୨୮ରେ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ମୋଦୀ

ନୂଆଦିଲ୍ଲୀ : ଆଗାମୀ ମଇ ୨୮ରେ ନବ ନିର୍ମିତ ସଂସଦ ଭବନକୁ ରାଷ୍ଟ୍ର ଉଦ୍ଦେଶ୍ୟରେ ସମର୍ପିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଲୋକସଭାର ବାଚସ୍ପତି ଓମ ବିର୍ଲା ଗୁରୁବାର ସଂଧ୍ୟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସାକ୍ଷାତ କରି ନୂଆ ସଂସଦ ଭବନକୁ ଉଦଘାଟନ କରିବାକୁ ନିମନ୍ତ୍ରଣ ଦେଇଛନ୍ତି । ଲୋକସଭା ସଚିବାଳୟ ପକ୍ଷରୁ ଏ ସମ୍ପର୍କରେ ଦିଆଯାଇଥିବା ସୂଚନା ଅନୁସାରେ ନୂଆ ସଂସଦ ଭବନର ନିର୍ମାଣ କାର୍ୟ୍ୟ ପୂରା ହୋଇ ସାରିଛି । ଏହି ନୂତନ ଭବନ ଆତ୍ମନିର୍ଊର ଭାରତର ଭାବନାର ପ୍ରତୀକ । ଅନ୍ୟ ପକ୍ଷରେ ନୂଆ ସଂସଦ ଭବନର ଉଦଘାଟନ ପାଇଁ ପ୍ରସ୍ତୁତି ଆରମ୍ଭ କରାଗଲାଣି । ନୂଆ ସଂସଦ ଭବନର ସିଭିଲ ଷ୍ଟ୍ରକଚରକୁ ସଫା କରିବା ଆରମ୍ଭ ହେଲାଣି ।

୨୦୨୧ ମସିହାରେ ଏହି ନୂଆ ସଂସଦ ଭବନର ନିର୍ମାଣ କାର୍ୟ୍ୟ ଆରମ୍ଭ ହୋଇଥିଲା । ଏହି ନୂତନ ସଂସଦ ଭବନର କଣ ରହିଛି ବିଶେଷତ୍ୱ ତା ଉପରେ ଦୃଷ୍ଟି ପକାଇବା । ମୋଟ ୬୪ ହଜାର ୫ ଶହ ବର୍ଗ ମିଟର ପରିମିତ ଅଂଚଳରେ ଏହି ନୂତନ ସଂସଦ ଭବନଟି ତିଆରି ହୋଇଛି । ଏହା ଚାରି ମହଲା ବିଶିଷ୍ଟ । ଏଥିରେ ମୋଟ ତିନୋଟି ଦ୍ୱାର ରହିଛି । ଏହି ତିନୋଟି ଦ୍ୱାରର ନାମ ଜ୍ଞାନ ଦ୍ୱାର, ଶକ୍ତି ଦ୍ୱାର ଏ କର୍ମ ଦ୍ୱାର ରଖା ଯାଇଛି । ସାଂସଦ ଓ ଅନ୍ୟ ଗୁରୁତ୍ୱପୂର୍ଣ ଲୋକ ମାନଙ୍କ ପାଇଁ ଅଲଗା ପ୍ରବେଶ ବ୍ୟବସ୍ଥା ରହିଛି । ନୂଆ ସଂସଦ ଭବନ ପୁରୁଣା ସଂସଦ ଭବନ ଠାରୁ ପାଖାପାଖି ୧୭ ବଜାର ବର୍ଗ ମିଟର ବଡ ରହିଛି । ଏହି ନୂତନ ସଂସଦ ଭବନ ଉପରେ ଭୂମିକମ୍ପର କୌଣସି ପ୍ରଭାବ ପଡିବ ନାହିଁ।