ ବିକାଶ ପ୍ରକଳ୍ପ । ଅଷ୍ଟମ, ହରିଦ୍ୱାର ଓ ରିଷିକେଶ ଯୋଗ ଓ ଦୁଃସାହସିକ ପର୍ଯ୍ୟଟନର ରାଜଧାନୀ ଭାବେ ବିକଶିତ ହେବା ଏବଂ ଶେଷରେ ତନକପୁର-ବାଗେଶ୍ୱର ରେଳ ଲାଇନ ।

ଏହି ନବରତ୍ନଗୁଡ଼ିକ ଏକାଠି ହୋଇ ରାଜ୍ୟର ଭିତ୍ତିଭୂମି ବିକାଶକୁ ଏକ ନୂନତ ଦିଗନ୍ତ ପ୍ରଦାନ କରିଛନ୍ତି । ଚାରିଧାମ ମହାପରିଯୋଜନା ନିମନ୍ତେ ୧୨ ହଜାର କୋଟି ଟଙ୍କା ବ୍ୟୟରେ କାର୍ଯ୍ୟ ଦ୍ରୁତ ଗତିରେ ଆଗେଇ ଚାଲିଛି । ଦିଲ୍ଲୀ ଡେରାଡୁନ ରାଜପଥ ଯାତ୍ରାକୁ ଆହୁରି ଦୃତ ଓ ସହଜ କରିବ । ସେ ମଧ୍ୟ ଉତ୍ତରାଖଣ୍ଡର ଝୁଲାପୋଲ ସଂଯୋଗୀକରଣ ଉପରେ କହିଥିଲେ । ଆଗାମୀ ଦିନରେ ପର୍ବତମାଳା ପ୍ରକଳ୍ପ ରାଜ୍ୟର ଭାଗ୍ୟ ପରିବର୍ତ୍ତନ କରିଦେବ ବୋଲି ସେ କହିଥିଲେ । ୧୬ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ରିଷିକେଷ-କର୍ଣ୍ଣପ୍ରୟାଗ ରେଳ ପ୍ରକଳ୍ପ ଦୁଇରୁ ତିନିବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ହେବ । ଏହି ପ୍ରକଳ୍ପ ଯୋଗୁ ଉତ୍ତରାଖଣ୍ଡର ବିଶାଳ ଭାଗ ପ୍ରବେଶକ୍ଷମ ହେବା ସହ ପୁଞ୍ଜିବିଯୋଗ, ଶିଳ୍ପ ଓ ନିଯୁକ୍ତି ସୁଯୋଗ ମଧ୍ୟ ବୃଦ୍ଧି ପାଇବ ।

ପ୍ରଧାନମନ୍ତ୍ରୀ କହିଥିଲେ ଯେ କେନ୍ଦ୍ର ସରକାରୀ ସହାୟତା ଯୋଗୁ ଉତ୍ତରାଖଣ୍ଡ ପର୍ଯ୍ୟଟନ, ଦୁଃସାହସିକ ପର୍ଯ୍ୟଟନ, ଚଳଚ୍ଚିତ୍ର ସୁଟିଂ ଓ ବିବାହର ସୁଟିଂ ଲକ୍ଷ୍ୟସ୍ଥଳର ପେଣ୍ଠ ପାଲଟିବାକୁ ଯାଉଛି। ରାଜ୍ୟର ପର୍ଯ୍ୟଟନ ସ୍ଥଳୀଗୁଡ଼ିକୁ ବିଶ୍ୱବ୍ୟାପୀ ଦର୍ଶକ ଆକର୍ଷିତ ହେଉଥିବା ବେଳେ, ବଂଦେ ଭାରତ ଏକ୍ସପ୍ରେସ ସେମାନଙ୍କ ନିମନ୍ତେ ବେଶି ସୁବିଧାଜନକ ହେବ । ଯେଉଁମାନେ ପରିବାର ସହ ଭ୍ରମଣରେ ଯାଉଛନ୍ତି, ସେମାନଙ୍କ ପାଇଁ ବଂଦେ ଭାରତ ଏକ ସୁଖପ୍ରଦ ଓ ସୁବିଧାଜନକ ଯାତ୍ରାର ଆନନ୍ଦ ଦେବ ।

“ଏକବିଂଶ ଶତାବ୍ଦୀର ଭାରତ ଭିତ୍ତିଭୂମିର ସାମର୍ଥ୍ୟର ସର୍ବାଧିକ ଉପଯୋଗ କରି ବିକାଶର ଶୀର୍ଷରେ ପହଂଚି ପାରିବ। କାରଣ ଅତୀତରେ ସରକାରମାନେ ଭିତ୍ତିଭୂମିର ଗୁରୁତ୍ୱ ନ ବୁଝି କେବଳ ଦୁର୍ନୀତି ଓ ବଂଶଗତ ରାଜନୀତିରେ ବୁଡି ରହୁଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ପୂର୍ବ ସରକାରଗଣ ଉଚ୍ଚ ଗତିସମ୍ପନ୍ନ ଟ୍ରେନ ଚଳାଇବା ନେଇ ବଡ଼ ବଡ଼ ପ୍ରତିଶ୍ରୁତି ମାନ ଦେଇଥିଲେ ମଧ୍ୟ ଜଗୁଆଳିବିହୀନ ଫାଟକରୁ ମୁକ୍ତି ପାଇପାରିଲେ ନାହିଁ ଓ ରେଳ ବିଦୁତକରଣ କାର୍ଯ୍ୟ ମଧ୍ୟ ଆହୁରି ଖରାପ ଅବସ୍ଥାରେ ଥିଲା । ୨୦୧୪ ମସିହା ସୁଦ୍ଧା ଦେଶର ମାତ୍ର ଏକ ତୃତୀୟାଂଶ ରେଳପଥ ବିଦୁତକରଣ ହୋଇଥିବାରୁ ଉଚ୍ଚ ଗତିଯୁକ୍ତ ଟ୍ରେନ ଚଳାଚଳ ପ୍ରାୟ ଅସମ୍ଭବ ଥିଲା । ରେଳବାଇ କ୍ଷେତ୍ରରେ ପ୍ରକୃତ ଅବସ୍ଥାନ୍ତର ୨୦୧୪ ମସିହାରେ ଘଟିଲା ବୋଲି ପ୍ରଧାନମନ୍ତ୍ରୀ କହିଥିଲେ । ଦେଶର ସମ୍ପୂର୍ଣ୍ଣ ଗତିଯୁକ୍ତ ଅର୍ଦ୍ଧସମ୍ପୂର୍ଣ୍ଣ ଗତିଯୁକ୍ତ ଟ୍ରେନ ଚଳାଚଳ ସ୍ୱପ୍ନକୁ ସାକାର କରିବା ନିମନ୍ତେ ଯୋଜନା ପ୍ରସ୍ତୁତ ହେଲା । ୨୦୧୪ ପୂର୍ବରୁ ମୋଟ ଛଅ ହଜାର କିଲୋମିଟର ରେଳପଥର ବିଦୁତକରଣ ହୋଇଥିବା ବେଳେ, ବର୍ତ୍ତମାନ ପ୍ରତିବର୍ଷ ଛଅ ହଜାର କିଲୋମିଟର ବିଦୁତକରଣ ହେଉଛି । “ଆଜି ଦେଶର ଶତକଡ଼ା ୯୦ ଭାଗ ରେଳ ବ୍ୟବସ୍ଥାର ବିଦୁତକରଣ ହୋଇଛି । ଉତ୍ତରାଖଣ୍ଡରେ ଶତ ପ୍ରତିଶତ ବିଦୁତକରଣ ସଫଳତାର ସହ ସମ୍ପନ୍ନ ହୋଇଛି” ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

ପ୍ରଧାନମନ୍ତ୍ରୀ ବିକାଶ କାର୍ଯ୍ୟର ଶ୍ରେୟ ଉତ୍ତମ ଅଭିପ୍ରାୟ, ନୀତି ଓ ଉତ୍ସର୍ଗୀକୃତ ଭାବନାକୁ ଦେଇଥିଲେ । ୨୦୧୪ ତୁଳନାରେ ରେଳ ବଜେଟରେ ବ୍ୟୟ ବରାଦ ବୃଦ୍ଧି ଉତ୍ତରାଖଣ୍ଡକୁ ସିଧାସଳଖ ଲାଭ ପହଂଚାଇଛି । ୨୦୧୪ ମସିହାର ପାଞ୍ଚବର୍ଷ ଆଗରୁ ହାରାହାରି ବଜେଟ ପରିମାଣ ୨୦୦ କୋଟି ଟଙ୍କା ଥିବାବେଳେ ଏହା ବର୍ତ୍ତମାନ ୨୫ ଗୁଣ ବୃଦ୍ଧି ପାଇ ପାଞ୍ଚ ହଜାର କୋଟି ଟଙ୍କାରେ ପହଂଚିଛି । ପ୍ରଧାନମନ୍ତ୍ରୀ ସଂଯୋଗୀକରଣର ଅସୁବିଧା ଯୋଗୁ ଗ୍ରାମାଞ୍ଚଳର ଜନସାଧାରଣ ଅନ୍ୟତ୍ର ପଳାୟନ କରୁଥିଲେ । ବର୍ତ୍ତମାନ ସରକାର ପିଢ଼ି ପରେ ପିଢ଼ି ଆଉ ଅକଥନୀୟ ଦୁର୍ଦଶା ଭୋଗୁଥିବା ଏହି ଅସୁବିଧାକୁ ଦୂର କରିବାକୁ ଚାଂହୁଛନ୍ତି । ଏହାଛଡ଼ା ଆଧୁନିକ ସଂଯୋଗୀକରଣ ବ୍ୟବସ୍ଥା ଯୋଗୁ ଆମର ସୀମାରେ ଦେଶରକ୍ଷା କରୁଥିବା ସୈନିକମାନେ ମଧ୍ୟ ସୁବିଧା ପାଇପାରିବେ ।

ଉଦବୋଧନ ପରିସମାପ୍ତି ଘଟାଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଡବଲ ଇଞ୍ଜିନ ସରକାର ଉତ୍ତରାଖଣ୍ଡର ବିକାଶ ପାଇଁ ଅଙ୍ଗୀକାରବଦ୍ଧ ଓ ଉତ୍ତରାଖଣ୍ଡର ବିକାଶରେ ହିଁ ଦେଶର ବିକାଶ ନିହିତ । “ଦେଶ ଆଉ ବର୍ତ୍ତମାନ ସ୍ଥିର ବସିବ ନାହିଁ । ଏହା ନିଜକୁ ବାଟ କଢ଼ାଇବ । ବଂଦେ ଭାରତ ଗତିରେ ସମଗ୍ର ଭାରତ ଆଗେଇ ଚାଲିଛି ଓ ଆଗେଇ ଚାଲିଥିବ ମଧ୍ୟ” କହି ପ୍ରଧାନମନ୍ତ୍ରୀ ତାଙ୍କ ଉଦବୋଧନର ପରିସମାପ୍ତି ଘଟାଇଥିଲେ ।

ପୃଷ୍ଠଭୂମି: ଉତ୍ତରାଖଣ୍ଡରେ ଏହା ହେଉଛି ପ୍ରଥମ ବଂଦେ ଭାରତ ଏକ୍ସପ୍ରେସ ଟ୍ରେନ । ବିଶ୍ୱସ୍ତରୀୟ ସୁବିଧା ସହ ଏହା ଭ୍ରମଣ ଅଭିଜ୍ଞତାରେ ଏକ ନୂତନ ମୋଡ଼ ଦେବ । କବଚ ବୈଷୟିକ ଜ୍ଞାନ ସହ ସ୍ୱଦେଶୀ ଜ୍ଞାନ କୌଶଳରେ ଏହି ଟ୍ରେନ ନିର୍ମିତ ହୋଇଛି । ଏହି ନୂତନ ବଂଦେ ଭାରତ ଏକ୍ସପ୍ରେସ ଡେରାଡୁନରୁ ଦିଲ୍ଲୀ ପହଂଚିବା ପାଇଁ ସାଢ଼େ ଚାରି ଘଣ୍ଟା ସମୟ ନେବ ।

ପ୍ରଧାନମନ୍ତ୍ରୀଙ୍କ ସ୍ୱଚ୍ଛ ସାଧାରଣ ପରିବହନ ଉପଲବ୍ଧତା ଦୃଷ୍ଟିକୋଣରୁ ଭାରତୀୟ ରେଳବାଇ ଦେଶର ସମସ୍ତ ରେଳପଥର ବିଦୁତକରଣ କରିବା ଦିଗରେ ଆଗେଇ ଚାଲିଛି । ଏହି ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ଆଜି ଉତ୍ତରାଖଣ୍ଡର ଏହି ବିଦୁତକରଣ ଲାଇନକୁ ଜାତି ଉଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏଥିସହ ଉତ୍ତରାଖଣ୍ଡର ସମ୍ପୂର୍ଣ୍ଣ ରେଳପଥର ବିଦୁତକରଣ ସମ୍ପନ୍ନ ହୋଇଛି । ବିଦୁତ ଶକ୍ତି ଦ୍ୱାରା ଚାଳିତ ଟ୍ରେନର ଗତି ବୃଦ୍ଧି ପାଇବା ସହ ଏହାର ମାଲ୍ ପରିବହନ କ୍ଷମତା ମଧ୍ୟ ବୃଦ୍ଧି ପାଇବ ।